Saturday, August 15, 2026
24.6 C
Odisha

    ପୁରୀରେ ନୂଆବର୍ଷ ଭିଡ଼: ଜଗିବେ ୯୦ ଅଧିକାରୀ, ୬୦ ପ୍ଲାଟୁନ୍‌ ଫୋର୍ସ

    ଆଗକୁ ପଢନ୍ତୁ

    ଇଂରାଜୀ ନୂଆବର୍ଷରେ ଉଭୟ ଶ୍ରୀମନ୍ଦିର ଓ ବେଳାଭୂମିରେ ଲକ୍ଷାଧିକ ଭକ୍ତ ତଥା ପର୍ଯ୍ୟଟକଙ୍କ ସମାଗମ ହେବ। ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଭିତର, ବାହାର ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଉପରେ ବି ନଜର ରଖାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍‌ ପରିଚାଳନା ପାଇଁ ଜିଲ୍ଲାରେ ୯୦ ଅଧିକାରୀଙ୍କ ସହ ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ପୁଲିସ ଅଧିକାରୀଙ୍କ ସହ ଏହାର ପୂର୍ବପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଛି। ଅପରପକ୍ଷେ ଆଜି ପୁଣିଥରେ ଜିଲ୍ଲା ପୁଲିସ ଓ  ହୋଟେଲ୍‌ ମାଲିକଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି। ଯାତ୍ରୀଙ୍କ ସୁରକ୍ଷିତ ରହଣି ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି ରିଜର୍ଭ ପୁଲିସ ସମ୍ମିଳନୀ କକ୍ଷରେ ବସ୍‌ମାଲିକ, ଅଟୋଚାଳକଙ୍କ ସହ ଜିଲ୍ଲା ପୁଲିସର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍‌ପି ବିନୀତ୍‌ ଅଗ୍ରୱାଲ୍‌ ଏଥିରେ ଯୋଗଦେଇ ବସ୍‌ମାଲିକ ଓ ଅଟୋଚାଳକଙ୍କୁ ଟ୍ରାଫିକ୍‌ ନିୟମ ମାନିବାକୁ ନିବେଦନ କରିବା ସହ ଇଂରାଜୀ ନୂଆବର୍ଷ ପାଇଁ ଜାରି ଟ୍ରାଫିକ୍‌ ମାର୍ଗଦର୍ଶିକ ଅନୁସାରେ ଗାଡ଼ି ଚଳାଚଳ କରିବା ଦିଗରେ ଯତ୍ନବାନ ହେବାକୁ କହିଥିଲେ। ନୋ ପାର୍କିଂ ଅବା ଅନ୍ୟ ଭିଡ଼ ଜାଗାରେ ଅଯଥା ଭିଡ଼ ନ କରିବା ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଭିଡ଼ ବେଳେ ପୁଲିସକୁ ସହଯୋଗ ପାଇଁ ୧୦୦ଜଣ ଯୁବ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଭିଡ଼ ବେଳେ ସ୍ଥାନୀୟ ଲୋକ ଓ ବାହାର ଲୋକଙ୍କୁ ଚିହ୍ନଟ ସହ ଗହଳି ହଟାଇବା କ୍ଷେତ୍ରରେ ଏମାନେ ସହଯୋଗ କରିବେ। ଏହି ଅବସରରେ ପୁରୀ ଏସ୍‌ପି ଶ୍ରୀ ଅଗ୍ରୱାଲ୍‌ କହିଛନ୍ତି, ପୁରୀକୁ ଯେଉଁମାନେ ଆସୁଛନ୍ତି, ସେମାନେ ଆମ ଅତିଥି। ଏଣୁ ଶ୍ରୀକ୍ଷେତ୍ରକୁ ଆସୁଥିବା ଏହି ଅତିଥିଙ୍କୁ ଆମେ ଏଭଳି ସ୍ବାଗତ କରିବା, ସେମାନେ ଯେଭଳି ବାହାରେ ଏହାର ପ୍ରଶଂସା କରିବେ।

    ଶ୍ରୀମନ୍ଦିର ଚତୁଃପାର୍ଶ୍ବକୁ ଅଟୋ ମନା, ପାର୍କିଂ କଟକଣା

    ପୁରୀ: ଇଂରାଜୀ ନୂଆବର୍ଷ ଭିଡ଼କୁ ନଜରରେ ରଖି ସ୍ବତନ୍ତ୍ର ରୁଟ୍‌ ଚାର୍ଟ ପ୍ରସ୍ତୁତ ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ସହରର ପ୍ରମୁଖ ପ୍ରବେଶପଥ ସିଲ୍‌ କରାଯାଇଛି। ଚାରିଚକିଆ, ଦୁଇଚକିଆ, ବସ୍‌, ଅଟୋ ଆଦି ଯାନବାହନ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର ପାର୍ଶ୍ବରୁ ଆସୁଥିବା ଚାରିଚକିଆ ଗାଡ଼ି ପାଇଁ ଜେଲ୍‌ ରୋଡ୍‌, ବଡ଼ଦାଣ୍ଡ ଶରଧାବାଲିଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏମାନେ ବାଟଗାଁ, ଚାରିନଳା, ଅଠରନଳା, କୁମ୍ଭାରପଡ଼ା ଥାନା ହୋଇ ଜେଲ୍‌ ରୋଡ୍‌ରେ ପାର୍କିଂ କରିବେ ଅବା ମେଡିକାଲ୍‌ ଛକ ହୋଇ ବଡ଼ଶଙ୍ଖ ଦେଇ ଯାଇ ଶରଧାବାଲିରେ ପାର୍କିଂ କରିବେ। ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ଚାରିଚକିଆ ଗାଡ଼ି ମଙ୍ଗଳାଘାଟ ଛକରୁ ଡାହାଣ ପାର୍ଶ୍ବକୁ କଟିବେ। ଷ୍ଟର୍ଲିଂ ଛକ ଦେଇ ବେଳାଭୂମି ରାସ୍ତାରେ ପହଞ୍ଚିବେ। ଲାଇଟ୍‌ ହାଉସ୍‌ ଛକ ଅବା ଯାତ୍ରୀକା ନିକଟରେ ପାର୍କିଂ କରିବେ। ଫେରିବା ବେଳେ ସେହି ବାଟରେ ଫେରିବେ। କୋଣାର୍କ ପାର୍ଶ୍ବରୁ ଆସୁଥିବା ଗାଡ଼ି ବାଇଦାସନଗର, ତୋଷାଳି ସ୍ୟାଣ୍ଡ୍‌ସ ଛକ, ଗ୍ରିଡ୍‌ ଷ୍ଟେସନ୍‌, ଭୂଦାନ ଛକ ହୋଇ ତାଳବଣିଆରେ ପାର୍କିଂ କରିବେ। ଫେରିବା ବେଳେ ସେହି ବାଟ ଦେଇ ଫେରିବେ। ଦୁଇଚକିଆ ଗାଡ଼ି ଅଠରନଳା, କୁମ୍ଭାରପଡ଼ା ଥାନା, ମେଡିକାଲ୍‌ ଛକ ଦେଇ ପୁରୀ ବଡ଼ଦାଣ୍ଡସ୍ଥିତ ମ୍ୟୁନିସିପାଲିଟି ମାର୍କେଟ୍‌ କମ୍ପ୍ଲେକ୍ସଠାରେ ପାର୍କିଂ କରିବେ। ଏହି ପାର୍କିଂରେ ଜାଗା ଅଭାବ ଦେଖାଦେଲେ, ମାର୍କେଟ୍‌ ଛକରୁ ମେଡିକାଲ୍‌ ଛକ ଭିତରେ ଗାଡ଼ି ପାର୍କିଂ କରିପାରିବେ। ତାଳବଣିଆରୁ ବଡ଼ଦାଣ୍ଡକୁ ଆସୁଥିବା ଅଟୋ ୱାଟର୍‌ ୱାର୍କସ ରୋଡ୍‌, ଓଡ଼ିଶା ବେକରୀ, ରାମମନ୍ଦିର, ଘୋଡ଼ାବଜାର, ରେଡ୍‌କ୍ରସ ରୋଡ୍‌ ହୋଇ ମେଡିକାଲ୍‌ ଛକରେ ପହଞ୍ଚି ଯାତ୍ରୀଙ୍କୁ ଛାଡ଼ି ପୁଣି ସେହି ବାଟରେ ଫେରିବେ। ତାଳବଣିଆରୁ ସମୁଦ୍ରକୂଳକୁ ଯାଉଥିବା ଅଟୋ ପେଣ୍ଠକଟା ଛକ, ସିଟି ରୋଡ୍‌, ୟୁଥ୍‌ ହଷ୍ଟେଲ୍‌, ଅର୍ବାନ ହାଟ, ଜିଲ୍ଲା ସ୍କୁଲ, ଏସ୍‌ସିଏସ୍‌ କଲେଜ ହୋଇ ଟାଉନ୍‌ ହଲ୍‌ ଛକରେ ପହଞ୍ଚି ଯାତ୍ରୀଙ୍କୁ ଓହ୍ଲାଇବା ପରେ ପୁଣି ସେଠାରୁ ସେହି ରାସ୍ତାରେ ଫେରିବେ। ଶ୍ରୀମନ୍ଦିର ଚାରିପାଖରେ ଚାରିଚକିଆ ଚଳାଚଳରେ କଟକଣା ଲଗାଯାଇଛି। ବାଲିସାହି ରୋଡ୍‌ ସୋଲାଖିଆ ବରଗଛ ଛକଠାରୁ କୌଣସି ଅଟୋ ଶ୍ରୀମନ୍ଦିର ଆଡ଼କୁ ଆସି ପାରିବନି। ସେହିପରି ବିଶ୍ବେଶ୍ବରୀ ମନ୍ଦିର, ମୋଚିସାହି ଛକ, ବୃଷଭ ଛକଠାରୁ କୌଣସି ଅଟୋ ଶ୍ରୀମନ୍ଦିର ଆଡ଼କୁ ଆସିପାରିବେନି।

    ହୋଟେଲ ପାଇଁ ‘ସରାଇ’ ଆପ୍‌
    ପୁରୀ: ନୂଆବର୍ଷ ପୂର୍ବରୁ ଜିଲ୍ଲା ପୁଲିସ ପକ୍ଷରୁ ହୋଟେଲରେ ରହୁଥିବା ଯାତ୍ରୀ ତଥା ପର୍ଯ୍ୟଟକଙ୍କ ବିସ୍ତୃତ ବିବରଣୀ ପ୍ରଦାନ ପାଇଁ ‘ସରାଇ’ ଆପ୍‌ର ଶୁଭାରମ୍ଭ କରାଯାଇଛି। ପୁରୀ ଏସ୍‌ପି ବିନୀତ୍‌ ଅଗ୍ରୱାଲ୍‌ ଆଜି ଏହାର ଶୁଭାରମ୍ଭ କରିଛନ୍ତି। ଏହି ଆପ୍‌ର ବିଶେଷତ୍ବ ହେଉଛି, ଯେଉଁ ଯାତ୍ରୀମାନେ ଆସିବେ ସେମାନଙ୍କର ସମସ୍ତ ବିବରଣୀ (ଡିଟେଲ୍‌ ଡାଟାବେସ୍‌) ପୁଲିସ ପାଖରେ ରହିବ। ଯାହାଦ୍ବାରା ଆପରାଧିକ କାର୍ଯ୍ୟକଳାପକୁ ରୋକା ଯାଇପାରିବ। ପୂର୍ବରୁ ହୋଟେଲରେ ଯେଉଁ ଯାତ୍ରୀମାନେ ରହୁଥିଲେ, ରେଜିଷ୍ଟର ଖାତାରେ ସେମାନଙ୍କ ସଂପର୍କିତ ଉଲ୍ଲେଖ ତଥ୍ୟ ପୁଲିସ ପାଖରେ ଜମା କରୁଥିଲେ। ଏହି ବ୍ୟବସ୍ଥାରେ ଅନେକ ହୋଟେଲ ମାଲିକ ଯାତ୍ରୀଙ୍କ ତଥ୍ୟ ଉଲ୍ଲେଖ ନ କରି ହୋଟେଲରେ ସେମାନଙ୍କୁ ରଖୁଥିଲେ। ଯାହା ଆପରାଧିକ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିଲା। ଏହାକୁ ରୋକିବା ଲାଗି ସରାଇ ଆପ୍‌କୁ ବିକଶିତ କରାଯାଇଛି। ହୋଟେଲ ମାଲିକମାନେ ନିୟମିତ ଏହି ଆପ୍‌ରେ ଯାତ୍ରୀଙ୍କ ତଥ୍ୟ ଦେବେ। ଯାହାର ତଥ୍ୟ ସିଧାସଳଖ ପୁଲିସ ପାଖରେ ପହଞ୍ଚିବ। ଯେଉଁମାନେ ଏହି ତଥ୍ୟ ଦେବେନି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଆପ୍‌ ଜରିଆରେ ଦିଆଯାଉଥିବା ଯାତ୍ରୀମାନଙ୍କର ସମସ୍ତ ତଥ୍ୟ ଗୋପନୀୟ ରହିବ ବୋଲି ଏସ୍‌ପି ଶ୍ରୀ ଅଗ୍ରୱାଲ ଆଶ୍ବାସନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.6 ° C
    24.6 °
    24.6 °
    94 %
    2.9kmh
    99 %
    Sat
    25 °
    Sun
    25 °
    Mon
    23 °
    Tue
    27 °
    Wed
    29 °

    ସମ୍ବନ୍ଧିତ