ସାଂସାରିକ ସୁଖ,ମାୟା,ମୋହ ତ୍ୟାଗ କରି ନପାରିଲେ ଜୀବନରେ ଅସଲ ଶାନ୍ତି ମିଳିପାରିବ ନାହିଁ । ସଂସାର ପ୍ରତି ଅତି ଆସକ୍ତି ଭାବ ଦୁଃଖ ଉଦ୍ରେକର କାରଣ ହୋଇଥାଏ । ଏହି ନିଚ୍ଛକ ସତ୍ୟତାକୁ ଅନୁଭବ କରି ଗୌତମ ବୁଦ୍ଧ ବିବାହାନ୍ତେ ଗୃହତ୍ୟାଗ କଲେ । ସାଧନାରେ ସିଦ୍ଧି ଲାଭ କରି ସେ ଭଗବାନ ବୁଦ୍ଧ ଭାବରେ ପରିଚିତ ହେଲେ । ବୁଦ୍ଧ ଭିକ୍ଷୁକ ବେଶ ଧାରଣ କରି ଗୃହକୁ ଗୃହ ପରିଭ୍ରମଣ କରି ଭିକ୍ଷା ସଂଗ୍ରହ କରୁଥିଲେ । ତାଙ୍କୁ କେହି କିଛି ଖରାପ କଥା କହିଲେ ବି ସେ ନରାଗି ସହିଯାଉଥିଲେ । ଯେଉଁମାନେ ତାଙ୍କୁ ଅପମାନିତ କରୁଥିଲେ ପରବର୍ତ୍ତୀ ସମୟରେ ତାଙ୍କ ମହାନୁଭବ ଓ ଉଦାର ଗୁଣରେ ମୁଗ୍ଧ ହୋଇ ତାଙ୍କୁ କ୍ଷମା ମାଗି ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରୁଥୁଲେ ।
ଦିନକର କଥା । ଭଗବାନ ବୁଦ୍ଧ ଗୋଟିଏ ଗ୍ରାମକୁ ଭିକ୍ଷା ସଂଗ୍ରହ କରିବା ଲାଗି ଯାଇଥାନ୍ତି । ସେହି ଗ୍ରାମରେ ଅନେକ ଚାଷୀ ବାସ କରୁଥାନ୍ତି । ସେଠାରେ ଭରଦ୍ୱାଜ ନାମରେ ଜଣେ ଚାଷୀ ବାସ କରୁଥିଲେ । ତାଙ୍କର ଅନେକ ଜମିବାଡ଼ି ଥିଲା । ଧନୀ ହୋଇଥିବା କାରଣରୁ ତାଙ୍କ ମନରେ ଖୁବ୍ ଅହଂକାର ଓ ଗର୍ବ ଥାଏ । ସେ ବୁଦ୍ଧଦେବଙ୍କର ଅସଲ ପରିଚୟ ପାଇନଥିଲେ । ବୁଦ୍ଧଙ୍କୁ ଭିକ୍ଷୁକ ବେଶରେ ଦେଖି ଭରଦ୍ୱାଜ କହିଲେ ତୁମେ ଖୁବ୍ ବଳବାନ ହୋଇଛ । ତୁମ ଦେହରେ ଯଥେଷ୍ଟ ଶକ୍ତି ଅଛି । ତୁମେ କାମଦାମ ନକରି ଏପରି ଭିକ୍ଷା ମାଗି ଚଳୁଛ କାହିଁକି ? ମୋତେ ଦେଖ,ମୁଁ କିପରି ନିଜେ ଶକ୍ତି ଖଟାଇ ନିଜ ଜମିରେ ଚାଷ କରି ଶସ୍ୟ ଅମଳ କରି ସୁଖରେ ଚଳୁଛି ।
ଭଗବାନ ବୁଦ୍ଧ ଭରଦ୍ୱାଜଙ୍କ କଥାରେ ଟିକିଏ ହେଲେ ରାଗିଲେ ନାହିଁ । ବରଂ କହିଲେ,”ପ୍ରକୃତରେ ତୁମେ ଜଣେ ଉତ୍ତମ କର୍ମୀ । କୃଷକ ହିଁ ଦ୍ଵିତୀୟ ଈଶ୍ଵର । ତୁମେ ନିଜ କଷ୍ଟ ଉପାର୍ଜିତ ସମ୍ବଳ ବିନିଯୋଗ କରିନେବା ସହିତ ଅନ୍ୟମାନଙ୍କ ପାଇଁ ଖାଦ୍ୟ ଯୋଗାଇ ପାରୁଛ । ତେଣୁ ମୁଁ ତୁମ ମହତକାର୍ଯ୍ୟକୁ ପସନ୍ଦ କରି ଧନ୍ୟବାଦ ଜଣାଉଛି । ତୁମେ ତୁମ କାର୍ଯ୍ୟଶୈଳୀ ଦ୍ଵାରା ସମାଜର ମଙ୍ଗଳ ସାଧନାର୍ଥେ ବ୍ରତୀ ଅଛ, ଏହା ସତ୍ୟ । ମାତ୍ର, ତୁମେ ତୁମର ଅହଂକାର ଗୁଣ ପରିହାର କରିପାରିନାହଁ । ଗଛ କ’ଣ କେବେ ତାର ଫଳଫୁଲ ଦାନ କରୁଛି ବୋଲି ଅହଂକାର କରେ? ନଦୀ କ’ଣ ତାର ଜଳ ଦାନ କରିବାର ଗୁଣ କଥା ପ୍ରଚାର କରେ ନା ଅହଂକାର କରେ ? ଜଣେ କୃଷକ କିଛି ଜମିଜମା ଚାଷ କରେ । ହଳକରେ । ବୀଜବପନ କରେ। ଘାସ ବାଛେ । ବେଉଷଣ ବେଳେ କଠିନ କରିଶ୍ରମ କରେ । ନିଜ ଉପାର୍ଜିତ ଫସଲଲବ୍ଧ ଅର୍ଥରେ ନିଜେ ଚଳିବା ସହିତ ଅନ୍ୟମାନଙ୍କ ଭରଣପୋଷଣ ମଧ୍ୟ କରେ । ସମାଜକୁ ରକ୍ଷାକରେ । ଠିକ ସେପରି ମୁଁ ମଧ୍ୟ ଜଣେ କୃଷକ । ମଣିଷମାନଙ୍କ ହୃଦୟହିଁ ମୋର ଜମି ବା କ୍ଷେତ । ଏଥିରେ ବିଶ୍ଵାସର ପାଣି ମଡେଇ ମୁଁ ଭକ୍ତିରୂପକ ଶସ୍ୟ ଏବଂ ଫଳମୂଳ ଆମଦାନୀ କରେ। ତପ ସାଧନା ରୂପକ ହଳରେ ଜମିହଳ କରି ଉପଦେଶାତ୍ମକ ଜ୍ଞାନର ବିହନ ବୁଣିଥାଏ । ଅଜ୍ଞାନ,ମାୟା,ମୋହ ରୂପକ ଘାସକୁ ମୁଁ ହୃଦୟ ରୂପକ କ୍ଷେତରୁ ବାଛି ଦେଇ ଭକ୍ତି ରୂପକ ଶସ୍ୟକୁ ବଢିବାକୁ ଦିଏ । ପ୍ରକୃତରେ ଚିନ୍ତା କଲେ ଜାଣିବ ଯେ,ତୁମେ ଏକମାତ୍ର କୃଷକ ନୁହଁ । ଏଠି ସମସ୍ତେ ଜଣେ ଜଣେ କୃଷକ । ଶିକ୍ଷକ,ଅଧ୍ୟାପକ ଶିକ୍ଷା ଚାଷ କଲାବେଳେ ବୁଦ୍ଧିଜୀବୀ ବୁଦ୍ଧିର ଚାଷ କରିଥାଏ । ବ୍ୟବସାୟୀ ବେପାର ରୂପକ ଚାଷ କରୁଥିବାବେଳେ ସାହିତ୍ୟିକ ସୃଜନଶକ୍ତିର ବୀଜ ବପନ କରି ସାହିତ୍ୟ ଚାଷ କରିଥାଏ । ଉତ୍ପାଦିତ ଜ୍ଞାନର ସଦୁପଯୋଗ ଦ୍ଵାରା,ବାର୍ତ୍ତା ଦ୍ଵାରା ସମାଜକୁ ପରିବର୍ତ୍ତନର ଧାରାରେ ସାମିଲ କରିଥାଏ ।“
ଏଭଳି ଏକ ତତ୍ତ୍ଵପୂର୍ଣ୍ଣ ବାଣୀ ସରଳ ଭାଷାରେ ଶ୍ରବଣ କରି ଭରଦ୍ଵାଜଙ୍କ ମନରେ ଥିବା ଅହଙ୍କାର ଏବଂ ଗର୍ବ ଦୂରୀଭୂତ ହୋଇଗଲା । ସେ ବୁଝିପାରିଲେ ଯେ ଏ ଭିକ୍ଷୁ ଜଣେ ସାଧାରଣ ଭିକ୍ଷୁକ ହୋଇ ନପାରନ୍ତି । ସେ ଯେଉଁ ଗୌତମ ବୁଦ୍ଧଙ୍କ କଥା ଶୁଣିଥିଲେ,ଏ ନିଶ୍ଚୟ ସେହି ଭଗବାନ । ତେଣୁ ସେ ନିଜେ ଅପମାନିତ ହୋଇ ବୁଦ୍ଧଙ୍କ ପାଦତଳେ ପଡ଼ି କ୍ଷମା ମାଗିଲେ । ସେହି ଦିନଠାରୁ ସେ ବୁଦ୍ଧଙ୍କର ଜଣେ ପଟ୍ଟଶିଷ୍ୟ ହୋଇଗଲେ । ତାଙ୍କ ପାଟିରୁ ସ୍ଵତଃ ଉଚ୍ଚାରିତ ହେଲା- ‘ବୁଦ୍ଧଂ ଶରଣମ୍ ଗଚ୍ଛାମି,ଧର୍ମମ ଶରଣମ୍ ଗଚ୍ଛାମି,ସଂଘମ୍ ଶରଣମ୍ ଗଚ୍ଛାମି ।‘
କାହାଣୀ- ନିରଞ୍ଜନ ପତି