ଭୁବନେଶ୍ବର : ଉପ-ରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ ଆସନ୍ତା ୧୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ସେ ଓଡ଼ିଶା ବିଧାନସଭାର ବିଧାୟକମାନଙ୍କ ପାଇଁ ଏକ-ଦିବସୀୟ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେବେ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିନୋଟି ଅଧିବେଶନ ରହିବ। ଉଦ୍ଘାଟନୀ ଅଧିବେଶନରେ ରାଜ୍ୟପାଳ ବ୍ରଜମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏ ସମ୍ପର୍କରେ ଆଜି ବିଧାନସଭା ସମ୍ମିଳନୀ କକ୍ଷରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଓଡ଼ିଶା ବିଧାନସଭାରେ ମୋଟ ୩୫ଟି ସଂସଦୀୟ କମିଟି ରହିଛି। ସଂସଦୀୟ କମିଟି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କେରଳ ଓ ଓଡ଼ିଶା ଉଲ୍ଲେଖନୀୟ ଭାବେ କାର୍ଯ୍ୟ କରୁଛନ୍ତି। ଏହି ବ୍ୟବସ୍ଥାକୁ ଆହୁରି ସକ୍ରିୟ ଓ ଫଳପ୍ରଦ କରିବା ସହ ବିଧାୟକମାନଙ୍କ ଦକ୍ଷତା ବିକାଶ କରିବା ଏହି ଦିଗ୍ଦର୍ଶନ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଭିନ୍ନ ବିଭାଗର କାର୍ଯ୍ୟକାରିତା, ସରକାରୀ ଯୋଜନା ଓ ନିଷ୍ପତ୍ତିର ରୂପାୟନ ଏବଂ କାର୍ଯ୍ୟନିର୍ବାହୀ ବିଭାଗଗୁଡ଼ିକର କାର୍ଯ୍ୟଧାରା ଉପରେ ବିଧାୟକମାନେ କିପରି ପ୍ରଭାବଶାଳୀ ଭାବେ ନଜର ରଖିପାରିବେ, ସେ ସମ୍ପର୍କରେ ଆବଶ୍ୟକ ତାଲିମ ପ୍ରଦାନ କରାଯିବ।
ବିଶେଷକରି ଆଗାମୀ ବଜେଟ୍ ଆଲୋଚନା, ବିଭିନ୍ନ ବିଭାଗକୁ ଆବଣ୍ଟିତ ଅର୍ଥର ପରିମାଣ, ବ୍ୟୟ ଓ ଅନୁଦାନର ଅନୁପାତ, ବଜେଟ୍ ଆକଳନ ଏବଂ ବିଭାଗଗୁଡ଼ିକର ପ୍ରଦର୍ଶନର ସମୀକ୍ଷା ଆଦି ବିଷୟରେ ବିଧାୟକମାନଙ୍କୁ ତାଲିମ ଦିଆଯିବ। ଏଥିସହ ବଜେଟ୍ ଉପସ୍ଥାପନାର ବିଭିନ୍ନ ଦିଗ ଏବଂ ବିଧାନସଭାରେ କିପରି ଅଧିକ ଫଳପ୍ରଦ, ତଥ୍ୟଭିତ୍ତିକ ଓ ଗଠନମୂଳକ ଆଲୋଚନା କରାଯାଇପାରିବ, ସେ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଉପ-ରାଷ୍ଟ୍ରପତିଙ୍କର ଏହି ଗସ୍ତ ଦ୍ୱାରା ବିଧାୟକମାନଙ୍କ ମଧ୍ୟରେ ଅଭିଜ୍ଞତା ଓ ଭାବର ଆଦାନପ୍ରଦାନ ହେବା ସହ ବିଧାନସଭାର କାର୍ଯ୍ୟଧାରା ଅଧିକ ସୁଦୃଢ଼ ଓ ଗୁଣାତ୍ମକ ହୋଇପାରିବ ବୋଲି କୁହାଯାଇଛି।
