Monday, October 19, 2026
21.9 C
Odisha

    ପୁଣି ଇସ୍କନ୍ କୁ ନେଇ ବିବାଦ, ଗୋଟିଏ ଦିନରେ ୪ ସହରରେ ରଥଯାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଇସ୍କନ୍ କୁ ନେଇ ପୁଣି ବିବାଦ । ଗୋଟିଏ ଦିନରେ ୪ ସହରରେ ରଥଯାତ୍ରା । ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦରେ ଇସ୍କନ୍ । କାନାଡା ଓ ଇଂଲଣ୍ଡର ୪ ସହରରେ ରଥ ଟାଣିବାକୁ ନେଇ ତୀବ୍ର ଅସନ୍ତୋଷ । ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା, ବାହୁଡ଼ା ଓ ନୀଳାଦ୍ରିବିଜେ ଶେଷ ହେବାର କିଛି ସପ୍ତାହ ପରେ ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ପୁଣି ବିବାଦ ତେଜିଛି।

    ଗତ ୮ ତାରିଖରେ କାନାଡାର ସ୍କାରବୋରୋ ଏବଂ ଇଂଲଣ୍ଡର ଲୁଟନ୍, କାର୍ଡିଫ୍ ଓ ସାଉଥମ୍ପଟନ୍ ରେ ଇସ୍କନ୍ ପକ୍ଷରୁ ରଥଯାତ୍ରା ଆୟୋଜନ କରାଯାଇଥିବାରୁ ଜଗନ୍ନାଥପ୍ରେମୀଙ୍କ ଏକ ବର୍ଗ ତୀବ୍ର ଆପତ୍ତି ଉଠାଇଛନ୍ତି। ଅଭିଯୋଗ ହେଉଛି, ଶ୍ରୀକ୍ଷେତ୍ରର ପରମ୍ପରା ଓ ନିର୍ଦ୍ଧାରିତ ତିଥିଠାରୁ ଭିନ୍ନ ସମୟରେ ରଥଯାତ୍ରା ଏବଂ ସ୍ନାନଯାତ୍ରା ଆୟୋଜନ କରାଯିବା ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚଳିତ ବିଧି ଓ ପରମ୍ପରାର ପରିପନ୍ଥୀ। ଏହାକୁ ନେଇ ପୂର୍ବରୁ ମଧ୍ୟ ଦେଶବିଦେଶର ଜଗନ୍ନାଥପ୍ରେମୀ ଓ ପ୍ରବାସୀ ଓଡ଼ିଆମାନେ ପ୍ରତିବାଦ କରିଆସୁଛନ୍ତି। ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଗଜପତି ମହାରାଜାଙ୍କ ପକ୍ଷରୁ ମଧ୍ୟ ପୂର୍ବରୁ ଅନୁରୋଧ କରାଯାଇଥିବା କୁହାଯାଉଛି। ଏହାସତ୍ତ୍ୱେ ଅଗଷ୍ଟ ୮ରେ କାନାଡା ଓ ଇଂଲଣ୍ଡର ଚାରିଟି ସ୍ଥାନରେ ରଥଯାତ୍ରା ଆୟୋଜନ ହେବା ପରେ ଏହି ପୁରୁଣା ବିବାଦ ପୁଣି ମୁଣ୍ଡ ଟେକିଛି।

    ଏହି ପ୍ରସଙ୍ଗର ସ୍ଥାୟୀ ସମାଧାନ ଦାବିରେ ପୂର୍ବରୁ ଦିଲ୍ଲୀର ଓଡ଼ିଆ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭେଟି ହସ୍ତକ୍ଷେପ ପାଇଁ ଅନୁରୋଧ କରାଯାଇଥିବା ମଧ୍ୟ ଦାବି କରାଯାଇଛି। ଏବେ ଜଗନ୍ନାଥପ୍ରେମୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସକ୍ରିୟ ହସ୍ତକ୍ଷେପ ଦାବି କରିଛନ୍ତି। ଆବଶ୍ୟକ ପଡ଼ିଲେ ଇସ୍କନ୍ ର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସରକାରୀ ସ୍ତରରେ ଆଲୋଚନା କରି ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ପ୍ରସଙ୍ଗରେ ଏକ ସ୍ଥାୟୀ ସମାଧାନ କରାଯାଉ ବୋଲି ଦାବି ଉଠିଛି।

    ଅନ୍ୟପଟେ, ବେଙ୍ଗାଲୁରୁ ଇସ୍କନ୍ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ବିବୃତିରେ ଗଜପତି ମହାରାଜାଙ୍କ ପରାମର୍ଶ ଏବଂ ପୁରୀ ଶ୍ରୀମନ୍ଦିରର ପ୍ରଚଳିତ ପାଞ୍ଜି ଓ ତିଥି ଅନୁସାରେ ରଥଯାତ୍ରା ଓ ସ୍ନାନଯାତ୍ରା ପାଳନ କରାଯିବ ବୋଲି କୁହାଯାଇଥିବା ଦାବି ହୋଇଛି। ଏଭଳି ସ୍ଥିତିରେ ବିଦେଶରେ ଭିନ୍ନ ତିଥିରେ ରଥଯାତ୍ରା ଆୟୋଜନକୁ ନେଇ ଚାଲିଥିବା ବିବାଦର ସ୍ଥାୟୀ ସମାଧାନ କେବେ ହେଉଛି, ତାହା ଉପରେ ଏବେ ଜଗନ୍ନାଥପ୍ରେମୀଙ୍କ ନଜର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ