ହାଇଦ୍ରାବାଦ : ଅମାନବୀୟ, ହୃଦୟବିଦାରକ, ଅବିଶ୍ବସନୀୟ । ବୁଲାକୁକୁରଙ୍କୁ ଭୁଲ ଇଞ୍ଜେକସନ ଦେଇ ମାରିଦେଲେ । ପ୍ରାଣଘାତୀ ଇଞ୍ଜେକସନରେ ୫ଶହ କୁକୁରଙ୍କ ମୃତ୍ୟୁ ହୋଇଛି । ବୁଲା କୁକୁରଙ୍କ ଠାରୁ ରକ୍ଷା ପାଇବା ପାଇଁ ଏଭଳି ନୃଶଂସ ପଦକ୍ଷେପକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । କୁକୁରଙ୍କୁ ମାରିବାକୁ, ପୂର୍ବରୁ କରାଯାଇଥିଲା ଯୋଜନା । ନିର୍ବାଚନ ପ୍ରତିଶୃତି ପାଳନ କରିବାକୁ ଯାଇ ୫ଶହ କୁକୁରଙ୍କ ଜୀବନ ନେଇଗଲେ । ଘଟଣା ଘଟିଛି ତେଲଙ୍ଗାନାରେ । ପୋଲିସ ଏ ଘଟଣାରେ ତଦନ୍ତ ଆରମ୍ଭ କରିଛି । ୧୫ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ ।
ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ସମ୍ପ୍ରତି ଗ୍ରାମ ପଞ୍ଚାୟତ ନିର୍ବାଚନ ସମୟରେ ଅନେକ ପ୍ରାର୍ଥୀ ବୁଲା କୁକୁର ଆକ୍ରମଣ ବୃଦ୍ଧି ନେଇ ଚିନ୍ତିତ ବାସିନ୍ଦାଙ୍କୁ କୁକୁରମୁକ୍ତ ଗ୍ରାମ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ, ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରାୟ ୫୦୦ କୁକୁରଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ୧୨ ଜାନୁଆରୀ ୨୦୨୬ରେ ଷ୍ଟ୍ରେ ଆନିମଲ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ପଶୁ ନିଷ୍ଠୁରତା ନିବାରଣ ପରିଚାଳକ ଆଦୁଲାପୁରମ୍ ଗୌତମ ମାଚାରେଡ୍ଡି ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଥିଲେ । ଗୌତମ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ ଯେ ଗତ ଦୁଇରୁ ତିନି ଦିନ ମଧ୍ୟରେ ପାଲଭଞ୍ଚା ମଣ୍ଡଳରେ ପ୍ରାୟ ୨୦୦ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି।
ଜଣେ ବ୍ୟକ୍ତି ଏକ କୁକୁରକୁ ଇଞ୍ଜେକ୍ସନ ଦେଉଥିବାର ଭିଡିଓ ଭାଇରାଲ ହେଉଛି । ଜଗତିଆଲ ଜିଲ୍ଲାର ଧର୍ମପୁରୀ ପୌରପାଳିକାରେ ଏକ ଭୟଙ୍କର ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଏକ କୁକୁରକୁ ବିଷ ଇଞ୍ଜେକ୍ସନ ଦେଉଥିବାର ଦେଖାଯାଇଛି । ଗୋଟିଏ ମିନିଟ୍ ମଧ୍ୟରେ କୁକୁରଟି ତଳେ ପଡ଼ିଗଲା । ଭିଡିଓରେ ରାସ୍ତାରେ ଆଉ ଦୁଇଟି କୁକୁରଙ୍କ ମୃତଦେହ ମଧ୍ୟ ଦେଖାଯାଇଥିଲା ।

