ପିଲାଙ୍କ ହାତରେ ଚିପ୍ସ ପ୍ୟାକେଟ୍ ଦେଖିବା ଏବେ ଏକ ସାଧାରଣ କଥା ପାଲଟିଗଲାଣି । ବଜାରକୁ ଗଲେ ହେଉ କିମ୍ବା ଘରେ ଟିଭି ଦେଖିବା ସମୟରେ, ଚିପ୍ସ ନଥିଲେ ଯେମିତି ପିଲାଙ୍କ ମନ ମାନେନାହିଁ । ଅନେକ ସମୟରେ ପିଲାଙ୍କ ଜିଦ୍ ଆଗରେ ହାର ମାନି ଘରଲୋକମାନେ ସେମାନଙ୍କୁ ଚିପ୍ସ ପ୍ୟାକେଟ୍ କିଣି ଦେଇଥାନ୍ତି । ଭାବନ୍ତି, ଗୋଟିଏ ପ୍ୟାକେଟ୍ ଖାଇଦେଲେ ବା କ’ଣ ହୋଇଯିବ? କିନ୍ତୁ ଏହି ଛୋଟିଆ ଅଭ୍ୟାସ ଯଦି ନିୟମିତ ହୋଇଯାଏ, ତେବେ ଏହା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ପାଟିକୁ ସୁଆଦିଆ ଏବଂ କୁଡ଼କୁଡ଼ ଲାଗୁଥିବା ପ୍ୟାକେଟ୍ ଚିପ୍ସରେ ଅଧିକ ଲୁଣ, ଚର୍ବି ଏବଂ କ୍ୟାଲୋରୀ ରହିଥାଏ । ଏହାର ଅତ୍ୟଧିକ ସେବନ ଦ୍ୱାରା ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ ହୃଦ୍ରୋଗ ଭଳି ସମସ୍ୟାର ଆଶଙ୍କା ବଢ଼ିପାରେ । ତେଣୁ ପିଲାଙ୍କ ଏହି ଛୋଟ ଜିଦ୍କୁ ଅଣଦେଖା କରିବା ପୂର୍ବରୁ ଜାଣି ରଖନ୍ତୁ, ପ୍ୟାକେଟ୍ ଚିପ୍ସ କିପରି ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ । ତେବେ ଆସନ୍ତୁ ଏହା କଣ କ୍ଷତି କରେ ସେ ସମ୍ପର୍କରେ ଜାଣିବା ।
୧. ଓଜନ ଓ ମେଦବହୁଳତା ବଢ଼ିପାରେ :
ପ୍ୟାକେଟ୍ ଚିପ୍ସରେ ଫ୍ୟାଟ୍ ଏବଂ କ୍ୟାଲୋରୀର ମାତ୍ରା ଅଧିକ ରହିଥାଏ । ଏହାକୁ ନିୟମିତ ଖାଇଲେ ଶରୀରରେ ଅତିରିକ୍ତ କ୍ୟାଲୋରୀ ଜମା ହୋଇ ଓଜନ ବଢ଼ିପାରେ । ବିଶେଷକରି ପିଲାମାନେ ଯଦି ନିୟମିତ ଭାବେ ଚିପ୍ସ ଖାଇବା ସହ ଶାରୀରିକ ପରିଶ୍ରମ କମ୍ କରନ୍ତି, ତେବେ ମେଦବହୁଳତାର ଆଶଙ୍କା ଅଧିକ ରହିଥାଏ ।
୨. ଡାଇବେଟିସ୍ ଓ ହୃଦ୍ରୋଗର ଆଶଙ୍କା :
ଅତ୍ୟଧିକ ତେଲରେ ଭଜା ହୋଇଥିବା ଖାଦ୍ୟର ନିୟମିତ ସେବନ ଶରୀରର ମେଟାବୋଲିକ୍ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ । ଯାହାଦ୍ୱାରା ଓଜନ ବୃଦ୍ଧି ସହ ଟାଇପ୍-୨ ଡାଇବେଟିସ୍ ଏବଂ ହୃଦ୍ରୋଗର ଆଶଙ୍କା ବଢ଼ିପାରେ ।
୩. ଶରୀରକୁ ଆବଶ୍ୟକ ପୋଷକତତ୍ତ୍ୱ ମିଳେନାହିଁ:
ପିଲାଙ୍କ ବୟସ ବଢ଼ିବା ସହ ଶରୀରର ବିକାଶ ପାଇଁ ଭିଟାମିନ୍, ମିନେରାଲ୍, ପ୍ରୋଟିନ୍ ଏବଂ ଫାଇବର୍ ଆବଶ୍ୟକ ହୋଇଥାଏ । କିନ୍ତୁ ପ୍ୟାକେଟ୍ ଚିପ୍ସରେ ଏହି ପୋଷକତତ୍ତ୍ୱର ତ୍ରା ଖୁବ୍ କମ୍ ଥାଏ । ପିଲାମାନେ ଯଦି ନିୟମିତ ଭାବେ ଚିପ୍ସ ଖାଇ ପୁଷ୍ଟିକରଯୁକ୍ତ ଖାଦ୍ୟ ଖାଇବା କମାଇ ଦିଅନ୍ତି । ଯାହା ଫଳରେ ପୋଷଣରେ ଅଭାବ ଦେଖାଦେଇପାରେ ।
୪. ରକ୍ତଚାପ ବଢ଼ାଏ:
ପ୍ୟାକେଟ୍ ଚିପ୍ସରେ ସୋଡିୟମ୍ ବା ଲୁଣର ମାତ୍ରା ଅଧିକ ରହିଥାଏ । ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପ ବଢ଼ିବା ସହ ହାର୍ଟ ଏବଂ କିଡନୀ ଉପରେ କୁପ୍ରଭାବ ପକାଇଥାଏ । ଦୀର୍ଘ ସମୟ ଧରି ଅଧିକ ସୋଡିୟମ୍ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ । ତେଣୁ ଏଭଳି ହାନିକାରକ ଖଡିଆଠାରୁ ଦୁରେଇ ରୁହନ୍ତୁ ।
୫. କୋଲେଷ୍ଟେରଲ୍ ସ୍ତର ଉପରେ ପ୍ରଭାବ ପଡ଼ିପାରେ:
କିଛି ପ୍ୟାକେଟ୍ ଚିପ୍ସରେ ସାଚୁରେଟେଡ୍ ଫ୍ୟାଟ୍ ଏବଂ ଅନ୍ୟାନ୍ୟ ଅସ୍ୱାସ୍ଥ୍ୟକର ଚର୍ବି ରହିଥାଏ । ଯାହାର ଅତ୍ୟଧିକ ସେବନ ଖରାପ କୋଲେଷ୍ଟେରଲ୍ ବଢ଼ାଇପାରେ । ସେଥିପାଇଁ ପିଲାଙ୍କ ଖାଦ୍ୟ ଅଭ୍ୟାସ ଉପରେ ଘରଲୋକମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।
ପିଲାଙ୍କୁ ଚିପ୍ସ ବଦଳରେ କ’ଣ ଦେବେ?
ପିଲାମାନେ ଚଟପଟା ଓ କୁଡ଼କୁଡ଼ ଖାଦ୍ୟ ପସନ୍ଦ କରନ୍ତି । ତେଣୁ ସେମାନଙ୍କୁ ଚିପ୍ସ ବଦଳରେ ଘରେ ପ୍ରସ୍ତୁତ ମଖନା, ଭଜା ଚଣା, ଘର ତିଆରି ପପ୍କର୍ଣ୍ଣ, ଫଳ ଏବଂ ପନିପରିବାରୁ ପ୍ରସ୍ତୁତ ସ୍ନାକ୍ସ ଦେଇପାରିବେ । ଏହା ସହ ପିଲାଙ୍କୁ ଛୋଟବେଳୁ ସୁସ୍ଥ ଖାଦ୍ୟ ଖାଇବାର ଅଭ୍ୟାସ କରାନ୍ତୁ । ମନେ ରଖନ୍ତୁ ପିଲାଙ୍କ ଜିଦ୍ ପୂରଣ କରିବା ଅପେକ୍ଷା ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଅଧିକ ଜରୁରି । ତେଣୁ ଚିପ୍ସକୁ ଦୈନନ୍ଦିନ ଖାଦ୍ୟ ଅଭ୍ୟାସର ଅଂଶ ହେବାକୁ ଦିଅନ୍ତୁ ନାହିଁ । ଆଜିଠାରୁ ହିଁ ପିଲାଙ୍କୁ ସୁସ୍ଥ ଓ ପୁଷ୍ଟିକର ଖାଦ୍ୟ ଖାଇବାକୁ ଉତ୍ସାହିତ କରନ୍ତୁ ।
