ଉଦଳା: ଆଖିରେ ଅନେକ ପ୍ରଶ୍ନ । ଦଇବ ଯେମିତି ଦାଉ ସାଧିଛି ଏ ମହିଳାଙ୍କ ଉପରେ । ଗାଲରେ ହାତ ଦେଇ ବସିଛନ୍ତି । ନୀରବ ରହି ଖାଲି ସମସ୍ତଙ୍କୁ ଚାହିଁ ବସିଛନ୍ତି । ପୁଅ ତ ଆରପାରିକୁ ଚାଲି ଯାଇଥିଲା । ବୋହୂ ବି ପାଗେଳି ପ୍ରାୟ । ନାତୁଣୀ ମୁହଁକୁ ଚାହିଁ ବଞ୍ଚିଥିଲେ ଯେ ଦଇବ ସହିଲାନି । ନାତୁଣୀ ବି ସମସ୍ତଙ୍କୁ ପରକରି ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛି ।
ନାତୁଣୀ ମରଶରୀରକୁ ଧରି ଏପଟ ସେପଟ ହେଉଛି ବୁଢ଼ୀ ମା’ । ବ୍ୟବଚ୍ଛେଦ ଗୃହକୁ ନେଇ ନାତୁଣୀକୁ ଘୋଡ଼େଇ ଦଉଛି । ସହଜରେ ସହଜରେ ଗ୍ରହଣ କରି ପାରୁନାହାନ୍ତି ନାତୁଣୀର ମୃତ୍ୟୁକୁ । ମରଶରୀରଟାକୁ ବି କାହାକୁ ଦେଉ ନାହାନ୍ତି । ବ୍ୟବଚ୍ଛେଦ ଗୃହ ବାହାରେ ବସି ଆଖିରୁ ଖାଲି ଲୁହ ଗଡାଉଛନ୍ତି । ଉଦଳା ମେଡିକାଲରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ । କପ୍ତିପଦା ଥାନା କୁସୁନପୁର ଗାଁରେ ପାଣିରେ ବୁଡି ଅଢେଇ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ମୃତକ ସେହି ଗାଁର ଜିତେନ୍ କୁମାର ଦାସଙ୍କ ଅଢେଇ ବର୍ଷର ଝିଅ ଶର୍ମିଲା ଦାସ । ଆଜକୁ ୪ ମାସ ପୂର୍ବରୁ ଜିତେନଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ସୁକାନ୍ତି ସାମାନ୍ୟ ମାନସିକ ବିକାରଗ୍ରସ୍ତ । ଏଭଳି ଅବସ୍ଥାରେ ଝିଅ ଶର୍ମିଲା ଜେଜେମାଆଙ୍କ ନିକଟରେ ରହୁଥିଲା । ଆଜି ଶର୍ମିଲା ଘର ବାଡ଼ିରେ ଖେଳୁଥିବା ବେଳେ ଅସାବଧାନତାବଶତଃ ନିକଟରେ ଥିବା ପୋଖରୀରେ ବୁଡି ଯାଇଥିଲା । ଅନ୍ୟ କାମରେ ବ୍ୟସ୍ତ ଥିବା ମା’ ସୁକାନ୍ତି ଓ ଜେଜେମାଆ ଝିଅକୁ ଖୋଜି ପାଇନଥିଲେ । ପରେ ପୋଖରୀରେ ଝିଅ ବୁଡି ଯାଇଥିବା ଦେଖି ଉଦ୍ଧାର କରି ଚିକିତ୍ସା ପାଇଁ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଖବର ପାଇ କପ୍ତିପଦା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଜିତେନଙ୍କ ମୃତ୍ୟୁ ପରେ ପରିବାର ଚଳାଇବା ଭାରି କଷ୍ଟ ହୋଇପଡ଼ିଛି ଏ ଗରିବ ଜେଜେମା’ ପାଇଁ । କିନ୍ତୁ ନାତୁଣୀ ମୁହଁକୁ ଚାହିଁ କଷ୍ଟେ ମଷ୍ଟେ ଚଳି ଯାଉଥିଲେ । ଏବେ ସେ ବି ପରପାରିକୁ ଚାଲିଗଲା । ସତରେ ଭଗବାନ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ ।

