Wednesday, October 14, 2026
26.2 C
Odisha

    ନିଜସ୍ବ ପାଣ୍ଠି ସଂଗ୍ରହରେ ଗାଁ ରାସ୍ତା ନିର୍ମାଣ କରି ଉଦାହରଣ ସୃଷ୍ଟି କଲେ ଗଦିଙ୍ଗିଆ ଗ୍ରାମବାସୀ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ବର୍ଷ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କାର ଅର୍ଥ ବ୍ୟୟବରାଦ କରୁଛନ୍ତି । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କାନ୍ଦମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍‌ର କଳିଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଦିଙ୍ଗିଆ ଗ୍ରାମରେ । ଭାରତ ସ୍ୱାଧିନତା ହେବାର ୭୮ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଗ୍ରାମରେ ବିକାଶ ପହଞ୍ଚି ପାରିନାହିଁ । କଳିଙ୍ଗା ଗ୍ରାମପଞ୍ଚାୟତର ଗଦିଙ୍ଗିଆ ହେଉଛି ଏକ ରାଜସ୍ବ ଗ୍ରାମ । ବଣ ପାହାଡ଼ ଘେରା ପରିବେଶ ମଧ୍ୟରେ ଏହି ଗ୍ରାମ ଅବସ୍ଥିତ ହୋଇଥିବା ବେଳେ କଳିଙ୍ଗା ଗ୍ରାମପଞ୍ଚାୟତ ଠାରୁ ଗଦିଙ୍ଗିଆ ଗ୍ରାମର ଦୂରତା ୨.୫ କିଲୋମିଟର । ଏହି ଗ୍ରାମରେ ୬୫ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରୁଛନ୍ତି ।

    ରାସ୍ତା ନିର୍ମାଣ ପ୍ରସ୍ତାବ ସରକାରୀ କାଗଜ କଲମ ମଧ୍ୟରେ ସୀମିତ ହୋଇ ରହିଯାଇଛି। ଉକ୍ତ ଗ୍ରାମର ବିକାଶ ପାଇଁ ଗଟାମାହା ଗ୍ରାମର ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ଏବଂ କଳିଙ୍ଗା ର ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ବାରମ୍ବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଚିଠିପତ୍ର ଲେଖି ସରକାରଙ୍କୁ ଅବଗତ କରାଇବା ପରେ ରାଜ୍ୟ ସରକାରଙ୍କ ତରଫରୁ ଉକ୍ତ ଗ୍ରାମର ବିକାଶ ପାଇଁ ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା।

    କିନ୍ତୁ ଗ୍ରାମର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଏହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାରଙ୍କୁ ଉଭୟ ପଞ୍ଚାୟତ ଏବଂ ବ୍ଲକ୍ ପ୍ରଶାସନ ତରଫରୁ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ କରାଯାଉଛି, ବିଧିବଦ୍ଧ ଭାବେ ଉଭୟ ବ୍ଲକ୍ ପ୍ରଶାସନ ଏବଂ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅସହଯୋଗ ଏବଂ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ଗଦିଙ୍ଗିଆ ଗ୍ରାମର ବିକାଶ ହୋଇପାରିଲା ନାହିଁ । ନିର୍ବାଚନ ସମୟ ଆସିଲେ ନେତାମାନେ ଉକ୍ତ ଗ୍ରାମର ବିକାଶ ପାଇଁ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ନିର୍ବାଚନ ସରିବା ପରେ ଆଉ ସେହି ପ୍ରତିଶ୍ରୁତି କାର୍ଯ୍ୟ କରନ୍ତି ନାହିଁ ଏବଂ ପରବର୍ତ୍ତୀ ସମୟରେ ଗ୍ରାମକୁ ମଧ୍ୟ ଯାଆନ୍ତି ନାହିଁ ।

    ତେଣୁ ଆଗାମୀ ଦିନରେ ତୁରନ୍ତ ଉକ୍ତ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ସଡ଼କ ନିର୍ମାଣ, ସ୍ୱାସ୍ଥ୍ୟ, ଇଣ୍ଟରନେଟ ସେବା, ଗୋଷ୍ଠୀ ଗୃହ ନିର୍ମାଣ, ଗ୍ରାମୀଣ ଆଲୋକିକରଣ ଏବଂ ସ୍ୱଚ୍ଛ ପାନୀୟଜଳ ଯୋଗାଣ ସହ ଗ୍ରାମବାସୀଙ୍କୁ ଆବାସ ଯୋଜନା ମାଧ୍ୟମରେ ସାମିଲ କରି ଘର ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରୁଛନ୍ତି। ଜାତୀୟ ରାଜପଥ ଠାରୁ ୨କିମି ଦୂରରେ ଗାଁ ତଥାପି ବିକାଶ ସ୍ପର୍ଶ କରିପାରିନି।

    କନ୍ଧମାଳର ବିକାଶର ନଗ୍ନ ନମୁନା ଗଦିଙ୍ଗିଆ ପାଲଟିଛି।ବିକାଶ ଚାଲିଛି କାଗଜ କଲମରେ । ବିକାଶ ନାମରେ ଚାଲିଛି ଲୁଟ। ଗଦିଙ୍ଗିଆ ଗାଁକୁ ପକ୍କା ରାସ୍ତା ନିର୍ମାଣ କରିଦେଲେ ଆଉ ଏମଜିଏନଆରଜିଏସ ଯୋଜନାରେ ମାଟି ପକେଇ ଲୁଟ୍ କରିବାର ସୁଯୋଗ ମିଳିପାରିବ ନାହିଁ।  ଏଣୁ ପକ୍କା ରାସ୍ତା ନିର୍ମାଣ ପାଇଁ ଆଗ୍ରହ ଦେଖାଉ ନାହାନ୍ତି କୌଣସି ଅଧିକାରୀ।ଏକ ପ୍ରକାର ଜଙ୍ଗଲୀ ଜୀବନ ଯାପନ କରୁଛନ୍ତି ଗଦିଙ୍ଗିଆ ଗ୍ରାମବାସୀ।ନାମକୁ ମାତ୍ର ସ୍ୱାଧୀନତା ମିଳିଛି ଦେଶକୁ ହେଲେ ସ୍ବାଧୀନତାର ସ୍ୱାଦ ପହଁଚିନି ଗଦିଙ୍ଗିଆ ଗାଁରେ। ଗଦିଙ୍ଗିଆ ଗାଁ ଏକ ଆଦିବାସୀ ଅଧ୍ୟୁଷିତ ଜଙ୍ଗଲ ପାହାଡ଼ ଘେରା ଗାଁ ଯେଉଁଠି ନିରୀହ ଅବହେଳିତ ଲୋକ ଏକ ପ୍ରକାର ଜଙ୍ଗଲୀ ଜୀବନଯାପନ କରୁଥିବା ବେଳେ ସେମାନଙ୍କ ସମସ୍ୟାକୁ କେହି କର୍ଣ୍ଣପାତ କରୁନାହାନ୍ତି।

    ଏଣୁ ଏହି ଗ୍ରାମ ପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିକାଶ ସ୍ରୋତରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଆସୁଛନ୍ତି।ବାରମ୍ବାର ଗ୍ରାମବାସୀ ନିଜ ସମସ୍ୟା ସମ୍ପର୍କରେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଲୋକପ୍ରତିନିଧିଙ୍କୁ ଲିଖିତ ଭାବେ ଜଣେଇବା ସତ୍ତ୍ୱେ କୌଣସି ସୁଫଳ ମିଳିପାରିଲାନି। ସ୍ଥାନୀୟ ପ୍ରଶାସନ ଏହି ଗାଁ ଏକ ଦୁର୍ଗମ ଏବଂ ଅପହଞ୍ଚ ଗାଁ ଭାବେ ଏହି ଗାଁରେ ଗାଁର ପରିବର୍ତ୍ତନ ପାଇଁ ପରିବର୍ତ୍ତନ ମେଳା ଆୟୋଜନ କଲା।ଗାଁରେ ଜିଲ୍ଲା ର ଏବଂ ସ୍ଥାନୀୟ ଅଞ୍ଚଳର ପ୍ରଶାସନିକ ଅଧିକାରୀ ବିଭିନ୍ନ ବିଭାଗର ଅଧିକାରୀ ମାନେ ପହଁଚିଲେ ସମସ୍ୟା ଦେଖିଲେ ଶୁଣିଲେ ହେଲେ କିଛି କଲେନି କିଛି ବି ପରିବର୍ତ୍ତନ ହେଲାନି।ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଗ୍ରାମବାସୀ ଏକ ଲିଖିତ ଅଭିଯୋଗ ସମସ୍ତଙ୍କୁ ଜଣେଇଲେ ଆମ ସମସ୍ୟାର ସମାଧାନ କର ନଚେତ ଆମେ ଭୋଟ ବର୍ଜନ କରିବୁ ବୋଲି ଜଣେଇଲେ ହେଲେ କିଛି ଫରକ ପଡ଼ିଲାନି।

    ଶେଷରେ ଗଦିଙ୍ଗିଆ ବାସୀ ଭୋଟ ବର୍ଜନ କଲେ। ଅପେକ୍ଷା କରିଥିଲେ ଦୀର୍ଘ ୨୫ବର୍ଷର ସରକାର ଆମ ସମସ୍ୟା ବୁଝିଲେନି ବର୍ତମାନ ନୂଆ ସରକାର ନୂଆ ସାଂସଦ ନୂଆ ବିଧାୟକ  ସମସ୍ୟାର ସମାଧାନ କରିବେ ବୋଲି ଆଶା ରଖି  ଇତି ମଧ୍ୟରେ ୭ମାସ ବିତିଗଲା ପରେ ସମସ୍ତଙ୍କ ଉପରୁ ଭରଷା ତୁଟେଇ ନିଜ ଗାଁ ରାସ୍ତା ନିଜସ୍ୱ ଉଦ୍ୟମରେ ନିଜସ୍ୱ ପାଣ୍ଠି ସଂଗ୍ରହ କରି ଶ୍ରମଦାନ କରି ଗଦିଙ୍ଗିଆ ଗ୍ରାମବାସୀ ଏକତ୍ରିତ ହୋଇ ଆଜି ନିଜ ଗାଁ ରାସ୍ତା ନିଜେ ନିର୍ମାଣ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

    ବିନା ସରକାରୀ ଅନୁଦାନରେ ଏହି ଗ୍ରାମବାସୀ ଗୋଡ଼ି ବାଲି ସିମେଣ୍ଟ ଆଣି ରାସ୍ତା ନିର୍ମାଣ କରୁଛନ୍ତି। ଏହିଭଳି ଦୃଶ୍ୟ ଦେଖିବା ପରେ ସରକାରଙ୍କ ମାଳମାଳ ଯୋଜନା ଫିୟୁଜ ହେଲା ଭଳି ମନେ ହେଉଛି। ଯେଉଁଠି ସରକାର ଏବଂ ପ୍ରଶାସନ ଫେଲ୍ ସେଠି ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ପାଣ୍ଠି ସଂଗ୍ରହ କରି ଶ୍ରମଦାନ କରି ପକ୍କା କଂକ୍ରିଟ ରାସ୍ତା ନିର୍ମାଣ କରିବା ଏହି ସମାଜ ପାଇଁ ଏକ ନୂତନ ଉଦାହରଣ ସୃଷ୍ଟି ହୋଇଛି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଗରିବ ଅଞ୍ଚଳରେ।

    ଏଭଳି ମହତ୍ କାର୍ଯ୍ୟକୁ ଗଦିଙ୍ଗିଆ ଗ୍ରାମର ଗ୍ରାମ ସଭାପତି ବାବୁଲା ପ୍ରଧାନ, ଉତ୍ସବ ପ୍ରଧାନ, ମିଟୁ ପ୍ରଧାନ, ଦେବରାଜ ପ୍ରଧାନ, ବିକାଶ ମଲ୍ଲିକ, ସନ୍ତୋଷ ମଲ୍ଲିକ, ସୁବାସ ଦିଗାଲ, ଜଗଦୀଶ ପ୍ରଧାନ, ଶ୍ରୀହରି ପ୍ରଧାନ, ସୁବ୍ରତ ଦିଗାଳ ସମେତ ଅନେକ ଲୋକ ନିଜସ୍ୱ ପାଣ୍ଠି ପ୍ରଦାନ ସହ ଶ୍ରମଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ