ପାରମ୍ପାରିକ ରୀତିନୀତି ଅନୁଯାୟୀ ଦୁବ ଘାସ ଅତ୍ୟନ୍ତ ପବିତ୍ର । ଏହି ଘାସ ଶାରୀରିକ ଅସୁସ୍ଥତା ଓ ରୋଗ ଭଲ କରିବାରେ ମଧ୍ୟ ବହୁତ ପ୍ରଭାବଶାଳୀ । ଏହି ଘାସ ଘର କିମ୍ବା ରାସ୍ତାରେ ଥିବା ଜମିରେ ବେପରୁଆ ଭାବରେ ବଢୁଥାଏ । ଏହା ପୂଜାପର୍ବାଣୀରେ ବ୍ୟବହାର ହୋଇଥାଏ । ଜନ୍ମଦିନ ଏବଂ ବିବାହ ସମେତ ଯେକୌଣସି ଶୁଭ ଉତ୍ସବରେ ଦୁବ ଘାସ ମଧ୍ୟ ବ୍ୟବହୃତ ହୁଏ । କଥାରେ ଅଛି ସବୁଜ ଘାସ ବିନା ପ୍ରଭୁ ଗଣେଶଙ୍କ ପୂଜା ଅସମ୍ପୂର୍ଣ୍ଣ । ଦୁବ କେବଳ ଆମ ଧର୍ମରେ ନୁହେଁ ବରଂ ଆୟୁର୍ବେଦରେ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ।
ଦୁବ କେବଳ ବଗିଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ସକାଳେ ଏବଂ ସନ୍ଧ୍ୟାରେ ଏହି ଘାସ ଉପରେ ଖାଲି ପାଦରେ ଚାଲିବା ଦ୍ୱାରା ରକ୍ତଚାପ, ମାଇଗ୍ରେନ୍ ତଥା ମାନସିକ ଚାପ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ଦୃଷ୍ଟିଶକ୍ତି ମଧ୍ୟ ଉନ୍ନତ ହୋଇଥାଏ । ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଦୁବ ଘାସ ଅସହ୍ୟ ମୁଣ୍ଡବିନ୍ଧା, ମାଇଗ୍ରେନ୍ ସହିତ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେବାରେ ସକ୍ଷମ ମଧ୍ୟ ହୋଇଥାଏ । ଆୟୁର୍ବେଦିକ ବିଶେଷଜ୍ଞମାନେ ଘାସକୁ ଗୁଣର ଏକ ଭଣ୍ଡାର ଭାବରେ ବର୍ଣ୍ଣନା କରନ୍ତି । ତେବେ ଆସନ୍ତୁ ଜାଣିବା ଦୁବ ଘାସର କିଛି ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଲାଭ ବିଷୟରେ ।
କଣ୍ଟ୍ରୋଲ କରନ୍ତୁ ହାଇ ବିପି :
ଆପଣଙ୍କର ହାଇ ବ୍ଲଡ୍ ପ୍ରେସର ଅଛି କି? ଯଦି ହଁ, ତେବେ ଦୁବ ଘାସ ଉପରେ ଚାଲିବା ଦ୍ବାରା ଆପଣ ଆପଣଙ୍କର ବ୍ଳଡ୍ ପ୍ରେସରକୁ ନିୟନ୍ତ୍ରଣ କରିପାରିବେ । ଏହା ବ୍ୟତୀତ, ମାଇଗେନ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଦୁବ ଘାସ ଉପରେ ଚାଲିବା ଆରମ୍ଭ କରନ୍ତୁ । ଦୁବ ଘାସ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ମଧ୍ୟ ଲାଭଦାୟକ ପ୍ରମାଣିତ ହୋଇପାରେ । ଏଥି ସହ ଜାଣି ରଖନ୍ତୁ ଯେ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟକୁ ଉନ୍ନତ କରି ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବେ ।
ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ : ଆପଣ କ’ଣ ଛୋଟ ଛୋଟ କଥାରେ ଅଧିକ ଷ୍ଟ୍ରେସ୍ ନେଉଛନ୍ତି କି? ଯଦି ହଁ, ତେବେ ଆପଣ ନିୟମ ଅନୁସାରେ ପ୍ରତିଦିନ ଦୁବ ଘାସ ଉପରେ ଖାଲି ପାଦରେ ଚାଲିବା ଉଚିତ୍ । ମାତ୍ର କିଛି ସପ୍ତାହ ମଧ୍ୟରେ, ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ସକାରାତ୍ମକ ପ୍ରଭାବ ପଡିବା ଆରମ୍ଭ ହେବ । ଏହା ବ୍ୟତୀତ, ଆପଣ ଦୁବ ଘାସ ଉପରେ ଚାଲିବା ଦ୍ବାରା ଆପଣଙ୍କର ଦ୍ରୁଷ୍ଟି ଶକ୍ତିକୁ ବହୁତ ପରିମାଣରେ ଉନ୍ନତ କରିପାରିବେ ।
ହୃଦ୍ ରୋଗର ଆଶଙ୍କା ହ୍ରାସ କରେ : ଏଥି ସହ ଆପଣ ପ୍ରତିଦିନ ଦୁବ ଘାସ ଉପରେ ଖାଲି ପାଦରେ ଚାଲିବା ଦ୍ବାରା, ଗମ୍ଭୀର ଏବଂ ମାରାତ୍ମକ ହୃଦ୍ରୋଗର ଆଶଙ୍କା ବହୁ ପରିମାଣରେ ହ୍ରାସ ପାଇପାରିବ । ଏହା ବ୍ୟତୀତ, ଦୁବ ଘାସର ରସ ପିଇଲେ ରକ୍ତହୀନତା ସମସ୍ୟା ଦୂର ହୋଇପାରିବ । ଶେଷରେ ମନେ ରଖିବା ଉଚିତ୍ ଯେ ଦୁବ ଘାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବରଦାନ ପ୍ରମାଣିତ ହୋଇପାରେ ।