ନୂଆଦିଲ୍ଲୀ : ପ୍ରଥମଥର ପାଇଁ ୨୫ ବର୍ଷର ଇତିହାସରେ ନାସା ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରୁ ୪ ଜଣ ମହାକାଶଚାରୀଙ୍କୁ ସମୟ ପୂର୍ବରୁ ଫେରାଇ ଆଣିବା ସହ ତା’ର ମିଶନକୁ ସ୍ଥଗିତ ରଖିଛି । ଜଣେ ମହାକାଶଚାରୀଙ୍କୁ ଚିକିତ୍ସା ଆବଶ୍ୟକତା ଥିଲା । ବୁଧବାର ଦିନ, ୪ ଜଣ ମହାକାଶଚାରୀ ଏକ ସ୍ପେସ୍ଏକ୍ସ କ୍ୟାପସୁଲ୍ରେ ଆଇଏସ୍ଏସ୍ ଛାଡ଼ିଛନ୍ତି । ଏମାନଙ୍କ ମଧ୍ୟରେ ଆମେରିକା, ରୁଷିଆ ଓ ଜାପାନର ମହାକାଶଚାରୀ ଅନ୍ତର୍ଭୁକ୍ତ । ଏମାନେ ଗୁରୁବାର କାଲିଫର୍ନିଆ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ଅବତରଣ କରିବେ । ମିଶନରେ ନାସାର ଜେନା କାର୍ଡମ୍ୟାନ, ମାଇକ ଫିଙ୍କେ, ଜାପାନର କିମିଆ ୟୁଇ ଓ ରୁଷର ଓଲେଗ ପ୍ଲାଟୋନୋଭ ଥିଲେ । ଏହି ୪ ମହାକାଶଚାରୀଙ୍କୁ ୨୦୨୫ ଅଗଷ୍ଟରେ ଆଇଏସ୍ଏସ୍କୁ ପଠାଯାଇଥିଲା ଓ ଫେବୃଆରୀ ଶେଷ ସୁଦ୍ଧା ଫେରିବାକୁ ସ୍ଥିର କରାଯାଇଥିଲା । କିନ୍ତୁ ଜାନୁଆରୀ ୭ରେ ନାସା ହଠାତ କାର୍ଡମ୍ୟାନ ଓ ପିଙ୍କେଙ୍କ ସ୍ପେଶୱାର୍କ ବାତିଲ କରିଥିଲା । ଅର୍ଥାତ ଏମାନେ ଏହି ମହକାଶଚାରୀ ଦଳ ଆଇଏସ୍ଏସ୍ରେ ୧୬୭ ଦିନ ଅବସ୍ଥାନ କରିବା ସହ ମାଇକ୍ରୋଗ୍ରାଭିଟିରେ ଷ୍ଟେମ୍ ସେଲ୍ ଗବେଷଣା ସମେତ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ କରିଥିଲେ । ପରେ କ୍ରୁ ମେମ୍ବରଙ୍କ ଶୀଘ୍ର ଫେରିବା ସମ୍ପର୍କରେ ଘୋଷଣା କରିଥିଲା । ତେବେ ଚିକିତ୍ସା ସ୍ପେଶୱାକ ସହିତ ସମ୍ପର୍କିତ ନୁହେଁ ବୋଲି ନାସା ତରଫରୁ କୁହାଯାଇଛି । ଗୋପନୀୟତା ରକ୍ଷା କରି ଏ ନେଇ ଅଧିକ କୌଣସି ବିବରଣୀ ପ୍ରଦାନ କରାଯାଇନାହିଁ । ଉଲ୍ଲେଖଥାଉ କି, ପୂର୍ବରୁ ମଧ୍ୟ ନାସା ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲା । କିନ୍ତୁ ଏହା କାରଣରୁ ନାସାର ସମଗ୍ର ମିଶନ ପ୍ରଭାବିତ ହୋଇ ନଥିଲା । ୨୦୧୮, ୨୦୨୦ ଓ ୨୦୦୮ରେ ନାସା ମିଶନର ମହାକାଶଚାରୀମାନେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

