Wednesday, October 7, 2026
23.2 C
Odisha

    ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଇଭିଏମ୍ ଡାଟା ନଷ୍ଟ କରିପାରିବେ ନାହିଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ସଂରକ୍ଷିତ ନିର୍ବାଚନୀ ତଥ୍ୟକୁ ନଷ୍ଟ ନ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପରେ ଇଭିଏମ୍ ଯାଞ୍ଚ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି ବେଳେ କୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଇଭିଏମ୍‌ରୁ କୌଣସି ଡାଟା ନଷ୍ଟ କରନ୍ତୁ ନାହିଁ କିମ୍ବା ଏଥିରେ କୌଣସି ନୂଆ ଡାଟା ପୁନଃ ଲୋଡ୍ କରନ୍ତୁ ନାହିଁ। ପୁନଃ ଯାଞ୍ଚ ପ୍ରକ୍ରିୟା ପାଇଁ ଇଭିଏମ୍‌ ମେମୋରି ସୁରକ୍ଷିତ ରଖିବାକୁ ପଡ଼ିବ ଏ ବାବଦ ସ୍ଥିତି ସ୍ପଷ୍ଟ ହେବାପରେ ଡାଟା ସୁରକ୍ଷା ନେଇ ପରବର୍ତ୍ତୀ ନିର୍ଦ୍ଦେଶ ଦିଆଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।ନିର୍ବାଚନ ସରିବା ପରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା କ’ଣ ବୋଲି ସୁପ୍ରିମକୋର୍ଟ ଆଜି ନିର୍ବାଚନ କମିସନଙ୍କୁ ଏ ବାବଦ ଏକ ଶୁଣାଣି ସମୟରେ ପ୍ରଶ୍ନ କରିଛନ୍ତି। ନିର୍ବାଚନ ପରେ ଇଭିଏମ୍ ମେମୋରି ଓ ମାଇକ୍ରୋକଣ୍ଟ୍ରୋଲର ପୋଡ଼ି ଦିଆଯାଉଥିବାରୁ ପ୍ରକ୍ରିୟା ସମ୍ପର୍କରେ ଏବେ ନିର୍ବାଚନ କମିସନ ଅଦାଲତଙ୍କୁ ଅବଗତ କରାଇବେ। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍‌)ପକ୍ଷରୁ ଏକ ପିଟିସନରେ ଦାବି କରାଯାଇଛି ଯେ ଭୋଟ ଗଣତି ସରିବା ପରେ ମଧ୍ୟ ମେସିନ୍‌ରୁ ତଥ୍ୟ ନଷ୍ଟ କରାଯିବା ଉଚିତ ନୁହେଁ। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜନସ୍ୱାର୍ଥ ମାମଲାର ଶୁଣାଣି କରିଥିଲେ।

    ସିଜେଆଇ ଖାନ୍ନା କହିଛନ୍ତି, ଇଭିଏମ୍‌ ଡାଟାର ସୁରକ୍ଷା ନେଇ ଏଭଳି ନିଷ୍ପତ୍ତି କୌଣସି ବିରୋଧାତ୍ମକ ନୁହେଁ। ପରାଜିତ ପ୍ରାର୍ଥୀ ସ୍ପଷ୍ଟୀକରଣ ଚାହିଲେ ଇଭିଏମ୍ ତ୍ରୁଟି ହୋଇନାହିଁ ବୋଲି ଇଂଜିନିୟର ସ୍ପଷ୍ଟୀକରଣ ଦେଇପାରିବେ। ଇଭିଏମ୍‌ରେ କୌଣସି ତ୍ରୁଟି ହୋଇନଥିବା ଦର୍ଶାଯାଇଥିବାରୁ ପେସାଦାର ଇଞ୍ଜିନିୟରଙ୍କ ଦ୍ୱାରା ଇଭିଏମ୍‌ର ପୋଡ଼ା ଯାଇଥିବା ମେମୋରି ଓ ମାଇକ୍ରୋକଣ୍ଟ୍ରୋଲର ଯାଞ୍ଚ କରାଯାଉ ବୋଲି ଆବେଦନକାରୀ ଦୃଢ଼ ଯୁକ୍ତି ଦର୍ଶାଇଥିବା ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି ଏଭଳି ମତ ରଖିଛନ୍ତି। ଅଭିଯୋଗ ସ୍ଥିତିରେ ଡାଟା ଯାଞ୍ଚକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ହେବ ଏବଂ ଏହାଦ୍ବାରା ସନ୍ଦେହ ଦୂର କରିବା ସହଜ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

    ଏଡିଆର୍‌, ହରିୟାଣା କଂଗ୍ରେସ ନେତା ସର୍ବ ମିତ୍ତର ଏବଂ କରଣ ସିଂହ ଦଲାଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ ଇଭିଏମ୍‌ର ମୂଳ ଜଳିଯାଇଥିବା ମେମୋରି/ମାଇକ୍ରୋକଣ୍ଟ୍ରୋଲର ଯାଞ୍ଚ ପାଇଁ ଏକ ନୀତି ପ୍ରଣୟନ କରିବାକୁ ମଧ୍ୟ ଦାବି କରାଯାଇଛି। କୌଣସି ନିର୍ଦ୍ଦିଷ୍ଟ ନୀତି ନଥାଇ ଏଭଳି ନଷ୍ଟ ପ୍ରକ୍ରିୟା କେଉଁ ଆଧାରରେ ଅବଲମ୍ବନ କରାଯାଉଛି ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି। ନିର୍ବାଚନ ଫଳାଫଳ ନେଇ ସନ୍ଦେହ ଓ ଇଭିଏମ୍ ଟେମ୍ପରିଂ ଆଶଙ୍କାର ଯାଞ୍ଚ ପାଇଁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୭ରେ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ