ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ । ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନାଁ ସୁପାରିସ୍ କଲେ CJI ବିଆର ଗଭାଇ । ନଭେମ୍ବର ୨୪ରେ ସୂର୍ଯ୍ୟକାନ୍ତ ପ୍ରଧାନ ବିଚାରପତି ଭାବେ ଶପଥ ନେଇପାରନ୍ତି । ଆସନ୍ତା ନଭେମ୍ବର ୨୩ ତାରିଖରେ ପ୍ରଧାନ ବିଚାରପତି ବି.ଆର. ଗଭାଇ ଅବସର ନେଉଛନ୍ତି ।
ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ୫୩ତମ ମୁଖ୍ୟ ବିଚାରପତି ହେବେ । ତାଙ୍କର କାର୍ଯ୍ୟକାଳ ପ୍ରାୟ ୧୪ ମାସ ରହିବ । ସେ ୨୦୨୭ ଫେବୃଆରୀ ୯ରେ ଅବସର ନେବେ । ପାରମ୍ପରିକ ଭାବରେ CJI ଅବସର ନେବାର ପ୍ରାୟ ଏକ ମାସ ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ୍ କରିବାକୁ ଅନୁରୋଧ କରିଥିଲେ । CJI ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ସୁପାରିସ୍ କରିଛନ୍ତି । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ହରିୟାଣାର ହିସାରରେ ଏକ ମଧ୍ୟବିତ୍ତ ପରିବାରରେ ୧୦ ଫେବ୍ରୁଆରୀ ୧୯୬୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଶିକ୍ଷକ ଥିଲେ । ସେ ଗାଁ ସ୍କୁଲରେ ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ । ୧୯୮୧ ରେ ହିସାରର ସରକାରୀ ପୋଷ୍ଟ ଗ୍ରାଜୁଏଟ୍ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ୧୯୮୪ରେ ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟ ରୋହତକରୁ ଲ’ ଡିଗ୍ରୀ ଶେଷ କରିଥିଲେ । ୨୦୦୦ ମସିହା ଜୁଲାଇ ୭ରେ ସେ ହରିୟାଣାର ସର୍ବ କନିଷ୍ଠ ଆଡଭୋକେଟ୍ ଜେନେରାଲ୍ ଭାବେ ନିଯୁକ୍ତ ହୋଇଥିଲେ । ଏହାପର ବର୍ଷ ତାଙ୍କୁ ସିନିଅର ଆଡଭୋକେଟ ପଦ ମିଳିଥିଲା । ୨୦୦୪ ଜାନୁଆରୀ ୯ରେ ସେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ସ୍ଥାୟୀ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ । ପରେ ୨୦୧୮ ଅକ୍ଟୋବର ୮ରେ ସେ ହିମାଚଳ ପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଏବେ ୨୪ ନଭେମ୍ବରରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଆଗାମୀ ସିଜେଆଇ ହେବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।

