ବାଜଶ୍ରବା ଋଷିଙ୍କ କୀର୍ତ୍ତିମାନ ପୁତ୍ର ନଚିକେତା ବ୍ରହ୍ମଜ୍ଞାନ ଲାଭ କରିବାକୁ ସମର୍ଥ ହୋଇଥିଲେ । ଏହି ଜ୍ଞାନ ଯାହାକୁ ବେଦରେ ପ୍ରଣବ (ଓଁ କାର), ବେଦାନ୍ତରେ ବହ୍ମ, ତନ୍ତ୍ରରେ ମହାଶକ୍ତି, ଯୋଗରେ ଆତ୍ମା, ପୁରାଣରେ ଭଗବାନ, ଭଗବତ୍ ଗୀତାରେ ଅକ୍ଷର ବହ୍ମ ରୂପେ ଦର୍ଶାଯାଇଛି । କଠୋପନିଷଦର ବର୍ଣ୍ଣନାନୁଯାୟୀ ‘ନିତ୍ୟୋ ନିତ୍ୟାନାଂ ଚେତନ ଶ୍ଚେତଜ୍ଞାନାମେକୋ ବହୂନାଂ ଯୋ ବିଦଧାତି କାମାନ୍’ । ଉପନିଷଦ ଓ ଶ୍ରୁତିମନ୍ତ୍ର ଅନୁଯାୟୀ ନିତ୍ୟ ବସ୍ତ୍ର ମଧ୍ୟରେ ପରମ ନିତ୍ୟ, ବହୁ ଚେତନ ମଧ୍ୟରେ ପରମ ଚେତନ, ଯେ ଅଜ୍ୱୟଜ୍ଞାନ ଓ ବହୁର କାମନା ପୂରଣ କରନ୍ତି ବା ଜୀବର କର୍ମାନୁସାରେ ଫଳ ପ୍ରଦାନ କରରି ସେ ହିଁ ବ୍ରହ୍ମ ।
ବାଜଶ୍ରବା ଋଷି ବିଶ୍ଵଜିତ ଯଜ୍ଞରେ ନିଜର ସମସ୍ତ ଧନ ଦାନ କରି ଦକ୍ଷିଣା ସରୂପ ଜରାଜୀର୍ଣ୍ଣ ଗାଈମାନଙ୍କୁ ଦେଉଥିବାର ଦେଖି ପୁତ୍ର ନଚିକେତା ଚିନ୍ତା କଲେ ଯେ ଏହାଦ୍ଵାରା ପିତାଙ୍କର ନିଶ୍ଚିତ କ୍ଷତି ହେବ । ଦାନର ଯଥାର୍ଥତା ବୋଧଗମ୍ୟ କରାଇବା ପାଇଁ ସେ ତାଙ୍କ ପିତାଙ୍କୁ ବାରମ୍ବାର ପଚାରିଲେ, ମତେ କାହାକୁ ପ୍ରଦାନ କରିବେ ? ଅତ୍ୟନ୍ତ ବିରକ୍ତିର ସହିତ ପିତା କହି ପକାଇଲେ, ମୁଁ ତୋତେ ଯମକୁ ଦାନ କରିଛି। ପିତୃ ବଚନ ରକ୍ଷା କରିବାକୁ ଯାଇ ନଚିକେତା ଯମାଳୟକୁ ଯିବାକୁ ଉଦ୍ୟତ ହୁଅନ୍ତେ, ପିତା ବ୍ୟତିବ୍ୟସ୍ତ ହୋଇପଡ଼ିଲେ । କିନ୍ତୁ ନଚିକେତା କହିଲେ, ଶସ୍ୟ ପକ୍ଵହେଲେ ବୃକ୍ଷର ମୃତ୍ୟୁ ହୁଏ । ପୁଣି ସେହି ବୀଜରୁ ଉଦ୍ଭିଦର ଉତ୍ପତ୍ତି ହୁଏ । ସେହିଭଳି ମନୁଷ୍ୟର ମୃତ୍ୟୁ ହେଲେ ସମୟାନୁସାରେ ସେ ପୁଣି ପୁନର୍ଜନ୍ମ ନେଇଥାଏ । ବାସ୍ତବ ମୃତ୍ୟୁ ପୂର୍ବରୁ ପିତା ତାଙ୍କୁ ଉତ୍ତମ ସ୍ଥାନ ହିଁ ଦେଇଛନ୍ତି । ପିତାଙ୍କ ବଚନ ଉଲ୍ଲଙ୍ଘନ ନକରି ନଚିକେତା ଯମାଳୟକୁ ଗଲେ । ଯମରାଜ ବାହାରକୁ ଯାଇଥିବାରୁ ତାଙ୍କୁ ତିନିଦିନ ଅପେକ୍ଷା କରିବାକୁ ପଡିଲା । ସେ ଫେରିବା ପରେ ଜଣେ ବ୍ରାହ୍ମଣ ଅତିଥି ତିନିଦିନ କାଳ ବିନା ଭୋଜନରେ ରହିଥିବାରୁ ତାର ଫଳ ସ୍ଵରୂପ ତିନିଗୋଟି ବର ମାଗିନେବାକୁ ତାଙ୍କୁ କହିଲେ । ପ୍ରଥମ ବର ସ୍ଵରୂପ ତାଙ୍କ ପିତା ଶାନ୍ତ, କ୍ରୋଧରହିତ ଓ ପ୍ରସନ୍ନ ମନା ହୋଇଯାଆନ୍ତୁ । ଦ୍ୱିତୀୟ ବରରେ ସାଧନା ଲବ୍ଧ ସ୍ଵର୍ଗପ୍ରଦାୟିନୀ ଦିବ୍ୟ ଅଗ୍ନିବିଦ୍ୟା ପ୍ରଦାନ କରନ୍ତୁ ଏବଂ ଶେଷ ବର ସ୍ୱରୂପ ଆତ୍ମଜ୍ଞାନ ଲାଭ ପାଇଁ ନଚିକେତା ଇଚ୍ଛା ପ୍ରକାଶ କଲେ । ଯମରାଜ କିନ୍ତୁ ଉକ୍ତ ବର ବ୍ୟତୀତ ଅନ୍ୟବର ମାଗି ନେବାକୁ କହି ସଂସାରିକ ପ୍ରଲୋଭନ ପ୍ରତି ଆକର୍ଷିତ କରାଇବାକୁ ଚେଷ୍ଟା କଲେ । ସାଂସାରିକ ଭୋଗବିଳାସ ଜନିତ ସୁଖ ପ୍ରତି ଅନାସକ୍ତ ଥିବା ହେତୁ ସେ ପ୍ରଲୋଭନ ତାଙ୍କୁ ଗ୍ରାସ କରି ପାରିଲା ନାହିଁ । ତେଣୁ ନଚିକେତାଙ୍କୁ ବ୍ରହ୍ମଜ୍ଞାନ ଲାଭ କରିବାର ଉପଯୁକ୍ତ ଅଧିକାରୀ ମନେକରି ଯମଦେବ ତାହା ବିଷଦ ଭାବରେ ବୁଝାଇଲେ ।
ସେ କହିଲେ ଯେ ଶ୍ରେୟ ବା ବିଦ୍ୟା ଓ ଅବିଦ୍ୟାର ମାର୍ଗ ମନୁଷ୍ୟକୁ ସର୍ବଦା ଆକର୍ଷିତ କରିଥାନ୍ତି । ବୁଦ୍ଧିମାନ ବ୍ୟକ୍ତି ଶ୍ରେୟ ଅର୍ଥାତ କଲ୍ୟାଣର ମାର୍ଗ ବାଛି ଉତ୍ତମ ଫଳ ପ୍ରାପ୍ତହୁଏ । କିନ୍ତୁ ଯେ ଶ୍ରେୟ ଅର୍ଥାତ ସାଂସାରିକ ଭୋଗ୍ୟ ପଦାର୍ଥ ପ୍ରତି ଆକୃଷ୍ଟ ହୁଏ ତାର ପତନ ହିଁ ଅନିବାର୍ଯ୍ୟ । ଆତ୍ମ ତତ୍ତ୍ଵଜ୍ଞାନ ଲାଭ କରିବାରେ ନଚିକେତା ଥିଲେ ଜିଜ୍ଞାସୁ ଶିଷ୍ୟ । ସୂକ୍ଷ୍ମ ଆତ୍ମତତ୍ତ୍ଵ ଚିରନ୍ତନ ଆନନ୍ଦ ସ୍ୱରୂପ । ମନୁଷ୍ୟ ଅନ୍ତକରଣରେ ଅବସ୍ଥିତ ଦିବ୍ୟଗୁଣ ସମ୍ପନ୍ନ ପରମାତ୍ମାଙ୍କୁ ଅଧ୍ୟାତ୍ମ ଯୋଗ ଦ୍ଵାରା ଜିଣି ସଚ୍ଚିଦାନନ୍ଦ ଲାଭ କରେ । ଓଁ ହେଉଛି ସେହି ପରମ ପଦ ଯାହାକି ଆତ୍ମ ସାକ୍ଷାତକାର ପାଇଁ ପ୍ରଧାନ ଅବଲମ୍ବନ । ଏହି ପରମପଦ ପ୍ରାପ୍ତି ପାଇଁ ସାଧକମାନେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି, ତପ ସାଧନା ଦ୍ୱାରା ସେମାନେ ଏହାକୁ ଅନୁଭବ କରନ୍ତି ଏବଂ ସମସ୍ତ ବେଦ ଏହି ପରମପଦ ସମ୍ପର୍କରେ ମୁଖରିତ ।
ପରମେଶ୍ଵର ହିଁ ସ୍ରଷ୍ଟା, ପାଳୟିତା ଓ ସଂହାରକର୍ତ୍ତା । ସେ ପରମାତ୍ମା ପରଂବ୍ରହ୍ମ ଶବ୍ଦ,ସ୍ପର୍ଶ,ରୂପ,ରସ ଓ ଗନ୍ଧ ରହିତ । ସେ ଅନାଦି ଅନନ୍ତ । ସାଧକ ନିଜର ଉଦ୍ଧାର ନିମନ୍ତେ ସ୍ଵବିଚାରଶକ୍ତି ଦ୍ଵାରା ମୁଁ ଭଗବାନଙ୍କର ଏବଂ ଭଗବାନ ମୋର ଏହିପରି ଭାବରେ ସେ ପରମେଶ୍ଵରଙ୍କ ସହିତ ଆତ୍ମୀୟତା ସ୍ଥାପନ କରେ । ଯେତେବେଳେ ଉକ୍ତ ଅହଂଭାବ ଛାଡ଼ି ସୋଅହଂଭାବ ମନରେ ସ୍ଥାନ ଦିଏ ସେତେବେଳେ ସେ ଅନୁଭବ କରେ ଯେ ସେ ଭଗବତ ଉପଲବ୍ଧିର ଉଚ୍ଚତମ ସୋପାନରେ ଉପନୀତ । କେବଳ ଧର୍ମୋପଦେଶ ଶ୍ରବଣ କରି,ସ୍ତୁତି ବା ବନ୍ଦନା କରି ବା ଶାସ୍ତ୍ର ଅଧ୍ୟୟନକରି ଏହି ପରମ ଆତ୍ମତତ୍ତ୍ଵକୁ ଜାଣିହୁଏ ନାହିଁ । ଏଥିପାଇଁ ଭଗବତ କୃପାଲାଭ ଆବଶ୍ୟକ ।
ଲେଖକ- ନିରଞ୍ଜନ ପତି