ନୂଆଦିଲ୍ଲୀ : ନିଟ୍-ୟୁଜି ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସିର ଖବର । ଜୁନ୍ ୨୧ ତାରିଖରେ ହେବାକୁ ଥିବା ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି କରିଛି NTA । ନିଟ୍ ପରୀକ୍ଷା ସମୟ ଅବଧି ୧୯୫ ମିନିଟକୁ ବୃଦ୍ଧି । ଆସନ୍ତା ୨୧ ତାରିଖରେ ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍ ଯାଏଁ ହେବ ପରୀକ୍ଷା ହଲରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ନିଟ୍ ପରୀକ୍ଷାର୍ଥୀମାନଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍ ସମୟ ।
ପ୍ରଶ୍ନପତ୍ର ବୁକଲେଟରେ ନୂତନ ଲେଆଉଟ୍ ଡିଜାଇନ୍ ହୋଇଛି । ପରୀକ୍ଷାର୍ଥୀଙ୍କୁ ରଫୱାର୍କ କରିବା ପାଇଁ ପେଜ୍ ସଂଖ୍ୟା ବଢାଯାଇଛି । ଦୁଇଟି ପେଜ୍ ବଦଳରେ ୪ଟି ପେଜ୍ ମିଳିବ । ପୂର୍ବରୁ ରଫ୍ ୱାର୍କ ପୃଷ୍ଠାଗୁଡ଼ିକ କେବଳ ଶେଷରେ ରହୁଥିଲା । ବର୍ତ୍ତମାନ ନିର୍ଦ୍ଦେଶନାମା ପୃଷ୍ଠା ପରେ ଆରମ୍ଭରୁ ଦୁଇଟି ପୃଷ୍ଠା ଓ ଶେଷରେ ଆଉ ଦୁଇଟି ପୃଷ୍ଠା ରହିବ । ଏହି ବ୍ୟବସ୍ଥା ବିଶେଷକରି ବାମ ହାତରେ ଲେଖୁଥିବା ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ କରାଯାଇଛି ।
ନିଟ୍-ୟୁଜି ୨୦୨୬ର ପୁନଃ ପରୀକ୍ଷା ଆସନ୍ତା ୨୧ ତାରିଖରେ ହେବାକୁ ଯାଉଛି । ମେ’ ମାସରେ ହୋଇଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ଏହାକୁ ଆଉଥରେ କରାଯାଉଛି । ପୁନଃ ପରୀକ୍ଷାର ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ଲାଗି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଅନେକ ନୂଆ ପଦକ୍ଷେପ ନେଇଛି ।
ନିଟ୍ ପରୀକ୍ଷା ଲାଗି ପ୍ରଶ୍ନପତ୍ର ତିଆରି କରିଥିବା ବିଭିନ୍ନ ବିଷୟ ବିଶେଷଜ୍ଞ, ଶିକ୍ଷକ, ଅନୁବାଦକ ଓ ଅନ୍ୟ କର୍ମଚାରୀଙ୍କୁ ଆଇସୋଲେସନରେ ରଖାଯାଇଛି । ଏହି କର୍ମଚାରୀମାନଙ୍କୁ ପରିବାର ଓ ଅନ୍ୟ କାହା ସହିତ ମିଶିବାକୁ ସୁଯୋଗ ଦିଆଯାଉ ନାହିଁ । ଏପରି କି ସେମାନଙ୍କୁ ମୋବାଇଲ, ଇଣ୍ଟରନେଟ୍ ଓ ଅନ୍ୟ ଯୋଗାଯୋଗ ଉପକରଣ ସବୁ ବାରଣ କରାଯାଇଛି । କର୍ମଚାରୀମାନେ ରହୁଥିବା ଘରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଜୁନ୍ ୨୧ ତାରିଖ ଅର୍ଥାତ୍ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଏପରି ଆଇସୋଲେସନ ବା ଲକ୍ଡାଉନ କରି ରଖାଯିବ । ସେହିପରି ପ୍ରଶ୍ନପତ୍ରକୁ ପରିବହନ ପାଇଁ ବାୟୁସେନାର ହେଲିକପ୍ଟର ମୁତୟନ କରାଯାଇଛି । ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ପାଇଁ ଦେଶବ୍ୟାପୀ ୫ଲକ୍ଷ ସୁରକ୍ଷାକର୍ମୀ ମୁତୟନ କରାଯିବାର ବ୍ୟବସ୍ଥା ହୋଇଛି ।
