ମୁନି,ଋଷି,ସାଧୁ,ସନ୍ଥ, ତପସ୍ଵୀମାନେ ଆଶ୍ରମ ପ୍ରତିଷ୍ଠା କରି ବସବାସ କରି ଧାର୍ମିକ ଜୀବନଯାପନ କରିବାକୁ ଭଲ ପାଆନ୍ତି । ଏହିପରି ପବିତ୍ର ଗଙ୍ଗାନଦୀ କୁଳସ୍ଥ ଏକ ଜଙ୍ଗଲରେ ଜନୈକ ସାଧୁ ଆଶ୍ରମ ଜୀବନଯାପନ କରୁଥାନ୍ତି । ନିକଟସ୍ଥ ଅଞ୍ଚଳ ମାନଙ୍କରେ ପରିଭ୍ରମଣ କରି ଦୁଃଖୀ,ଅସହାୟ,ଅକ୍ଷମ,ରୁଗ୍ଣ,ପୀଡ଼ିତ ଜନସାଧାରଣଙ୍କ ସେବା ଅକୁଣ୍ଠ ଚିତ୍ତରେ ନିଃସ୍ଵାର୍ଥପର ଭାବରେ କରିଚାଲିଥାନ୍ତି । ସତେ ଯେପରି ଉପକାର କରିବ ତାଙ୍କର ପ୍ରଥମ ଓ ପରମ କର୍ତ୍ତବ୍ୟ । ଏପରି ସେବାରେ ନିୟୋଜିତ ହୋଇଯାନ୍ତି ଯେ ଆଶ୍ରମର ଆୟ ଓ ନିଜସ୍ବ ଅର୍ଜିତ ସମ୍ପତ୍ତି ବିନିଯୋଗ କରି ସେ ଅନ୍ୟମାନଙ୍କର ଦୁଃଖମୋଚନ କରି ଚାଲିଥାନ୍ତି । ତାଙ୍କର ଏପରି ଦାନ ଓ ସେବା ଦେବଲୋକରେ ଦେବତାମାନଙ୍କର କର୍ଣ୍ଣଗୋଚର ହେଲା ।
ଦେବତାମାନେ ଏହି ସେବକ ଶ୍ରଷ୍ଠ ତପସ୍ଵୀଙ୍କୁ ଦର୍ଶନ କରିବା ଏବଂ ପରୀକ୍ଷା କରିବା ନିମନ୍ତେ ଛଦ୍ମବେଶରେ ତାଙ୍କ ଆଶ୍ରମରେ ଉପସ୍ଥିତ ହେଲେ । ସେତେବେଳକୁ ତପସ୍ଵୀ ତପମଗ୍ନ ଥିଲେ । ତପସ୍ୟା ସାରିବାପରେ ସେ ଛଦ୍ମବେଶୀ ଦେବତା ମାନଙ୍କୁ ଦେଖି ମୁଗ୍ଧ ହୋଇ ଆସନ ପ୍ରଦାନ କଲେ । ତାଙ୍କର ଖାଦ୍ଯ ପନୀୟର ବ୍ୟବସ୍ଥା କରେ । ତାପରେ ଅତିଥିମାନଙ୍କର ଆସିବାର କାରଣ ଜାଣିବାକୁ ଚାହିଁଲେ । ଛଦ୍ମବେଶୀ ଦେବଗଣ ପ୍ରକାଶ କଲେ – “ ହେ ପରୋପକାରୀ ତପସ୍ଵୀ , ଆପଣଙ୍କ ଲୋକହିତକର ସେବାରେ ଆମେ ଅତ୍ୟନ୍ତ ପ୍ରୀତ । ପ୍ରକୃତରେ ଏହି ପରୋପକାର ଓ ସେବା କରିବାରେ ତୁମର ଉଦ୍ଦେଶ୍ୟ କଣ?”
ସାଧୁ ବିସ୍ମିତ ହୋଇ ଉତ୍ତର ଦେଲେ,”ଝରଣା,ନଦୀ ହିତସାଧନାର୍ଥେ ଜଳଦାନ କରିଥାନ୍ତି । ନିଜ ଜଳ ନିଜେ କେବେ ପାନ କରିନଥାନ୍ତି । ଫଳଭରା ବୃକ୍ଷ ନିଜଫଳ ନିଜେ ଗ୍ରହଣ ନକରି ସମାଜର ମଙ୍ଗଳାର୍ଥେ ଦାନ କରିଥାନ୍ତି । ଗୋମାତା ନିଜର ଅମୃତସମ ଦୁଗ୍ଧ ନିଜେ ପାନ ନକରି ଜନହିତରେ ପ୍ରଦାନ କରିଥାଏ । ଦୀପ ନିଜେ ଅନ୍ଧାରରେ ରହି ପରିବେଶକୁ ଆଲୋକିତ କରିଥାଏ । ଧରିତ୍ରୀ ମାତା ବିନା ସ୍ଵାର୍ଥରେ ଶସ୍ୟ ଦାନ କରିଥାଏ । ସୂରୁଜ ନିଜର ବିନା ସ୍ଵାର୍ଥରେ ନିଜେ ଜଳି କିରଣ ଦାନ କରିଥାନ୍ତି । ଠିକ ସେହିପରି ଆମେ ଦୁର୍ଲଭ ମାନବ ଜନ୍ମ ପାଇ ନିଜ ପ୍ରକୃତ ଧର୍ମ ସେବାରେ ବ୍ରତୀ ହେବାନାହିଁ କାହିଁକି? ମୋର ସେବା ମୂଳରେ ସେପରି କିଛି ଉଦ୍ଦେଶ୍ୟ ନାହିଁ ।“
ସନ୍ଥଙ୍କ ମହତ ବିଚାରପୂର୍ଣ୍ଣ ବାକ୍ୟ ଶୁଣି ଦେବାଗଣ ମୁଗ୍ଧ ହେଲେ । ତାଙ୍କୁ କିଛି ବାର ମାଗିନେବା ଲାଗି ସୁଯୋଗ ଦେଲେ । ସନ୍ଥକହିଲେ,” କାମନା,ବାସନା,ସ୍ବାର୍ଥରୁ ମୁଁ ତଥା ସନ୍ଥ ସମାଜ ଢେର ଉର୍ଦ୍ଧ୍ଵରେ । ଅମର ସେପରି କିଛି ବରର ଆବଶ୍ୟକତା ନାହିଁ ।“ ଦେବାଗଣ କହିଲେ,”ଆପଣଙ୍କୁ କିଛି ବାର ମାଗିବାକୁ ପଡିବ । ନଚେତ ଆମ ମାନଙ୍କର ଅପମାନ ହେବ ।“ ସନ୍ଥ କହିଲେ,”ଯଦି ଏପରି କଥା ତେବେ ଆପଣ ସ୍ଵଇଚ୍ଛାରେ କିଛି ବର ପ୍ରଦାନ କରିପାରନ୍ତି ।“ ଛଦ୍ମବେଶୀ ଦେବଗଣ ସଂଥଙ୍କୁ ବାର ଦେଲେ ଯେ ତୁମେ ପରର ହିତସାଧନ କରିଚାଲ । ସନ୍ଥ କହିଲେ,” ଆଜି ଯାଏଁ ମୁଁ କାହାରିକୁ ବି ପର ମଣିନାହିଁ । ସମସ୍ତଙ୍କୁ ମୁଁ ଆପଣା ଭାବରେବିଚାର କରେ । ତେବେ ପରର କଲ୍ୟାଣ କରିବି କିପରି ? ପର କହିଲେ ଆମେ ପରମେଶ୍ବରଙ୍କୁ ଭାବୁ ।“ ଦେବଗଣ ସନ୍ଥଙ୍କ ବୁଦ୍ଧିମାନ କଥାଶୁଣି କହିଲେ, “ତାହେଲେ ଏବେ ତୁମେ ଏହି ବର ଗ୍ରହଣ କର ଯେ, ତୁମ ଦୃଷ୍ଟି ଓ ଛାଯା ଯାହା ଉପରେ ପଡିବ, ତାହାର ମଙ୍ଗଳ ସାଧିତ ହେବ ।“ ତପସ୍ଵୀ କହିଲେ,”ଏବେ ଆପଣ ଯଥାର୍ଥ ବର ଦେଲେ । କିନ୍ତୁ ଏତିକି ଆଶିଷ ଦିଅନ୍ତୁ, ମୁଁ ଏତେ ଜୀବମାନଙ୍କର ଉପକାର କଲି ବୋଲି ଯେପରି ନିଜେ ଜାଣି ନପାରେ । ନଚେତ ମନରେ ଗର୍ବ ସୃଷ୍ଟି ହେବ ଓ ଗର୍ବ ହେତୁ ମୋର ପତନ ହେବ । “ ଦେବଗଣ ସନ୍ଥଙ୍କର ଏପରି ମହାନତାରେ ମୁଗ୍ଧ ହେଲେ ।
କାହାଣୀ- ନିରଞ୍ଜନ ପତି