Tuesday, September 29, 2026
23.1 C
Odisha

    ନୀତିନ ନବୀନ ହେଲେ ବିଜେପି ସଭାପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ଦଳର ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଗତକାଲି ଅନୁଷ୍ଠିତ ଦଳର ସଭାପତି ନିର୍ବାଚନ ପ୍ରକ୍ରିୟାରେ ନୀତିନ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ସମୟ ଅତିକ୍ରମ କରିବା ପରେ ନୀତିନଙ୍କ ପ୍ରାର୍ଥିପତ୍ରକୁ ବୈଧ ଦର୍ଶାଇବା ପୂର୍ବକ ରିଟର୍ଣ୍ଣିଂ ଅଫିସର ତଥା ଦଳର ରାଜ୍ୟସଭା ସଦସ୍ୟ କେ ଲକ୍ଷ୍ମଣ ନୀତିନଙ୍କୁ ସଭାପତି ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ। ମଙ୍ଗଳବାର ଆନୁଷ୍ଠାନିକ ଭାବେ ନିର୍ବାଚନ ଫଳ ପ୍ରକାଶ ପରେ  ସେ ଜେପି ନଡ୍ଡାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ। ସଭାପତି ନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ଦାଖଲ କରାଯାଇଥିଲା। ନୀତିନ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାଙ୍କ ସପକ୍ଷରେ ୩୭ ସେଟ୍ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ଅନ୍ୟ କେହି ତାଙ୍କ ବିରୋଧରେ ପ୍ରାର୍ଥିପତ୍ର ଦାଖଲ କରି ନଥିଲେ।
    କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଭାପତି ନିର୍ବାଚନ ପାଇଁ ନୀତିନଙ୍କ ସପକ୍ଷରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ ଓ କିରଣ ରିଜିଜୁ ପ୍ରମୁଖ ଉପସ୍ଥିତ ରହିଥିଲେ। କେ ଲକ୍ଷ୍ମଣ ନିର୍ବାଚନ ପରିଚାଳନାରେ ରିଟର୍ଣ୍ଣି ଅଫିସର ଦାୟିତ୍ବ ନିର୍ବାହ କରିଥିଲେ। ଏହା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁଷ୍କର ସିଂହ ଧାମି, ନାଏବ ସିଂହ ସୈନି, ପ୍ରମୋଦ ସାୱନ୍ତ ଭଳି ନେତାମାନେ ନୀତିନଙ୍କ ସପକ୍ଷରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହା ପରେ ଦଳର ଅନ୍ୟ ରାଜ୍ୟର ନେତାମାନେ ନୀତିନଙ୍କ ସପକ୍ଷରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନୀତିନ ନବୀନଙ୍କୁ ଗତ ଡିସେମ୍ବର ୧୪ରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା।
    ବିହାରର ପାଟନାରେ ୧୯୮୦ ମେ ୨୩ରେ ଜନ୍ମ ଗ୍ରହଣ କରିଥିବା ନୀତିନ ଏବେ ବିହାର ସରକାରରେ ସଡକ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଅଛନ୍ତି। ସେ ଦିଲ୍ଲୀର ସିଏସ୍‌କେଏମ୍ ପବ୍ଲିକ ସ୍କୁଲରୁ ଇଣ୍ଟରମିଡିଏଟ୍ ପାସ୍ କରିଛନ୍ତି।  ତାଙ୍କ ପିତା ନବୀନ କିଶୋର ପ୍ରସାଦ ସିହ୍ନା ବିଜେପିର ଜଣେ ପ୍ରମୁଖ ନେତା ଥିଲେ। ୨୦୦୬ରେ ପିତା ନବୀନ କିଶୋରଙ୍କ ମୃତ୍ୟୁ ପରେ ସେ ସକ୍ରିୟ ନିର୍ବାଚନ ରାଜନୀତିକୁ ଆସିଥିଲେ। ପାଟନା ୱେଷ୍ଟ ଆସନରୁ ସେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ବାଙ୍କିପୁର ଆସନରୁ ୨୦୧୦ରୁ ବିଧାୟକ ଭାବେ କ୍ରମାଗତ ୪ଥର ନିର୍ବାଚିତ ହୋଇଆସିଲେଣି। ଛାତ୍ର ଜୀବନରେ ସେ ଏବିଭିପି ସହିତ ରହି କାର୍ଯ୍ୟ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ