Wednesday, March 25, 2026
25.5 C
Odisha

    ନ୍ୟାୟ ଅପେକ୍ଷାରେ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ: ୫ ବର୍ଷ ହେଲା ସମସ୍ତେ ଚୁପ୍‌

    ଆଗକୁ ପଢନ୍ତୁ

    ଚିଟ୍‌ଫଣ୍ଡ କେଳେଙ୍କାରୀର ବିଚାରବିଭାଗୀୟ ତଦନ୍ତ ବନ୍ଦ ହେବାକୁ ପାଞ୍ଚ ବର୍ଷ ପୂରିଛି। ରାଜ୍ୟରେ ଚିଟ୍‌ଫଣ୍ଡ କେଳେଙ୍କାରୀ କାୟା‌ ବିସ୍ତାର କରିବା ଓ ଲକ୍ଷାଧିକ ଜମାକାରୀ କ୍ଷତିଗ୍ରସ୍ତ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିବା ପରେ ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩ ଜୁଲାଇ ୯ରେ ଜଣିକିଆ କମିସନ ଗଠନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ବା ୬ ମାସ ବୃଦ୍ଧି କରାଯାଇଥିଲା। ଶେଷ ଥର ପାଇଁ ୨୦୧୯ ଅଗଷ୍ଟ ୪ରେ କମିସନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଥିଲା। ଅର୍ଥାତ୍‌ ୨୦୨୦ ‌ଫେବ୍ରୁଆରି ୪ରୁ ଜଷ୍ଟିସ୍‌ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ଶେଷ ହୋଇଛି।
    ସରକାର ଏହି ପ୍ରସଙ୍ଗରେ ୫ ବର୍ଷ ହେଲା ପୂରା ଚୁପ୍ ରହିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବ ସରକାର ତଦନ୍ତ କମିସନଙ୍କ କାର୍ଯ୍ୟକାଳ  ବଢ଼ାଇଥିଲେ, ନା’ ତଦନ୍ତ ବନ୍ଦ ସମ୍ପର୍କରେ ସ୍ଥିତି ସ୍ପଷ୍ଟ କରିଥିଲେ। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମଧ୍ୟ ତଦନ୍ତ କମିସନ ପ୍ରସଙ୍ଗରେ ସ୍ଥିତି ଅସ୍ପଷ୍ଟ ରହିଛି। ତେବେ ତଦନ୍ତ କମିସନ ସରକାରଙ୍କୁ ୭ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। କମିସନ ଆଉ ଏକ ରିପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ୨୦୨୦ରେ କାର୍ଯ୍ୟକାଳ ଆଉ ବଢ଼ି ନଥିଲା। ଏହି ୭ଟି ରିପୋର୍ଟରେ କ’ଣ ପରାମର୍ଶ ରହିଥିଲା ସେ ନେଇ ଏ ପର୍ଯ୍ୟନ୍ତ କିଛି ଜଣାପଡ଼ି ନାହିଁ। ତଦନ୍ତ କମିସନ ଅନ୍ତରୀଣ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ପୂର୍ବ ସରକାର ପଦକ୍ଷେପ ନେଇ ନଥିଲେ। ନୂଆ ସରକାର ମଧ୍ୟ ତଦନ୍ତ କମିସନ ରିପୋର୍ଟରେ ରହିଥିବା ପରାମର୍ଶ ଓ ତଥ୍ୟ ଆଧାରରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଗଲେ ଚିଟ୍‌ଫଣ୍ଡ ‌କେଳେଙ୍କାରୀରେ କେଉଁମାନେ ସଂପୃକ୍ତ ତାହା ସ୍ପଷ୍ଟ ହେବ।

    ଚିଟ୍‌ଫଣ୍ଡ ମାମଲାର ବିଚାରବିଭାଗୀୟ ତଦନ୍ତ ପ୍ରସଙ୍ଗକୁ ୨୦୨୦ ପରେ ପୂର୍ବ ସରକାର ପୂରା ଭୁଲିବାକୁ ଚେଷ୍ଟା କରିଥିଲେ। ଅତୀତରେ ଚିଟ୍‌ଫଣ୍ଡ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଥିଲା ପଡ଼ୁଥିଲା ବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଚିଟ୍‌ଫଣ୍ଡ ତଦନ୍ତର ଭାର ସିବିଆଇକୁ ଦେବା ପାଇଁ ସୁପ୍ରି‌ମକୋର୍ଟ ନିର୍ଦ୍ଦେଶ
    ଦେଇଥିଲେ। ଜମାକାରୀଙ୍କ ପ୍ରସଙ୍ଗକୁ ସରକାର ଗୁରୁତ୍ବ ଦେଇ ଚିଟ୍‌ଫଣ୍ଡ ଘଟଣାର ବିଚାରବିଭାଗୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ ବୋଲି ସେତେବେଳେ କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସରକାର ଚିଟ୍‌ଫଣ୍ଡ ତଦନ୍ତକୁ ଏକପ୍ରକାର ଅଣଦେଖା କରିଥିଲେ। ୨୦୨୦ ‌ଫେବ୍ରୁଆରି ୪ରୁ ଚିଟ୍‌ଫଣ୍ଡ ମାମଲାର ବିଚାରବିଭାଗୀୟ ତଦନ୍ତ କରୁଥିବା କମିସନ୍‌ଙ୍କ କାର୍ଯ୍ୟକାଳ ‌ଶେଷ ହୋଇଥିଲା, ଏହା ଆଉ ବୃଦ୍ଧି କରାଯାଇ ନଥିଲା। କାର୍ଯ୍ୟକାଳ ବୃଦ୍ଧି ନେଇ ସରକାର କିଛି ଘୋଷଣା ନ କରିବାରୁ କମିସନ ଅଧ୍ୟକ୍ଷ ଆଉ ବସିବେ ନାହିଁ ବୋଲି କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ତଦନ୍ତ ପ୍ରକ୍ରିୟା ଆଗେଇବ ନା ବନ୍ଦ ହେବ ସେନେଇ ସରକାର କିଛି ନ କହିବାରୁ କମିସନ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥିତି ସ୍ପଷ୍ଟ କରିବାକୁ ୨୦୨୦ ଜୁନ୍‌ରେ ଚିଠି ଲେଖା ଯାଇଥିଲା। ଏହାପରେ ବି ସରକାରଙ୍କ ପକ୍ଷରୁ କିଛି ଉତ୍ତର ମିଳି ନଥିଲା। କାର୍ଯ୍ୟକାଳ ନ ବଢ଼ିବାରୁ କମିସନ ଅଧ୍ୟକ୍ଷ ଆସି ନଥିଲେ। କିଛି ମାସ ପର୍ଯ୍ୟନ୍ତ କିଛି କର୍ମଚାରୀ ବକ୍ସିବଜାର ପୁଲିସ ଲାଇନ୍‌ସ୍ଥିତ କମିସନ କାର୍ଯ୍ୟାଳୟକୁ ଆସୁଥିଲେ। କିନ୍ତୁ ସେମାନଙ୍କୁ ଦରମା ଓ ଅନ୍ୟାନ୍ୟ ସୁବିଧା କିଛି ମିଳି ନଥିଲା। ତେଣୁ କର୍ମଚାରୀମାନେ ମଧ୍ୟ ଆସିବା ବନ୍ଦ କରିଦେଲେ। ଏଭଳି ପରିସ୍ଥିତିରେ ବକ୍ସିବଜାର ପୁଲିସ ଲାଇନ୍‌ସ୍ଥିତ ତଦନ୍ତ କମିସନ୍‌ଙ୍କ କାର୍ଯ୍ୟାଳୟରେ ୨୦୨୦ରୁ ତାଲା ପଡ଼ିଛି। କାର୍ଯ୍ୟାଳୟରେ ନୂଆ ଓ ପୁରୁଣା ସତ୍ୟପାଠ ସବୁ ପଡ଼ି ରହିଛି। ଆସବାବପତ୍ର, କମ୍ପ୍ୟୁଟର୍‌, ପ୍ରିଣ୍ଟର୍‌, ଜେରକ୍ସ ମେସିନ୍‌, ଫ୍ୟାକ୍ସ ଓ ଗୁରୁତ୍ବପୂର୍ଣ୍ଣ ରେକର୍ଡ ରହିଛି। ରକ୍ଷଣାବେକ୍ଷଣ ପାଇଁ କିଛି ବ୍ୟବସ୍ଥା କରାଯାଇ ନାହିଁ।

    ଚିଟ୍‌ଫଣ୍ଡ ତଦନ୍ତକୁ ନେଇ ଏଭଳି ବିଚିତ୍ର ଅବସ୍ଥା ଦେଖା ଦେଇଥିବା ବେଳେ ୬.୧୯ କୋଟି ଟଙ୍କାରୁ ଅଧିକ ଏ ପର୍ଯ୍ୟନ୍ତ ସରକାରୀ ତହବିଲ୍‌ରୁ ଖର୍ଚ୍ଚ ହୋଇଛି। ରାଜ୍ୟରେ କୌଣସି ବିଚାରବିଭାଗୀୟ ତଦନ୍ତରେ ଏତେ ପରିମାଣର ଅର୍ଥ ଖର୍ଚ୍ଚ ହେବା ପ୍ରଥମ ଘଟଣା। ତଦନ୍ତରେ ଖର୍ଚ୍ଚ ହୋଇଥିବା କୋଟିକୋଟି ଟଙ୍କା କ’ଣ ପାଣିରେ ପଡ଼ିଲା କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.5 ° C
    25.5 °
    25.5 °
    64 %
    2.1kmh
    39 %
    Wed
    26 °
    Thu
    38 °
    Fri
    40 °
    Sat
    40 °
    Sun
    41 °

    ସମ୍ବନ୍ଧିତ