Friday, April 3, 2026
39.1 C
Odisha

    ପ୍ରଜନନ ସ୍ବାସ୍ଥ୍ୟରେ ଅନ୍ତରାୟ କି ଗର୍ଭନିରୋଧକ ବଟିକା?

    ଆଗକୁ ପଢନ୍ତୁ

    ଅସୁରକ୍ଷିତ ଯୌନ ସମ୍ପର୍କ କିମ୍ବା ଗର୍ଭନିରୋଧକର ଅକସ୍ମାତ୍‌ ବିଫଳତା ପରେ ଅନିଚ୍ଛାକୃତ ଗର୍ଭଧାରଣକୁ ରୋକିବା ପାଇଁ ‘ମର୍ନିଂ ଆଫ୍ଟର ପିଲ୍‌’ ହେଉଛି ଏକ ପ୍ରକାର ଜରୁରୀକାଳୀନ ଗର୍ଭନିରୋଧକ ବଟିକା, ଏବେ ଯାହାର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ଗର୍ଭଧାରଣ ବିରୋଧରେ ମହିଳାଙ୍କ ପାଇଁ ଏହା ଏକ ପ୍ରକାର ସୁରକ୍ଷା ଢାଲ ସଦୃଶ। ତେବେ ମହିଳାଙ୍କ ପ୍ରଜନନ ସ୍ବାସ୍ଥ୍ୟ ଉପରେ ଏହାର ଅନେକ ନକାରାତ୍ମକ ତଥା ବିପଜ୍ଜନକ ପ୍ରଭାବ ପଡ଼େ ବୋଲି ଏବେ ସାମାଜିକ ଗଣମାଧ୍ୟମରେ ପ୍ରଚାର କରାଯାଉଛି, ଯାହା ସତ ନୁହେଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଜରୁରୀକାଳୀନ ଗର୍ଭନିରୋଧକ ବଟିକା (ଏମର୍ଜେନ୍ସି କଣ୍ଟ୍ରାସେପ୍ଟିଭ୍‌ ପିଲ୍‌ସ ବା ‘ଇସିପି) ଗୁଡ଼ିକ କେବଳ ଯୌନ ସମ୍ପର୍କର ପ୍ରଥମ କିଛି ଦିନ ଭିତରେ ଏବଂ ଡିମ୍ବାଶୟରୁ ଡିମ୍ବାଣୁ ମୁକ୍ତ ହେବା ପୂର୍ବରୁ ଓ ଡିମ୍ବାଣୁକୁ ଶୁକ୍ରାଣୁ ‘ଫର୍ଟିଲାଇଜ୍‌’ କରିବା ପୂର୍ବରୁ ହିଁ କାମ କରିଥାଏ। ଏହି ବଟିକା ମୁଖ୍ୟତଃ ଡିମ୍ବାଣୁ ଉତ୍ପାଦନକୁ ବିଳମ୍ବିତ କରି କିମ୍ବା ବାଧା ଦେଇ ଗର୍ଭଧାରଣକୁ ରୋକିଥାଏ। ମାତ୍ର ଡିମ୍ବାଣୁ ସହିତ ଶୁକ୍ରାଣୁ ଥରେ ପ୍ରତିରୋପିତ ହୋଇସାରିଥିଲେ ଏହା ପ୍ରଭାବୀ ହୋଇନଥାଏ। ସେହିପରି ଏହି ବଟିକା ବିକାଶଶୀଳ ଭ୍ରୂଣର କ୍ଷତି କରେ ନାହିଁ। ସୁତରାଂ ଏହାଦ୍ବାରା ଗର୍ଭପାତ ହୋଇପାରିବ ନାହିଁ। ଜରୁରୀକାଳୀନ ଗର୍ଭନିରୋଧକ ବଟିକା ମହିଳାଙ୍କ ପ୍ରଜନନ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ତଥା ବିପଜ୍ଜନକ ପ୍ରଭାବ ପକାଏ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଚାର କରାଯାଉଛି। ହେଲେ ଏହାର ନିୟମିତ ବ୍ୟବହାର ବନ୍ଧ୍ୟାତ୍ବର କାରଣ ହୁଏ ଓ କର୍କଟ ଆଶଙ୍କା ବଢ଼ାଏ ବୋଲି ରହିଥିବା ଭ୍ରାନ୍ତ ଧାରଣା ସଂପୂର୍ଣ୍ଣ ଅମୂଳକ।

    ଅସୁରକ୍ଷିତ ଯୌନ ସମ୍ପର୍କ ପରେ ତୁରନ୍ତ ‘ଇସିପି’ ଗ୍ରହଣ କଲେ ତାହା ପ୍ରାୟ ୮୫% ଗର୍ଭଧାରଣକୁ ରୋକିପାରିବ। ତାହାକୁ ଯେତେ ଶୀଘ୍ର ଗ୍ରହଣ କରାଯିବ, ତାହା ସେତେ ଅଧିକ ପ୍ରଭାବଶାଳୀ ହୋଇଥାଏ। ଏହି ଔଷଧର ନିୟମିତ ବ୍ୟବହାର ବନ୍ଧ୍ୟାତ୍ବର କାରଣ ହୁଏ ଓ କର୍କଟ ଆଶଙ୍କା ବଢ଼ାଏ ବୋଲି ରହିଥିବା ଭ୍ରାନ୍ତ ଧାରଣାଗୁଡ଼ିକ ସଂପୂର୍ଣ୍ଣ ଅମୂଳକ। ଏହି ବଟିକା ଗ୍ରହଣ କରିବା ସଂପୂର୍ଣ୍ଣ ସୁରକ୍ଷିତ, ଏହାର ବ୍ୟବହାର ସହିତ କୌଣସି ମୃତ୍ୟୁ ବା ଗମ୍ଭୀର ଜଟିଳତା ଜଡ଼ିତ ନୁହେଁ।ସାଧାରଣ ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ମାସିକ ଋତୁସ୍ରାବର ଦିବସରେ ପରିବର୍ତ୍ତନ ଦେଖାଦେଇଥାଏ। କିଛି ବ୍ୟବହାରକାରୀ ବାନ୍ତି, ଥକାପଣ, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା କିମ୍ବା ସ୍ତନ କୋମଳତା ପରି ମୃଦୁ ତଥା କ୍ଷଣସ୍ଥାୟୀ ପାର୍ଶ୍ବ ପ୍ରତିକ୍ରିୟା ଅନୁଭବ କରିପାରନ୍ତି। ଏହାକୁ ବାରମ୍ବାର ବ୍ୟବହାର କଲେ ଋତୁସ୍ରାବରେ ଅନିୟମିତତା ପରି ପାର୍ଶ୍ବ ପ୍ରତିକ୍ରିୟା ବୃଦ୍ଧି ପାଇପାରେ। ‘ଇସିପି’ ବଟିକା ଏକ ନିରାପଦ ତଥା ପ୍ରଭାବୀ ଜରୁରୀକାଳୀନ ଗର୍ଭନିରୋଧକ ଔଷଧ ଭାବେ ଅନିଚ୍ଛାକୃତ ଗର୍ଭଧାରଣକୁ ରୋକିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ, ତେବେ ମନେ ରଖିବା ଉଚିତ ଯେ ଏହା ନିୟମିତ ବ୍ୟବହାର ପାଇଁ ଉଦ୍ଦିଷ୍ଟ ନୁହେଁ। ଅନିଚ୍ଛାକୃତ ଗର୍ଭଧାରଣକୁ ରୋକିବା ଲାଗି ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଗର୍ଭନିରୋଧର ବିକଳ୍ପ ଉପାୟ ଆପଣେଇବା ଉଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ