କାହାଣୀରେ ନାୟକ ଅଛନ୍ତି ମାନେ, ତାଙ୍କ ବିପକ୍ଷରେ ଜଣେ କେହି ନାୟିକା ତ ଥିବେ! ଏହି ଧାରାରୁ ବାହାରି ନିର୍ମିତ ହୋଇଛି କେତୋଟି ଓଡ଼ିଆ ଚଳଚ୍ଚିତ୍ର। ଆଉ ଦେଖିବାକୁ ମିଳିଛନ୍ତି ନିଃସଙ୍ଗ ନାୟକ।
ଅଧିକାଂଶ ଓଡ଼ିଆ ସିନେମାରେ କାହାଣୀରେ ନାୟକ ଥିଲେ ତାଙ୍କ ବିପକ୍ଷରେ ଜଣେ ନାୟିକା ରହିବା ଏକ ପ୍ରକାର ଅନିବାର୍ଯ୍ୟ। କିନ୍ତୁ ସଂପ୍ରତି ଶଗଡ଼ଗୁଳାରୁ ବାହାରି କେତେକ ଓଡ଼ିଆ ଛବି ନିର୍ମିତ ହୋଇଛି ଓ ହେଉଛି, ଯାହାର କାହାଣୀରେ ନାୟକଙ୍କ ବିପକ୍ଷରେ ନାୟିକା ନାହାନ୍ତି।
‘କେସ୍ ୧୮’ରେ ଅମ୍ଳାନ ଓ ପାର୍ଥ
ମୁକ୍ତି ପ୍ରତୀକ୍ଷାରେ ଥିବା ଓଡ଼ିଆ ସିନେମା ‘କେସ୍ ୧୮’ରେ ଦର୍ଶକ ନାୟକ ଅମ୍ଳାନଙ୍କୁ ଜଣେ ପୁଲିସ ଅଧିକାରୀ ଏସିପି ଜେଏମ୍ (ଜଗଦୀଶ ମହାନ୍ତି) ଭୂମିକାରେ ଦେଖିବାକୁ ପାଇବେ। ତେବେ ରାଜେନ୍ଦ୍ର ମହାନ୍ତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅମ୍ଳାନଙ୍କ ବିପକ୍ଷରେ କେହି ନାୟିକା ନାହାନ୍ତି। ଆଉ ପ୍ରଥମଥର ଲାଗି ଏପରି ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିବ ବଡ଼ ପରଦାରେ। ଆଗରୁ ଝିଲିକ୍, ଏଲିନା, ରିୟା, ପ୍ରିୟା, ଶ୍ରଦ୍ଧା, ଭୂମିକା, ସନମୀରା ଓ ସୂର୍ଯ୍ୟମୟୀଙ୍କ ପରି ଜଣାଶୁଣା ନାୟିକାଙ୍କ ସହ ପରଦାରେ ରୋମାନ୍ସ କରିଥିବା ଅମ୍ଳାନଙ୍କ ନୂଆ ଅବତାର ଦେଖିବାକୁ ପାଇବେ ଦର୍ଶକ। ସେହିପରି ‘କେସ୍ ୧୮’ର ଅନ୍ୟତମ ନାୟକ ତଥା ରାଲି ନନ୍ଦ, ରାଗିଣୀ, ଶ୍ରଦ୍ଧା, ଅନନ୍ୟା, ପ୍ରକୃତି ଓ କାବ୍ୟାକିରଣ ପ୍ରମୁଖଙ୍କ ନାୟକ ବନିଥିବା ଓଲିଉଡ୍ର ପ୍ରତିଭାବାନ୍ ଅଭିନେତା ପାର୍ଥସାରଥୀ ରାୟଙ୍କ ବିପକ୍ଷରେ ମଧ୍ୟ ନାୟିକା ନାହାନ୍ତି।
ଜୟହିନ୍ଦ୍’ରେ ଆକାଶ ଓ ଅଙ୍କିତ କୁମାର
୨୦୨୫ର ଅନ୍ୟତମ ପ୍ରତୀକ୍ଷିତ ଓଡ଼ିଆ ଛବି ‘ଜୟହିନ୍ଦ୍’। ଶୁଭଶ୍ରୀ ଫିଲ୍ମସ୍ ବ୍ୟାନର୍ରେ ନିର୍ମାଣାଧୀନ ଏହି ସିନେମାର ଦୁଇ ନାୟକ ଆକାଶ ଓ ଅଙ୍କିତ କୁମାରଙ୍କ ବିପକ୍ଷରେ ନାୟିକା ନାହାନ୍ତି। ସତ୍ୟ ଘଟଣା ଆଧାରିତ ଏହି ଛବିର ଗାମ୍ଭୀର୍ଯ୍ୟକୁ ଅତୁଟ ରଖିବା ଲାଗି କାହାଣୀରେ ନାୟିକା ଚରିତ୍ର ସଂଯୋଜନା କରାଯାଇନାହିଁ। ଦୁଇ ନାୟକ କିଭଳି ଏକ ମିସନ୍ରେ କାମ କରୁଛନ୍ତି, ତାହା କାହାଣୀରେ ଦର୍ଶାଯାଇଛି।
ଆଗରୁ ଅର୍ଚ୍ଚିତା, ବର୍ଷା ପ୍ରିୟଦର୍ଶିନୀ, ରାଲି ନନ୍ଦ,ଏଲିନା, ରୀୟା, ପ୍ରିୟା, ପୁନମ୍ଙ୍କ ପରି ଜଣାଶୁଣା ନାୟିକାଙ୍କ ସହ ବଡ଼ ପରଦାରେ ରୋମାନ୍ସ କରିଥିବା ଆକାଶଙ୍କୁ ଦର୍ଶକ ବିନା ନାୟିକାରେ କିଭଳି ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା। ତେଣେ ଅର୍ଚ୍ଚିତା, ଏଲିନା ଓ କାବ୍ୟା କିରଣଙ୍କ ପରି ଲୋକପ୍ରିୟ ନାୟିକାଙ୍କ ସହ ଅନ୍ସ୍କ୍ରିନ୍ ରୋମାନ୍ସ କରିବାର ସୁଯୋଗ ପାଇଥିବା ଅଙ୍କିତ କୁମାର ଏଥର ନିଃସଙ୍ଗ ନାୟକ।
‘ଚନ୍ଦ୍ରବଂଶୀ’ରେ ସିଦ୍ଧାନ୍ତ
କୁମାର ପ୍ରୀତମ୍ ସାହୁଙ୍କ ପ୍ରଯୋଜିତ ତଥା ୟଶ-ସୁନୀଲଙ୍କ ନିର୍ଦ୍ଦେଶିତ ‘ଚନ୍ଦ୍ରବଂଶୀ’ରେ ଚାରି ନାୟକ-ନାୟିକା ଯୋଡ଼ି ଥିଲେ ବି ସିଦ୍ଧାନ୍ତ ଥିଲେ ନିଃସଙ୍ଗ। ପୂର୍ବରୁ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ପ୍ରେମରୋଗୀ’ ଚଳଚ୍ଚିତ୍ରରେ ବି ସିଦ୍ଧାନ୍ତଙ୍କର କେହି ନାୟିକା ନ ଥିଲେ।
‘ଲୋଫର୍’ ଓ ‘ଶ୍ରୀମାନ୍ ସୁରଦାସ’ରେ ବୁଦ୍ଧାଦିତ୍ୟ
ନାୟକ ବୁଦ୍ଧାଦିତ୍ୟ ବି ଏହିଧାରାରୁ ବାଦ୍ ପଡ଼ି ନାହାନ୍ତି। ଅଶୋକ ପତିଙ୍କ ‘ଲୋଫର୍’ ଓ ‘ଶ୍ରୀମାନ୍ ସୁରଦାସ’ରେ ତାଙ୍କୁ କୌଣସି ନାୟିକାଙ୍କ ସାଥ୍ ମିଳି ନ ଥିଲା।
‘ରାମ୍’ରେ ଅନୁଭବ
ଲୋକପ୍ରିୟ ନାୟକ ଅରିନ୍ଦମ ରାୟଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ରାମ୍’ରେ ଅନୁଭବ ମହାନ୍ତି ଅଭିନୟ କରିଥିଲେ। ହେଲେ ଏଥିରେ ତାଙ୍କ ବିପକ୍ଷରେ କୌଣସି ନାୟିକା ନଜର ଆସି ନ ଥିଲେ।