Wednesday, April 1, 2026
27.7 C
Odisha

    ନଗଦ ଟଙ୍କା ଠୁଳ ଅଭିଯୋଗ ନେଇ ଜଷ୍ଟିସ୍‌ ବର୍ମାଙ୍କ ସଫେଇ: ‘ଅବିଶ୍ୱସନୀୟ, ଗଭୀର ଷଡ୍‌ଯନ୍ତ୍ର’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମା ତାଙ୍କ ଘରେ ଅଗ୍ନିକାଣ୍ଡ ସମୟରେ ବିପୁଳ ପରିମାଣରେ ଟଙ୍କା ଠାବ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଯେଉଁ କୋଠରୀରେ ଟଙ୍କା ଥିବା କୁହାଯାଉଛି ତାହା ତାଙ୍କ ବାସଭବନରୁ ଅଲଗା ରହିଛି ଏବଂ ଏହା ଅନେକ ଲୋକଙ୍କ ପାଇଁ ଉପଲବ୍ଧ । ତାହା ଏକ ଷ୍ଟୋର୍‌ ରୁମ୍‌ ଥିଲା ଏବଂ ସମସ୍ତଙ୍କ ପାଇଁ ଖୋଲା ରହୁଥିଲା ବୋଲି ‌ସେ କହିଛନ୍ତି।

    ନଗଦ ଟଙ୍କା ଜବତ ନେଇ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ଜଷ୍ଟିସ୍ ବର୍ମା ଲିଖିତ ଜବାବ ଦେଇ କହିଛନ୍ତି ଯେ ମାର୍ଚ୍ଚ ୧୪ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନର ଷ୍ଟାଫ୍ କ୍ୱାର୍ଟର୍ସ ନିକଟରେ ଥିବା ଷ୍ଟୋରରୁମ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ଅବ୍ୟବହୃତ ଆସବାବପତ୍ର, ବୋତଲ, ବ୍ୟବହୃତ କାର୍ପେଟ୍, ପୁରୁଣା ସ୍ପିକର, ବଗିଚା ଉପକରଣ ଏବଂ ସିପିଡବ୍ଲ୍ୟୁଡି (କେନ୍ଦ୍ରୀୟ ପୂର୍ତ୍ତ ବିଭାଗ) ସାମଗ୍ରୀ ରଖିବା ପାଇଁ ଏହି କୋଠରୀକୁ ସାଧାରଣତଃ ସମସ୍ତେ ବ୍ୟବହାର କରୁଥିଲେ। ଏହି କୋଠରୀ ମୁଖ୍ୟ ବାସଭବନରୁ ବିଚ୍ଛିନ୍ନ ଏବଂ ନିଶ୍ଚିତ ଭାବରେ ମୋ ଘରର ଏକ କୋଠରୀ ନୁହେଁ ବୋଲି ବିଚାରପତି ତାଙ୍କ ଜବାବରେ ଲେଖିଛନ୍ତି। ଜଷ୍ଟିସ ବର୍ମା କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଘଟଣା ଦିନ ମଧ୍ୟପ୍ରଦେଶରେ ଥିଲେ ଏବଂ ବାସଭବନରେ କେବଳ ତାଙ୍କ ଝିଅ ଏବଂ ମା’ ଥିଲେ। ସେ କହିଛନ୍ତି ଯେ ସେ ମାର୍ଚ୍ଚ ୧୫ ରେ ଭୋପାଳରୁ ଇଣ୍ଡିଗୋ ବିମାନରେ ପତ୍ନୀଙ୍କ ସହ ଦିଲ୍ଲୀ ଫେରିଥିଲେ। ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗକୁ ମୋ ଝିଅ ଏବଂ ମୋର ବ୍ୟକ୍ତିଗତ ସଚିବ ସୂଚନା ଦେଇଥିଲେ । ନିଆଁ ଲିଭାଇବା ପାଇଁ ଉଦ୍ୟମ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସମସ୍ତ କର୍ମଚାରୀ ଓ ମୋ ପରିବାର ସଦସ୍ୟଙ୍କୁ ଘଟଣାସ୍ଥଳରୁ ଦୂରେଇ ଯିବାକୁ କୁହାଯାଇଥିଲା। ନିଆଁ ଲିଭାଇବା ପରେ କର୍ମଚାରୀମାନେ ଘଟଣାସ୍ଥଳରୁ ଫେରିଥିଲେ ଏବଂ କୌଣସି ଟଙ୍କା ଠାବ ହୋଇନଥିଲା। ଅନ୍ୟପକ୍ଷରେ ପୁଲିସ କମିସନର ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଜଣାଇଛନ୍ତି ଯେ ଜଷ୍ଟିସ୍ ବର୍ମାଙ୍କ ବାସଭବନରେ ନିୟୋଜିତ ସୁରକ୍ଷା କର୍ମୀଙ୍କ କହିବାନୁସାରେ ମାର୍ଚ୍ଚ ୧୫ ତାରିଖ ସକାଳେ କିଛି ଆବର୍ଜନା ଓ ଆଂଶିକ ପୋଡ଼ି ଯାଇଥିବା ଜିନିଷ ବାହାର କରାଯାଇଥିଲା। ଏହାର ଜବାବରେ ଜଷ୍ଟିସ୍ ବର୍ମା କୌଣସି ନଗଦ ଠାବ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏ ବାବଦରେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ତାଙ୍କୁ ବଦନାମ କରିବା ପାଇଁ ଏକ ଗଭୀର ଷଡ୍‌ଯନ୍ତ୍ର ବୋଲି ଜଷ୍ଟିସ ବର୍ମା କହିଛନ୍ତି। ଏଭଳି ଅଭିଯୋଗ ସଂପୂର୍ଣ୍ଣ ଆଧାରହୀନ ଓ ଅବିଶ୍ବସନୀୟ ବୋଲି ସେ କହିଛନ୍ତି।

     

    ଜଷ୍ଟିସ ବର୍ମା କହିଛନ୍ତି ଯେ ସେ ଦିଲ୍ଲୀ ଫେରିବା ପରେ ଘଟଣାର ପ୍ରକୃତ ସ୍ଥିତି ସଂପର୍କରେ ତାଙ୍କୁ କୁହାଯାଇଥିଲା। ସେହିଦିନ ରାତିରେ ମୁଁ ମୋର ବ୍ୟକ୍ତିଗତ ସଚିବଙ୍କ ସହିତ ଜଳିଯାଇଥିବା କୋଠରୀକୁ ଯାଞ୍ଚ କଲି, ସେତେବେଳେ କୌଣସି ଟଙ୍କା ମିଳିନଥିଲା କିମ୍ବା କୌଣସି ପୋଡ଼ା ଟଙ୍କାର ମଧ୍ୟ ଚିହ୍ନବର୍ଣ୍ଣ ନଥିଲା। ମୋତେ ପ୍ରଦାନ କରାଯାଇଥିବା ରିପୋର୍ଟରୁ ମଧ୍ୟ ଏହା ପ୍ରମାଣିତ ହୋଇଛି। ସେହି ଯାଞ୍ଚ ପରେ ଏବଂ ଆପଣଙ୍କ ନିର୍ଦ୍ଦେଶକ୍ରମେ ଆଜି ବି ସେହି ଅବସ୍ଥାରେ ଜଳିଯାଇଥିବା କୋଠରୀ ରହିଛି। ଜଷ୍ଟସ ବର୍ମା କହିଛନ୍ତି, ଭିଡିଓର ବିଷୟବସ୍ତୁ ଦେଖି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲି କାରଣ ଏଥିରେ ଏପରି କିଛି ଚିତ୍ରିତ ହୋଇଥିଲା ଯାହା ମୁଁ ଦେଖିଥିବା ପରି ଦୃଶ୍ୟ ନଥିଲା। ଏହା ସ୍ପଷ୍ଟ ଭାବରେ ମୋତେ ଫସାଇବା ଏବଂ ବଦନାମ କରିବା ପାଇଁ ଏକ ଷଡ୍‌ଯନ୍ତ୍ର ବୋଲି ମନେ ହେଉଥିଲା। ଏଭଳି ଅଭିଯୋଗ ମୋର ଅପୂରଣୀୟ କ୍ଷତି କରିଛି ବୋଲି ଜଷ୍ଟିସ ବର୍ମା କହିଛନ୍ତି। ‘ଏକ ଦଶନ୍ଧିରୁ ଅଧିକ ସମୟ ଧରି ହାଇକୋର୍ଟର ବିଚାରପତି ଭାବରେ ମୋର ପ୍ରତିଷ୍ଠାକୁ ଏହି ଘଟଣା କ୍ଷତି ପହଞ୍ଚାଇଛି ଏବଂ ମୋ ପାଖରେ ନିଜକୁ ରକ୍ଷା କରିବା ପାଇଁ କୌଣସି ଉପାୟ ନାହିଁ । ମୁଁ ଆପଣମାନଙ୍କୁ ଏହା ମଧ୍ୟ କହିବାକୁ ଅନୁରୋଧ କରୁଛି ଯେ ହାଇକୋର୍ଟର ବିଚାରପତି ଭାବରେ ମୋର ସମସ୍ତ ବର୍ଷ ମଧ୍ୟରେ ଅତୀତରେ ଏଭଳି କୌଣସି ଅଭିଯୋଗ କରାଯାଇ ନାହିଁ କିମ୍ବା ମୋର ସଚ୍ଚୋଟତା ଉପରେ କୌଣସି ସନ୍ଦେହ ସୃଷ୍ଟି ହୋଇନାହିଁ । ବାସ୍ତବରେ, ଯଦି ଜଣେ ବିଚାରପତି ଭାବରେ ମୋର କାର୍ଯ୍ୟସମ୍ପର୍କରେ ନିରପେକ୍ଷ ତଦନ୍ତ କରାଯାଏ ତେବେ ମୁଁ କୃତଜ୍ଞ ରହିବି’ ବୋଲି ଜଷ୍ଟିସ ବର୍ମା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    49 %
    2.3kmh
    1 %
    Wed
    28 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ