ଯଦି ଆପଣଙ୍କ ଘରେ ଥିବା ସିଲିଂ ପଙ୍ଖାର ବ୍ଲେଡ୍ରେ ଧୂଳିମଇଳା ଜମି ରହିଛି, ତେବେ ଏହାକୁ ତୁରନ୍ତ ସଫା କରି ଦିଅନ୍ତୁ । ଧୂଳି ଜମିଥିବା ପଙ୍ଖା ଦେଖିବାକୁ ଏକ ସାଧାରଣ କଥା ମନେହେଉଥିଲେ ମଧ୍ୟ, ଏହା ସିଧାସଳଖ ଭାବେ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇଥାଏ ଏବଂ ବିଜୁଳି ବିଲ୍ ମଧ୍ୟ ବଢ଼ାଇଥାଏ । ଏହା ପଛରେ ଏକ ବଡ଼ ବୈଜ୍ଞାନିକ କାରଣ ଲୁଚି ରହିଛି, ଯାହାକୁ ସହଜ ଭାଷାରେ ବୁଝିବା ଅତ୍ୟନ୍ତ ଜରୁରୀ ।
ଘରର ଖୋଲା ଅଂଶ ଦେଇ ଆସୁଥିବା ପବନ ସହିତ ଧୂଳିର ସୂକ୍ଷ୍ମ କଣିକାଗୁଡ଼ିକ ମଧ୍ୟ ଘର ଭିତରକୁ ପ୍ରବେଶ କରନ୍ତି । ଆରମ୍ଭରୁ ଏଗୁଡ଼ିକ ଖାଲି ଆଖିକୁ ଦେଖାଯାଉନଥିଲେ ମଧ୍ୟ, ସମୟ ସହିତ ପଙ୍ଖାର ବ୍ଲେଡ୍ରେ ଏକ ମୋଟା ଧୂଳିର ସ୍ତର ଜମିଯାଏ, ଯାହା ହାତ ଲଗାଇଲେ ସ୍ପଷ୍ଟ ଜଣାପଡ଼ିଥାଏ । ଅନେକ ଲୋକ ୩ ମାସ ପର୍ଯ୍ୟନ୍ତ ମଧ୍ୟ ପଙ୍ଖା ସଫା କରନ୍ତି ନାହିଁ, ଯାହା ସବୁଠାରୁ ବଡ଼ ଭୁଲ୍ ଅଟେ ।
ଧୂଳି ଯୋଗୁଁ କେମିତି ହୁଏ ଆର୍ଥିକ କ୍ଷତି?
ପଙ୍ଖାରେ ଥିବା ତିନୋଟି ବ୍ଲେଡ୍ର ମୁଖ୍ୟ କାମ ହେଉଛି ପବନକୁ ଚାରିଆଡ଼େ ପ୍ରକାଶ କରିବା । ଯେତେବେଳେ ବ୍ଲେଡ୍ର ସ୍ତର ସମ୍ପୂର୍ଣ୍ଣ ଚିକ୍କଣ ଥାଏ, ଏହା ସହଜରେ ପବନ ଦେଇଥାଏ । ମାତ୍ର ବ୍ଲେଡ୍ ଉପରେ ଧୂଳି ଜମିବା ଦ୍ୱାରା ଏହାର ପୃଷ୍ଠଭୂମି ଖସଖସିଆ କିମ୍ବା ଖରଖର ହୋଇଯାଏ । ଫଳରେ ବାୟୁର ପ୍ରତିରୋଧ ବୃଦ୍ଧି ପାଇଥାଏ ଏବଂ ପଙ୍ଖା ପାଇଁ ପବନ ଦେବା କଷ୍ଟକର ହୋଇପଡ଼େ । ଏହି କାରଣରୁ ଘରର ପଙ୍ଖାକୁ ସଫା କରିବା ମାତ୍ରେ ହିଁ ପୂର୍ବ ଅପେକ୍ଷା କେଇ ଗୁଣା ଅଧିକ ପବନ ମିଳିବା ପରି ଅନୁଭବ ହୁଏ ।
ମୋଟର ଉପରେ ପଡ଼େ ଅଧିକ ଲୋଡ୍
ବ୍ଲେଡ୍ରେ ଧୂଳି ଜମିବା ଯୋଗୁଁ ପବନ ହେବାର କ୍ଷମତା କମିଯାଏ, ଯାହାଫଳରେ ପଙ୍ଖାର ମୋଟରକୁ ସମାନ ସ୍ପିଡ୍ ବଜାୟ ରଖିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ଲଗାତାର ଭାବେ ମୋଟର ଉପରେ ଲୋଡ୍ ବଢ଼ିବା ଯୋଗୁଁ ତାହା ଶୀଘ୍ର ଗରମ ହୋଇଯାଏ ଏବଂ ଏହାର ଆୟୁଷ ମଧ୍ୟ କମିଯାଏ । ପରବର୍ତ୍ତୀ ସମୟରେ ମୋଟର ଜଳିଯିବାର ଆଶଙ୍କା ଥାଏ, ଯାହାକୁ ମରାମତି କରିବା ପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ ହୁଏ । କେତେକ ସ୍ଥିତିରେ ଖର୍ଚ୍ଚ ଏତେ ଅଧିକ ହୁଏ ଯେ ନୂଆ ପଙ୍ଖା କିଣିବାକୁ ପଡ଼ିଥାଏ ।
ପଙ୍ଖାର ପବନ ଦେବା କ୍ଷମତା କମିଗଲେ, ଲୋକମାନେ ଘରକୁ ଥଣ୍ଡା ରଖିବା ପାଇଁ ଅନ୍ୟାନ୍ୟ ବିକଳ୍ପ ଯେପରିକି ଏସି, କୁଲର କିମ୍ବା ୱାଲ୍ ଫ୍ୟାନ୍ ବ୍ୟବହାର କରନ୍ତି । ପଙ୍ଖା ସହିତ ଏହି ସବୁ ହେଭି ଇଲେକ୍ଟ୍ରୋନିକ୍ସ ଉପକରଣର ବ୍ୟବହାର ବିଜୁଳି ବିଲ୍କୁ ଦ୍ରୁତ ଗତିରେ ବଢ଼ାଇଥାଏ, ଯାହା ମାସ ଶେଷରେ ପକେଟ୍ ଉପରେ ଭାରୀ ପଡ଼ିଥାଏ ।
କମ୍ପାନୀ ରିପୋର୍ଟର ଚମକାଇଲା ଭଳି ତଥ୍ୟ
ପ୍ରସିଦ୍ଧ ପଙ୍ଖା ନିର୍ମାତା କମ୍ପାନୀ ‘କ୍ରମ୍ପଟନ’ର ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ପଙ୍ଖା ବ୍ଲେଡ୍ ଉପରେ ମାତ୍ର ୦.୫ ମିଲିମିଟରର ପତଳା ଧୂଳି ସ୍ତର ମଧ୍ୟ ଏହାର ଏରୋଡାଇନାମିକ୍ କ୍ଷମତାକୁ ୫ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦେଇଥାଏ । ଏହି କାରଣରୁ ମୋଟର ଉପରେ ଅଧିକ ଚାପ ପଡ଼ିବା ସହ ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ ।
ଏବେ ଆପଣ କଣ କରିବେ?
ଧୂଳି କେବଳ ପଙ୍ଖାର ବ୍ଲେଡ୍ ନୁହେଁ, ବରଂ ଏହାର ମୋଟର ଭିତରକୁ ମଧ୍ୟ ପ୍ରବେଶ କରିଥାଏ । ତେଣୁ ପଙ୍ଖାର କାର୍ଯ୍ୟଦକ୍ଷତା ବଜାୟ ରଖିବା ପାଇଁ ପ୍ରତି ୧୫ ଦିନରେ ଅତିକମରେ ଥରେ ଏକ ଶୁଖିଲା କପଡ଼ାରେ ପଙ୍ଖା ଏବଂ ଏହାର ବ୍ଲେଡ୍କୁ ଭଲଭାବେ ସଫା କରନ୍ତୁ । ପଙ୍ଖାରେ ଯେତେ କମ୍ ଧୂଳି ରହିବ, ପବନ ସେତେ ଅଧିକ ମିଳିବ ଏବଂ ଆପଣଙ୍କ ବିଜୁଳି ବିଲ୍ ମଧ୍ୟ ନିୟନ୍ତ୍ରଣରେ ରହିବ ।
