Thursday, April 9, 2026
36.2 C
Odisha

    ଦେବେନ୍ଦ୍ର ପ୍ରଧାନ ପଞ୍ଚଭୂତରେ ବିଲୀନ, ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ

    ଆଗକୁ ପଢନ୍ତୁ

    ପୁରୀ : ପଞ୍ଚଭୂତରେ ଲୀନ ହୋଇଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଦେବଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ସାଂସଦ, ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି, ଦଳର ପ୍ରତିଷ୍ଠାତା ସଦସ୍ୟ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଡାକ୍ତର ଦେବେନ୍ଦ୍ର ପ୍ରଧାନ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୋମବାର ପୁରୀ ସ୍ବର୍ଗଦ୍ବାର ଶ୍ମଶାନରେ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ସୌମେନ୍ଦ୍ର ପ୍ରଧାନ ମୁଖାଗ୍ନି ଦେଇଛନ୍ତି। ପୁରୀ ସ୍ବର୍ଗଦ୍ବାର ଶ୍ମଶାନର ଶେଷକୃତ୍ୟ ସମ୍ପନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ, ସମ୍ପର୍କୀୟ, ବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ।

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାବା ରାମଦେବ, ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡ଼ା, ଭାରତୀୟ ଜନତା ପାର୍ଟିର ବହୁ ତୁଙ୍ଗନେତା, ମନ୍ତ୍ରୀ, ନେତା, କାର୍ଯ୍ୟକର୍ତ୍ତା, ବରିଷ୍ଠ ନେତା, ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଜଣେ ଲୋକପ୍ରିୟ ଜନପ୍ରତିନିଧି, ସୁସଂଗଠକ ଏବଂ ଦକ୍ଷ ରାଜନେତା ଭାବେ ତାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।

    ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ନିଆଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷଯାତ୍ରାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଭୁବନେଶ୍ବରରୁ ଏକ ସୁସଜ୍ଜିତ ଗାଡ଼ିରେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ମୃତଦେହ ସ୍ୱର୍ଗଦ୍ୱାର ଶ୍ମଶାନକୁ ଅଣାଯିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ବହୁ ଶୁଭେଚ୍ଛୁ ଅପେକ୍ଷା କରିଥିଲେ। ବିଭିନ୍ନ ରାଜନୈଦିକ, ସାମାଜିକ ଓ ସାଂସ୍କୃତିକପକ୍ଷରୁ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଶବାଧାରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଦେବଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ସାଂସଦ, ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି, ଦଳର ପ୍ରତିଷ୍ଠାତା ସଦସ୍ୟ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ସୋମବାର ପୂର୍ବାହ୍ନରେ ୮୩ ବର୍ଷ ବୟସରେ ନୂଆଦିଲ୍ଲୀରେ ପରଲୋକ ଘଟିଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଗତକିଛି ଦିନ ଧରି ଚିକିତ୍ସିତ ହେଉଥିଲେ। ସାନପୁଅ ଧର୍ମେନ୍ଦ୍ରଙ୍କ ସ୍ଥାନୀୟ ୧୯ କୁଶକ ଲେନ୍‌ସ୍ଥିତ ସରକାରୀ ବାସଭବନରେ ସକାଳ ୧୦ଟା ୦୪ରେ ତାଙ୍କର ପରଲୋକ ଘଟିଥିଲା। ପରଲୋକ
    ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବାଚସ୍ପତି ଓମ୍‌ ବିର୍ଲା, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରି ଦିବଙ୍ଗତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଶାସକ ଓ ବିରୋଧୀ ଦଳର ବହୁନେତାଗଣ ଗଭୀର ଶୋକପ୍ରକାଶ କରିଛନ୍ତି।

    ଅନ୍ତିମ ସଂସ୍କାର ପାଇଁ ତାଙ୍କର ମରଶରୀରକୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା। ମୃତ୍ୟୁବେଳକୁ ପତ୍ନୀ ବସନ୍ତ ମଞ୍ଜରୀ ପ୍ରଧାନ, ବଡ଼ ପୁଅ ସୌମେନ୍ଦ୍ର ଓ ସାନ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ନାତି, ନାତୁଣୀମାନେ ଉପସ୍ଥିତ ଥିଲେ।
    ୧୯୪୧ ଜୁଲାଇ ୧୬ରେ ଅନୁଗୋଳ ଜିଲା କଣିହାଁ ବ୍ଲକ ଅନ୍ତର୍ଗତ ନଲାମ ଗ୍ରାମରେ ଜନ୍ମିତ ସ୍ୱର୍ଗତ ପ୍ରଧାନ ପେସାରେ ଜଣେ ଡାକ୍ତର ଥିଲେ । ୧୯୬୬ରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ଏମ୍‌ବିବିଏସ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିଲେ। ସେହିବର୍ଷ ତାଳଚେର ଅଞ୍ଚଳର ଡେରା ଠାରେ ଡାକ୍ତରୀ ଚାକିରି ଆରମ୍ଭ କରି ୧୯୭୩ରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ।୧୯୮୦ରେ ତାଳଚେର ମଣ୍ଡଳ ବିଜେପି ସଭାପତି ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିବା ଡା. ପ୍ରଧାନ ନିଜର ରାଜନୈତିକ ଜୀବନକାଳରେ କେନ୍ଦ୍ରମନ୍ତ୍ରୀ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ। ଦେବଗଡ଼଼ ଲୋକସଭା କ୍ଷେତ୍ରରୁ ୧୯୯୮ରେ ୧୨ତମ ଲୋକସଭାକୁ ଏବଂ ୧୯୯୯ରେ ୧୩ତମ ଲୋକସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.2 ° C
    36.2 °
    36.2 °
    22 %
    4.4kmh
    70 %
    Thu
    37 °
    Fri
    38 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ