ନୂଆଦିଲ୍ଲୀ : ଦୀପାବଳି ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି । ସୋମବାର ରାଜଧାନୀରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଥିବା ବେଳେ ଆଜି ସାମାନ୍ୟ ହ୍ରାସ ରେକର୍ଡ କରାଯାଇଛି । ପବନର ବେଗ ବୃଦ୍ଧି ଯୋଗୁଁ ପ୍ରଦୂଷଣ ସ୍ତରରେ କିଛିଟା ସୁଧାର ଆସିଥିବା କୁହାଯାଉଛି । ତେବେ ଏବେ ବି ଅନେକ ଅଞ୍ଚଳରେ ବାୟୁର ମାନ ଅତ୍ୟନ୍ତ ଖରାପ ରହିଛି ।ପ୍ରତିବର୍ଷ ଶୀତ ଋତୁ ଆରମ୍ଭ ହେବା ସହ ଦିଲ୍ଲୀରେ ପ୍ରଦୂଷଣ ସମସ୍ୟା ବୃଦ୍ଧି ପାଇଥାଏ । ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ଜାଳିବା ଏବଂ ଅନ୍ୟାନ୍ୟ କାରଣ ଏହାର ପ୍ରମୁଖ କାରଣ ଭାବେ ଦେଖାଯାଏ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ସ୍ଥାନରେ ପାଣି ସିଞ୍ଚନ କରିବା ସହ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଇଛନ୍ତି ।
ନୂଆଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୧୪ ରେକର୍ଡ କରାଯାଇଛି । ଯାହା ଅତ୍ୟନ୍ତ ଗମ୍ଭୀର ସ୍ଥିତିକୁ ଦର୍ଶାଉଛି । ସେହିପରି ଦ୍ୱାରକା ଅଞ୍ଚଳରେ AQI ୪୪୪ ରହିଥିବା ବେଳେ ମୟୂର ବିହାର ଷ୍ଟେସନ-୪ ଅଞ୍ଚଳରେ ଏହା ୩୮୮ ରେକର୍ଡ ହୋଇଛି । ସୋମବାର ଦିଲ୍ଲୀରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବା ସହ ଅନେକ ଅଞ୍ଚଳରେ ଘନ ଧୂଆଁର ଆସ୍ତରଣ ଦେଖିବାକୁ ମିଳିଥିଲା ।
ପ୍ରଦୂଷଣର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଛି । ଅନେକ ଲୋକ ମୁଣ୍ଡବିନ୍ଧା, ଶୁଖିଲା କାଶ ସହ ଆଖି ଓ ଗଳାରେ ଜ୍ୱଳନ ଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପ୍ରଦୂଷଣରୁ ସୁରକ୍ଷିତ ରହିବା ପାଇଁ ଡାକ୍ତରମାନେ N95 ମାସ୍କ ପିନ୍ଧିବା ଏବଂ ବ୍ୟକ୍ତିଗତ ଯାନ ବଦଳରେ ସାଧାରଣ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।
