Sunday, April 12, 2026
25.2 C
Odisha

    ନିଯୁକ୍ତି ପରୀକ୍ଷା ବାତିଲ; ବ୍ୟବସ୍ଥାକୁ ସୁଦୃଢ଼ ଓ ତ୍ରୁଟିମୁକ୍ତ କରାଯାଉ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାରେ ସରକାରୀ ନିଯୁକ୍ତି ପରୀକ୍ଷାଗୁଡ଼ିକ ବାରମ୍ବାର ବାତିଲ ହେବା ଏବଂ ଏଥିରେ ଜଡ଼ିତ ବ୍ୟାପକ ଅନିୟମିତତା ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଗଭୀର ନିରାଶା ଓ ଅସନ୍ତୋଷ ସୃଷ୍ଟି କରିଛି। କେବଳ ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ନୁହେଁ, ଗତ କିଛି ମାସ ମଧ୍ୟରେ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା, ରାଜସ୍ୱ ନିରୀକ୍ଷକ, ଅମିନ, ଆଇସିଡିଏସ୍ ସୁପରଭାଇଜର ଏବଂ ଓଟିଇଟି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାମୂଳକ ପରୀକ୍ଷା ଅନିଶ୍ଚିତତା ଭିତରକୁ ଠେଲି ହୋଇଯିବା ପ୍ରଶାସନିକ ଦାୟିତ୍ୱବୋଧ ଏବଂ ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

    ସୂଚନାନୁସାରେ ୯୩୩ଟି ପୁଲିସ ଏସଆଇ ପଦ ପୂରଣ ପାଇଁ ‘ଆଇଟିଆଇ ଲିମିଟେଡ୍‌’ ଭଳି ଏକ କେନ୍ଦ୍ରୀୟ ଉଦ୍ୟୋଗ ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଥିଲେ ମଧ୍ୟ, ଏହା କିଛି ଘରୋଇ ସଂସ୍ଥାକୁ ସେ କାମ ଦେବା (ଆଉଟସୋର୍ସିଂ) ଏକ ବଡ଼ ଭୁଲ ପ୍ରମାଣିତ ହୋଇଛି। ଏହି ସଂସ୍ଥାଗୁଡ଼ିକର ପୂର୍ବ ଅଭିଜ୍ଞତା ଓ ବିଶ୍ୱସନୀୟତାକୁ ଯାଞ୍ଚ ନକରିବା ଏବଂ ଗୁଆହାଟୀ ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳନାରେ ‘ଆଇଟିଆଇ ଲିମିଟେଡ୍‌’ର ବିବାଦୀୟ ଭୂମିକା ସତ୍ତ୍ୱେ ଏହା ଉପରେ ଭରସା କରିବା ଅନେକ ସନ୍ଦେହ ସୃଷ୍ଟି କରୁଛି। ଆନ୍ଧ୍ରପ୍ରଦେଶ ପୁଲିସ ଦ୍ୱାରା ଶ୍ରୀକାକୁଲମ୍‌ରୁ ୧୧୪ ଜଣ ପରୀକ୍ଷାର୍ଥୀ ଧରାପଡ଼ିବା ପରେ ଓଡ଼ିଶା ପୁଲିସ ଏ ଦିଗରେ ସକ୍ରିୟ ହେଲା। ଏହି ଅନିୟମିତତା ପଛରେ ଏକ ବଡ଼ ଧରଣର ରାକେଟ୍ ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସମ୍ପୃକ୍ତିକୁ ସୂଚାଉଛି। କେବଳ ବିଚରା ପରୀକ୍ଷାର୍ଥୀଙ୍କୁ ବଳି ପକାଇ ମୂଳ ଷଡ଼ଯନ୍ତ୍ରକାରୀଙ୍କୁ ଖସାଇ ଦେବାର ଚର୍ଚ୍ଚା ଏଥିରେ ସରକାରୀ ଅଧିକାରୀଙ୍କ ସମ୍ଭାବ୍ୟ ସମ୍ପୃକ୍ତି ସହ ରାଜ୍ୟରେ ଦୁର୍ନୀତିର ଗଭୀରତାକୁ ପ୍ରମାଣିତ କରୁଛି। ରାଜକୋଷରୁ ୬/୭ କୋଟି ଟଙ୍କା କ୍ଷତି ହେବା ସତ୍ତ୍ୱେ ଦାୟିତ୍ବରେ ଥିବା କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଏକ ଦୁଭାର୍ଗ୍ୟଜନକ ଘଟଣା ବୋଲି ଚର୍ଚ୍ଚା ହେଉଛି।
    ଏହି ପ୍ରସଙ୍ଗରେ ବିରୋଧୀଦଳ ମଧ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟର ୩ଟି ପ୍ରମୁଖ ସରକାରୀ ନିଯୁକ୍ତି ସଂସ୍ଥା ଓଡ଼ିଶା ଲୋକସେବା ଆୟୋଗ, ଷ୍ଟାଫ ସିଲେକ୍ସନ କମିସନ ଓ ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ ସଂସ୍ଥା ଥାଉଥାଉ ‘ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ’ର ତୃତୀୟ ପକ୍ଷ ଉପରେ ନିର୍ଭରଶୀଳତା ପରୀକ୍ଷାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ସନ୍ଦେହ ଘେରକୁ ଠେଲି ଦେଇଛି। ଏହା କେବଳ ହଜାର ହଜାର ଯୁବକଯୁବତୀଙ୍କ ବର୍ଷ ବର୍ଷର ପରିଶ୍ରମ ଓ ସ୍ୱପ୍ନକୁ ଧୂଳିସାତ୍ କରୁନାହିଁ; ବରଂ ରାଜ୍ୟର ସାମାଜିକ ଓ ଆର୍ଥିକ ପ୍ରଗତିକୁ ମଧ୍ୟ ପ୍ରତିକୂଳ ଭାବରେ ପ୍ରଭାବିତ କରୁଛି।

    ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ବଡ଼ ଆହ୍ୱାନ। ଏକ ଦାୟିତ୍ୱବାନ୍‌ ଓ ଉତ୍ତରଦାୟୀ ଶାସନ ପ୍ରତିଷ୍ଠା କରି ଯୁବପିଢ଼ିଙ୍କ ବିଶ୍ୱାସ ଫେରାଇ ଆଣିବାକୁ ହେବ। ଗୋଟିଏ ପଟେ ଆଗାମୀ ଦିନରେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟା ବ୍ୟାପକ ହେବା ଆମର ନିଯୁକ୍ତି ଆଶାୟୀ ପିଲାମାନଙ୍କ ମନରେ ଆଶା ସୃଷ୍ଟି କରିଥିବାବେଳେ ସରକାରୀ ପରୀକ୍ଷାରେ ଏଭଳି ବିଭ୍ରାଟ ଘଟି ବାରମ୍ବାର ସ୍ଥଗିତ ହେବା ସେମାନଙ୍କୁ ନିରାଶ କରୁଛି। ତେଣୁ ଏକ ନିରପେକ୍ଷ ତଦନ୍ତ ମାଧ୍ୟମରେ ସମସ୍ତ ଦୋଷୀଙ୍କୁ, ସେ ଯେତେ ପ୍ରଭାବଶାଳୀ ହୁଅନ୍ତୁ ନା କାହିଁକି, ଦଣ୍ଡିତ କରିବା ଏକାନ୍ତ ଆବଶ୍ୟକ। ସମଗ୍ର ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ଦୃଢ଼ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ହେବ, ଯାହାଦ୍ୱାରା ଓଡ଼ିଶାର ଯୁବକଯୁବତୀମାନେ ଏକ ସୁରକ୍ଷିତ ଭବିଷ୍ୟତର ଆଶା ରଖିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    17 %
    1.7kmh
    0 %
    Sat
    25 °
    Sun
    40 °
    Mon
    41 °
    Tue
    42 °
    Wed
    44 °

    ସମ୍ବନ୍ଧିତ