Friday, September 20, 2024
28.3 C
Odisha

    ନମାଗିଲେ ମିଳେ

    ଆଗକୁ ପଢନ୍ତୁ

    ସ୍ଵାମୀ ବିବେକାନନ୍ଦଙ୍କ ପିଲାଦିନରୁ ତାଙ୍କ ପ୍ରଚଣ୍ଡ ବ୍ୟକ୍ତିତ୍ଵର ସୂଚନା ମିଳୁଥିଲା । ପରିବାରର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିଲେ ବି ଦାରିଦ୍ର୍ୟ ତାଙ୍କ ଧୀଶକ୍ତି ଓ ଆଧ୍ୟାତ୍ମିକ ଭାବଧାରାରେ ପ୍ରଭାବ ପକାଇ ପାରିନଥିଲା । ତାଙ୍କର ଚେତନା ଉଦୟ ହେବାପରେ ସେ ଜଣେ ସମର୍ଥ, ଯୋଗ୍ୟ ଗୁରୁଙ୍କ ଅନ୍ଵେଷଣରେ ପରିବ୍ରାଜକ ଜୀବନ ଆରମ୍ଭ କଲେ । ଅନେକ ପଣ୍ଡିତ, ବ୍ରାହ୍ମଣ, ଆଧ୍ୟାତ୍ମିକବାଦୀଙ୍କ ନିକଟକୁ ଯାଇ ସେମାନଙ୍କର ପାଖରେ ଜ୍ଞାନ ଚର୍ଚ୍ଚା କଲେ । କିନ୍ତୁ ସେମାନଙ୍କଠାରେ ଗୁରୁପଣିଆର କିଛି ବି ଲକ୍ଷଣ କି ଆଭାସ ପାଇପାରିଲେ ନାହିଁ । ଶିଷ୍ୟ ଯେପରି ଗୁଣବାନ, ତେଜସ୍ଵୀ – ଗୁରୁ ମଧ୍ୟ ତାଙ୍କଠାରୁ ଅଧିକ ଗୁଣସମ୍ପନ୍ନ ହେବା ଆବଶ୍ୟକ । କେବଳ ଯେ ଗୁଡ଼ାଏ ଜ୍ଞାନ ବା ପାଣ୍ଡିତ୍ୟ ଥିଲେ ଜଣେ ଗୁରୁ ପଦବାଚ୍ୟ ହୋଇପାରିବେ ଏହା ନୁହେଁ । ଗୁରୁ ‘ଗୁ’ ରୁ ଗୁଣାତୀତ ଓ ‘ରୁ’ ରୁ ରୂପାତୀତ ହେବା ବିଧେୟ । ଗୁରୁଙ୍କର ଅନ୍ଧାରରୁ ଆଲୋକ ପ୍ରଦର୍ଶନ କରିବାର ଗୁଣ ନଥିଲେ ଶିଷ୍ୟ ତାଙ୍କଠାରୁ ବା କି ଦିଗ୍‌ଦର୍ଶନ ଗ୍ରହଣ କରିବ ! ଗୁରୁ ଆଦର୍ଶରେ ଶିଷ୍ୟ କିପରି ଅନୁପ୍ରାଣିତ ହୋଇପାରିବ !

    ବିବେକାନନ୍ଦ ବେଲୁର ମଠର ମଠାଧୀଶ ଓ ମା’ଙ୍କର ସଚ୍ଚା ଉପାସକ ରାମକୃଷ୍ଣ ପରମହଂସଙ୍କ ନିକଟରେ ପହଞ୍ଚିଲେ । ଦୁହିଁଙ୍କର ପ୍ରଥମ ସାକ୍ଷାତରେ ହିଁ ଗୁରୁଶିଷ୍ୟଙ୍କ ମଧୁର ସମ୍ପର୍କ ଗଢିଉଠିବାର ଆଭାସ ମିଳିଥିଲା । ରାମକୃଷ୍ଣଙ୍କ ଠାରେ ଗୁରୁ ହେବାର ସମସ୍ତ ଯୋଗ୍ୟତା ଥିବା ଅନୁଭବ କରି ବିବେକାନନ୍ଦ ତାଙ୍କୁ ହିଁ ଗୁରୁ ପଦରେ ଅଧିଷ୍ଠିତ କଲେ । ରାମକୃଷ୍ଣ ଶ୍ରଦ୍ଧାରେ ବିବେକାନନ୍ଦଙ୍କ ମଥା ଆଉଁଷି ଦେଇ କହିଲେ- ମା’ ତମକୁ ମୋ ପାଖକୁ ପଠାଇଛନ୍ତି । ମୁଁ ଏହା ବହୁ ପୂର୍ବରୁ ଅବଗତ ହୋଇସାରିଛି । କୌଣସି ପାରିବାରିକ ସମସ୍ୟା ତମ ମନରେ ଦୁଃଖ ଆଣିଦେଇଛି । ମାଆଙ୍କ କୃପାରୁ ତମେ ଠିକ୍ ସ୍ଥାନରେ ଆସି ପହଞ୍ଚିଛ । ବିବେକାନନ୍ଦ ଆଶ୍ଚର୍ଯ୍ୟ ହେଲେ- ସର୍ବଜ୍ଞ ଗୁରୁ ତାଙ୍କ ପରିବାରର ଦାରିଦ୍ର୍ୟ ବିଷୟ କେମିତି ଜାଣିଲେ ! ଗୁରୁ ରାମକୃଷ୍ଣଙ୍କୁ ସେ ଭକ୍ତି ଗଦଗଦ କଣ୍ଠରେ କହିଲେ- ମୋର ଏବଂ ପରିବାରର ଆର୍ଥିକ ଦୂରବସ୍ଥା ଦୂରେଇବା ପାଇଁ ଆପଣ ମା’କୁ ଜଣାନ୍ତୁ । ମୁଁ ଶୁଣିଛି ମା’ ଆପଣଙ୍କୁ ଦିବ୍ୟ ଦର୍ଶନ ଦେଇ ଆପଣଙ୍କ ହାତରୁ ସ୍ଵହସ୍ତରେ ଭୋଗ ଗ୍ରହଣ କରିଥାନ୍ତି । ସେ ନିଶ୍ଚୟ ଆପଣଙ୍କ କଥାଶୁଣି ମୋ ଦୁଃଖ ହରଣ କରିବେ । ରାମକୃଷ୍ଣ କହିଲେ- ସେ ଜଗତର ମା’ । ତମେ ନିଜେ ଯାଇ ମା’ଙ୍କ ପାଖରେ ତମ ଦୁଃଖ ଶୁଣାଅ । ବିବେକାନନ୍ଦ ମା’ଙ୍କ ନିକଟରେ ପହଞ୍ଚି ମୁଣ୍ଡିଆ ମାରିସାରି ଉଠି ଦେଖନ୍ତି ତ- ମା’ଙ୍କ ମୂର୍ତ୍ତି ଜୀବନ୍ତ ହୋଇ ତାଙ୍କ ଆଡକୁ ଚାହିଁ ସ୍ମିତହାସ୍ୟ ଖେଳେଇ କହୁଛନ୍ତି, ମାଗ ପୁତ୍ର ତମର କ’ଣ ଆବଶ୍ୟକ । ହଠାତ୍ ମା’ ନିଜ ସମ୍ମୁଖରେ ଉଭା ହେବା ଦେଖି ବିବେକାନନ୍ଦ ଚମକି ଉଠି ନିଜ ଚକ୍ଷୁକୁ ବିଶ୍ଵାସ କରିପାରିଲେ ନାହିଁ । ମସ୍ତକ ଅବନତ କରି କହିଲେ- ‘ପୁଅ କ’ଣ ମା’କୁ କିଛି ମାଗେ ? ମା’ ପୁଅର କଥା ଜାଣିପାରେନି ? ମୋର ମା’ ପାଖରେ ମାଗିବା ପାଇଁ କିଛି ନାହିଁ । କେବଳ ମା’ର ପଣତକାନିର ଆଶ୍ରୟ ପୁଅ ପାଇଁ ଯଥେଷ୍ଟ । ମା’ଙ୍କ ଦର୍ଶନ ପାଇ ବିବେକାନନ୍ଦଙ୍କ ଚକ୍ଷୁରୁ ଆନନ୍ଦ ଓ ଭକ୍ତିର ଅଶ୍ରୁ ନିର୍ଗତ ହେଲା । ତାଙ୍କୁ ଲାଗିଲା ମା’ ତାଙ୍କ ଆଖ‌ିର ଲୁହ ପୋଛି ମୁଣ୍ଡ ଆଉଁଷି ଦେଉଛନ୍ତି । ବାସ୍, ତା’ପରେ ଗୁରୁ ଓ ମା’ଙ୍କ ଆଶିଷ ପାଇ ବିବେକାନନ୍ଦ କିଛି ନମାଗି ସବୁକିଛି ପାଇଗଲେ ।

    କାହାଣୀ- ନିରଞ୍ଜନ ପତି

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.3 ° C
    28.3 °
    28.3 °
    84 %
    1.2kmh
    40 %
    Fri
    27 °
    Sat
    32 °
    Sun
    31 °
    Mon
    31 °
    Tue
    31 °

    ସମ୍ବନ୍ଧିତ