କୋଲକତା : ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି କୋଲକାତାର ଆର୍ଜେଣ୍ଟିନା ଫ୍ୟାନ୍ କ୍ଲବର ସଭାପତି ଉତ୍ତମ ସାହାଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଛନ୍ତି । ୫୦ କୋଟିର ମାନହାନି ମକଦ୍ଦମା କଲେ ପୂର୍ବତନ ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ସୌରଭ ଗାଙ୍ଗୁଲି ।
ମେସିଙ୍କ କୋଲକାତା ଗସ୍ତରେ ବିଭ୍ରାଟ ପାଇଁ ସୌରଭଙ୍କ ବିରୋଧରେ ଉତ୍ତମଙ୍କ ଅଭିଯୋଗ ପରେ କଠୋର ପଦକ୍ଷେପ ନେଇଛନ୍ତି ସୌରଭ । ଗତ ୧୩ ଡିସେମ୍ବର ୨୦୨୫ରେ ଫୁଟବଲ ତାରକା ଲିଓନେଲ୍ ମେସି କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମକୁ ଆସିଥିଲେ । ମାତ୍ର ଏହି କାର୍ଯ୍ୟକ୍ରମରେ ପ୍ରବଳ ବିଶୃଙ୍ଖଳା ଦେଖାଦେଇଥିଲା । ମେସି ମାତ୍ର ୨୨ ମିନିଟ୍ ପାଇଁ ପଡ଼ିଆକୁ ଆସିବାରୁ ଦର୍ଶକମାନେ ଉତ୍ତ୍ୟକ୍ତ ହୋଇ ଷ୍ଟାଡିୟମରେ ପ୍ରବଳ ଭଙ୍ଗାରୁଜା କରିଥିଲେ । ପ୍ରାୟ ୨ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା ।
ତେବେ କାର୍ଯ୍ୟକ୍ରମ ପରେ ଉତ୍ତମ ଶାହା ଭିଡିଓ ସାକ୍ଷାତକାରରେ ଅଭିଯୋଗ କରିଥିଲେ ଯେ, କାର୍ଯ୍ୟକ୍ରମର ଆୟୋଜକ ଶତଦ୍ରୁ ଦତ୍ତଙ୍କ ସହ ଗାଙ୍ଗୁଲିଙ୍କ ସମ୍ପର୍କ ଅଛି ଏବଂ ସେ ଜଣେ ମଧ୍ୟସ୍ଥି ଭାବେ କାମ କରୁଥିଲେ । ସୌରଭ ଗାଙ୍ଗୁଲି ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ବୋଲି କହିଛନ୍ତି । ସେ କହିଛନ୍ତି ଯେ, ସେ କେବଳ ଜଣେ ଅତିଥି ଭାବେ ସେଠାକୁ ଯାଇଥିଲେ ଏବଂ ଆୟୋଜନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ନିଜର ସମ୍ମାନ ରକ୍ଷା ପାଇଁ ସେ କୋଲକାତା ପୋଲିସର ସାଇବର ସେଲରେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି । ସେପଟେ ଯୁବା ଭାରତୀ ଷ୍ଟାଡିୟମରେ ବିଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମେସି ଓ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି । ଘଟଣାରେ ପୋଲିସ ଆୟୋଜକ ଶତଦ୍ରୁ ଦତ୍ତଙ୍କୁ ଗିରଫ କରି ୧୪ ଦିନିଆ ହାଜତକୁ ପଠାଇଛି ।

