ପୁରୀ : କୋଟିକୋଟି ଶ୍ରଦ୍ଧାଳୁଙ୍କୁ ପୁଣି ଥରେ ଆଘାତ ଲାଗିଛି, ଯେତେବେଳେ ଶ୍ରୀମନ୍ଦିର ଉପରେ ଆଜି ଅପରାହ୍ଣରେ ଦୁଇଟି ଡ୍ରୋନ୍ ଉଡ଼ିଛି। ମହାପ୍ରଭୁଙ୍କର ରତ୍ନଭଣ୍ଡାର ଗଣତିମଣତି ଜାରି ଥିବା ବେଳେ କୌଣସି ଖଳ ପ୍ରକୃତିର ଲୋକ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରୀ ନିୟମକୁ ବେଖାତିର କରି ଡ୍ରୋନ୍ ଉଡ଼ାଇବାକୁ ସାହସ କରିଛି। ରତ୍ନଭଣ୍ଡାର ଗଣତିମଣତି ସମୟରେ ଦୁର୍ବୃତ୍ତମାନେ ଶ୍ରୀମନ୍ଦିରର ଲାଇଭ୍ ଭିଡିଓ ଉତ୍ତୋଳନ କରିବାକୁ ଉଦ୍ୟମ କରିଛନ୍ତି। ଆଜି ଅପରାହ୍ଣ ୫ଟା ୨୩ରେ ଏହି ଉଦ୍ୟମ କରାଯାଇଥିଲା। ନୀଳଚକ୍ରରେ ଚୁନରା ସେବାୟତମାନେ ବାନା ବାନ୍ଧୁଥିବା ବେଳେ ଦ୍ରୁତଗାମୀ ଡ୍ରୋନ୍ ଚକ୍କର ଲଗାଇଥିଲା।
ରତ୍ନଭଣ୍ଡାର ଗଣତି ମଣତି ଚାଲୁଥିବା ବେଳେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବାରୁ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ଡ୍ରୋନ୍କୁ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରହିଛି। ସେମାନେ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳି କୋନ୍ନଗରର କଲ୍ୟାଣ ଦାସ ଓ ରିସ୍ରାର ସମ୍ରାଟ ବିଶ୍ବାସ। ପତିତପାବନ ବାନା ବନ୍ଧାର ଦୃଶ୍ୟ ସୁଟିଂ କରିବାକୁ ସେମାନେ ଡ୍ରୋନ୍ ଉଡାଉଥିଲେ। ତେବେ କଟକଣା ବାବଦରେ ସେମାନେ ସମ୍ପୂର୍ଣ୍ଣ ଅଜ୍ଞ ଥିବା କହିଛନ୍ତି। ସିଂହଦ୍ବାର ଥାନା ପୁଲିସ ଉଭୟଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରୁଛି।
ଆଜି ସନ୍ଧ୍ୟାରେ ଏହି ଡ୍ରୋନ୍ ଉଡ଼ୁଥିବା ଦେଖାଯାଇଥିଲା। ଏହାକୁ କିଏ କେଉଁଠୁ ଅପରେଟ୍ କରୁଛି ଜାଣିବା ପାଇଁ ପୁଲିସ ତୁରନ୍ତ ନିଜ ଡ୍ରୋନ୍ ଉଡାଇଥିଲା। ସେମାନେ ମାଟିମଣ୍ଡପ ସାହିରେ ଥାଇ ଡ୍ରୋନ୍ ପରିଚାଳନା କରୁଥିବା ଜଣାପଡ଼ିଥିଲା। ପୁଲିସ ତୁରନ୍ତଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ କାବୁ କରିଥିଲା।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ନୂଆ କଥା ନୁହେଁ। ଅତୀତରେ ଏହି ଭଳି ଘଟଣା ଅନେକ ଥର ଘଟିଛି ଏବଂ ଦେଖିବାକୁ ମିଳିଛି। ଡ୍ରୋନ୍ ଉଡାଣ ପାଇଁ ଏହା ଏକ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି। କିନ୍ତୁ ଏହା ସତ୍ତ୍ବେ କିଛି ଲୋକ ଜାଣତରେ ହେଉ ଡ୍ରୋନ୍ ଉଡ଼ାଉଛନ୍ତି। କିନ୍ତୁ ଆହୁରି ଅନେକ ଶ୍ରଦ୍ଧାଳୁ ଅଜାଣତରେ ମଧ୍ୟ ଡ୍ରୋନ୍ ଉଡ଼ାଉଛନ୍ତି। ଶ୍ରୀମନ୍ଦିର ଆଇନ୍ରେ କଡ଼ା କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ନଥିବାରୁ ଏହାକୁ ସଂଶୋଧନ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗତବର୍ଷ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ଆଇନ ସଂଶୋଧନ କରିବାକୁ ଚିଠି ଲେଖିଥିଲେ। ହେଲେ ଏ ପର୍ଯ୍ୟନ୍ତ ତାହା ଆଇନ ବିଭାଗରେ ପଡ଼ି ରହିଛି। ଯାହା ଫଳରେ ଏଭଳି ଘଟଣାର ପୁନରାବୃତ୍ତି ହେଉଛି। ତେବେ ପୁରୀ ଏକ ବିଶ୍ବସ୍ତରୀୟ ଆଧ୍ୟାତ୍ମିକ କ୍ଷେତ୍ର ଏବଂ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ନେଇ ପ୍ରଚାରପ୍ରସାର ଅଧିକ କରାଯିବାର ଆବଶ୍ୟକତା ରହିଛି।
