Tuesday, August 18, 2026
23.9 C
Odisha

    ପ୍ରଶ୍ନ

    ଆଗକୁ ପଢନ୍ତୁ

    ବିଛଣା ଉପରେ ଶୋଇରହି ବାରମ୍ବାର କଡ଼ ଲେଉଟାଉଥାନ୍ତି ଦିଲ୍ଲୀପ ବାବୁ । ଚେଷ୍ଟା କରି ମଧ୍ୟ ଆଖିକୁ ନିଦ ଆସୁନଥାଏ । ଦୁଇଦିନ ପୂର୍ବେ ତାଙ୍କ ସହ ଘଟିଯାଇଥିବା ଏକ ଘଟଣାର ପ୍ରତିଛବି ସବୁ ତାଙ୍କ ଆଖି ଆଗରେ ଭାସି ବୁଲୁଥାଏ । ସେ ବୁଝିପାରୁନଥାନ୍ତି ତାଙ୍କ ଭୁଲ ଥିଲା କ’ଣ? କ’ଣ ମଣିଷପଣିଆ ଦେଖାଇ କୌଣସି ଅସହାୟକୁ ସହାୟତାର ହାତ ବଢାଇବା ଥିଲା ତାଙ୍କର ଭୁଲ? ଯଦି ନା,ତେବେ ବର୍ତ୍ତମାନ ତାଙ୍କୁ କେଉଁ ଅପରାଧର ଦଣ୍ଡ ଭୋଗିବାକୁ ପଡୁଛି? ଗୋଟିଗୋଟି କରି ମନେ ପଡ଼ିଯାଉଥାଏ ଦୁଇଦିନ ପୂର୍ବର ସେଇ ଘଟଣା ।

    ଏକ ବ୍ୟସ୍ତବହୁଳ ଦିନର କ୍ଳାନ୍ତି ମେଣ୍ଟାଇବା ଉଦ୍ଦେଶ୍ୟରେ ଦିଲ୍ଲୀପ ବାବୁ ଗାଡି ଷ୍ଟାର୍ଟ କରନ୍ତି ଗୃହାଭିମୁଖେ । ଏକ ବ୍ୟାଙ୍କ ର ଜେନେରାଲ ମ୍ୟାନେଜର ଭାବରେ କାମ କରନ୍ତି ସେ । ପାଖରେ ଟଙ୍କା ପଇସାର କୌଣସି ଅଭାବ ନାହିଁ । ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ବୋଲି ପୁଅ । ଏକ ବିଳାସମୟ ଜୀବନ ବିତାନ୍ତି ସେ । ତଥାପି ତିଳେ ହେଲେ ଗର୍ବ ବା ଅହଂକାର ସ୍ପର୍ଶ କରିନଥାଏ ତାଙ୍କ ଦରଦୀ ମନକୁ । ଅସହାୟ କୁ ସାହା ହେବା,ଦୁଃଖିରଙ୍କୀଙ୍କ ସେବା କରିବା ଯେପରି ତାଙ୍କର ଜନ୍ମସିଦ୍ଧ କର୍ତ୍ତବ୍ୟ ବୋଲି ମାନି ନେଇଛନ୍ତି ସେ ।

    ସେଦିନ ଦିନସାରା କାମରେ ବ୍ୟସ୍ତ ରହି ରାତି ପ୍ରାୟ ନଅଟା ବେଳକୁ ଘରକୁ ଫେରୁଥାନ୍ତି ଦିଲ୍ଲୀପ ବାବୁ ଏକ କ୍ଳାନ୍ତ ଶରୀର ନେଇ । ଆଉ ମାତ୍ର କିଛି ସମୟ ପରେ ସେ ଘରେ ପହଁଚିବେ । ହଠାତ ରାସ୍ତା କଡରେ ଦେଖିଲେ କେହିଜଣେ ହାତ ହଲାଇ ତାଙ୍କୁ ଗାଡି ରୋକିବାକୁ ଅନୁରୋଧ କରୁଛି । ଶୀତ କାରଣରୁ କାକରବିନ୍ଦୁ ପଡି ଅସ୍ପଷ୍ଟ ଦେଖାଯାଉଥିବା ଗାଡିର କାଚ ମଧ୍ୟରୁ ସେ ଦେଖିଲେ ଅଳ୍ପ ବୟସର ଜଣେ ଯୁବତୀ । କାନ୍ଧ ଉପରେ ମୁଣ୍ଡ ରଖି ପ୍ରାୟ ଭରାଦେବା ଅବସ୍ଥାରେ ଠିଆ ହୋଇଛନ୍ତି ଆଉଜଣେ ମଧ୍ୟବୟସ୍କ ବ୍ୟକ୍ତି । ଯୁବତୀଟି ଅସହାୟ ହୋଇ ବିନମ୍ରତାର ସହ ଅନୁରୋଧ କରୁଥାଏ ଗାଡ଼ି ରୋକିବାକୁ । କିଛି ବୁଝିବା ଆଗରୁ ବ୍ରେକ ଉପରେ ଆପେ ଆପେ ଗୋଡ଼ଟି ରହିଗଲା ଦିଲ୍ଲୀପ ବାବୁଙ୍କର । ଝରକା କାଚ ଖୋଲି ବାହାରକୁ ଚାହିଁଲେ । ଯୁବତୀଟି କହୁଥାଏ ବ୍ୟକ୍ତି ଜଣକ ତା’ର ବାପା । ଦେହ ପ୍ରବଳ ଖରାପ । ଡାକ୍ତରଖାନା ନେବାକୁ ହେବ । ଅନେକ ବେଳୁ ଅମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି ହେଲେ ସବୁ ବ୍ୟର୍ଥ । ସେ ଏଇ ପାଖ ବସ୍ତିରେ ରହେ । ଡାକ୍ତରଖାନା ନେବାକୁ ଆଉ କୌଣସି ଉପାୟ ନାହିଁ । ତେଣୁ ସେ ହାତଯୋଡି ନେହୁରା ହେଉଥାଏ ସହାୟତା ପାଇଁ । ଥଣ୍ଡା କାରଣରୁ ତା’ର ଅଷ୍ଟାଙ୍ଗ ଶରୀର କମ୍ପି ଉଠୁଥାଏ । ତା’ର ଏଇ ଅବସ୍ଥା ଦେଖି ଦିଲ୍ଲୀପ ବାବୁଙ୍କ ମନ ଅସ୍ଥିର ହୋଇପଡ଼ିଲା । ଆଗପଛ ନଭାବି ସେମାନଙ୍କୁ ଗାଡିରେ ବସାଇ ମାଡିଚାଲିଲେ ଡାକ୍ତରଖାନା ଅଭିମୁଖେ । ସେଠାରୁ ଡାକ୍ତରଖାନା ପ୍ରାୟ ଦଶ କିଲୋମିଟର ଦୂର । ଗାଡ଼ି ଚଲାଉଥାନ୍ତି ଦିଲ୍ଲୀପ ବାବୁ । ମଝିରେ ମଝିରେ ପଛକୁ ବୁଲି ଲୋକଟିର ହାଲଚାଲ ବୁଝି ନେଉଥାନ୍ତି । ଯୁବତୀଟିକୁ ସାନ୍ତ୍ଵନା ମଧ୍ୟ ଦେଉଥାନ୍ତି । ଶୀତ ରାତିର ପ୍ରଭାବରେ ରାଜରାସ୍ତା ହୋଇଯାଇଥାଏ ଶୂନଶାନ । ହଠାତ କିଛି ଚକିତ କଲାଭଳି ଘଟଣା ଘଟିଲା । ରୁଗ୍ଣ ଓ ଅଚେତ ବ୍ୟକ୍ତିଟି ହୋଇଉଠିଲା ସଚେତ । ଅଣ୍ଟା ପାଖରୁ ଏକ ବନ୍ଧୁକ ବାହାର କରି ରଖିଲା ଦିଲ୍ଲୀପ ବାବୁଙ୍କ ମଥାରେ । ଯୁବତୀଟିର କଣ୍ଠସ୍ଵର ବଦଳି ଯାଇଥିଲା । ନିରୀହରୁ ପାଲଟି ଯାଇଥିଲା ହିଂସ୍ର । ଚଢା ଗଳାରେ ଧମକ ଦେବା ଭଙ୍ଗୀରେ ଗାଡ଼ି ନ ରୋକିବାକୁ କହିଲା । କିଛି ବୁଝିପାରୁନଥାନ୍ତି ଦିଲ୍ଲୀପ ବାବୁ । ଅନିଚ୍ଛା ସତ୍ତ୍ୱେ ପ୍ରାଣ ଭୟରେ ତା’ର କଥା ମାନିବାକୁ ବାଧ୍ୟ ହୁଅନ୍ତି ସେ । ଏକ ନିକାଞ୍ଚନ ଜାଗାରେ ଦିଲ୍ଲୀପ ବାବୁଙ୍କୁ ଧକ୍କା ଦେଇ ଗାଡିରୁ ବାହାରକୁ ଠେଲିଦେଲେ । ଗାଡି ସହିତ ତାଙ୍କ ମୋବାଇଲ ଫୋନ ଏବଂ ନଗଦ ଅଶୀହଜାର ଟଙ୍କା ଧରି ଫେରାର ହୋଇଗଲେ ସେହି ଦୁଇଜଣ ।

    ହଠାତ୍ ସବୁକିଛି ଅନ୍ଧାର । ଆଖି ଖୋଲିବା ପରେ ନିଜକୁ ନିଜ ଘର ଖଟ ଉପରେ ଆବିଷ୍କାର କରନ୍ତି ଦିଲ୍ଲୀପ ବାବୁ । ଏପରି ଏକ ଅଘଟଣ ଘଟିଯିବା ପରେ ପୂର୍ଣ୍ଣ ମାତ୍ରାରେ ନହେଲେ ବି ଆଂଶିକ ଭାବରେ ଭାଙ୍ଗିପଡନ୍ତି ସେ । ବିଶ୍ୱାସ ବୋଲି ଏକ ଶବ୍ଦ ଉପରୁ ବିଶ୍ଵାସ ହଟିଯାଇଥାଏ ତାଙ୍କର । ଏପରି ଦିନ ବିତି ଚାଲିଥାଏ ।

    କିଛିଦିନ ପରେ ସେମିତି ଏକ ବ୍ୟସ୍ତବହୁଳ ଦିନର କାମସାରି ରାତି ପ୍ରାୟ ସାଢେ ନଅ ବେଳକୁ ଘରକୁ ଫେରୁଥାନ୍ତି ସେ । ଘର ଆଉ ଖୁବ୍ କମ୍ ବାଟ । ରାଜରାସ୍ତା ପ୍ରାୟ ଶୂନଶାନ ହୋଇଗଲାଣି । ହଠାତ ଦୂରରୁ ଅସ୍ପଷ୍ଟ ଭାବରେ ଦେଖିବାକୁ ପାଇଲେ ଏକ ସ୍ତ୍ରୀଲୋକ ସହାୟତା ମାଗି ଗାଡି ରୋକିବା ପାଇଁ ହାତ ହଲାଉଛି । ତାଙ୍କର ମନେ ପଡିଗଲା ଅତୀତର ଘଟଣା । ତେଣୁ ସେଆଡକୁ ଦୃଷ୍ଟି ନଦେଇ ଗାଡିର ବେଗ ବଢାଇ ଚାଲିଗଲେ ଦିଲ୍ଲୀପ ବାବୁ । ହେଲେ ରାତିରେ ତାଙ୍କୁ ଭଲରେ ନିଦ ହେଲାନି । କିଛି ଭୁଲ କରିନି ତ ? ଏଇ ପ୍ରଶ୍ନ ତାଙ୍କୁ ବାରମ୍ବାର ବିଚଳିତ କରୁଥାଏ । ସେମିତି ସେମିତି ହିଁ ରାତି ପାହିଗଲା । ପୁଣି ଏକ କାମଭର୍ତ୍ତି ଦିନର ଆରମ୍ଭ । ସକାଳୁ ଉଠି ନିତ୍ୟକର୍ମ ସାରି ମର୍ନିଂୱାକରେ ବାହାରିପଡ଼ିଲେ ଦିଲ୍ଲୀପ ବାବୁ । କିଛିବାଟ ଚାଲିବା ପରେ ସେ ଦେଖିଲେ,ରାସ୍ତା କଡ଼ରେ କିଛି ଲୋକ ରୁଣ୍ଡ ହୋଇଛନ୍ତି । ସକାଳୁ ସକାଳୁ ଏତେ ଭିଡ଼ ! କ’ଣ ହୋଇଛି ? ଏଇ ତ ସେଇ ଜାଗା, ଗତକାଲି ରାତିରେ ଯେଉଁଠି ସେଇ ସ୍ତ୍ରୀଲୋକ ଟି ହାତ ହଲେଇ ଗାଡି ରୋକିବାକୁ କହୁଥିଲା । ଏପରି ଗୁଡାଏ କଥା ଚିନ୍ତା କରି କରି ଦିଲ୍ଲୀପ ବାବୁ ଆଗେଇ ଚାଲିଲେ ସେ ସ୍ଥାନକୁ । ମାତ୍ର ସେଠାରେ ପହଞ୍ଚି ସେ ଯାହା ଦେଖିଲେ, ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ତାଙ୍କୁ ଲାଗିଲା ସତେ ଯେମିତି ତାଙ୍କ ପାଦତଳୁ ପୃଥିବୀଟା ଖଣ୍ଡ ଖଣ୍ଡ ହୋଇ ପାତାଳରେ ମିଶି ଯାଉଛି । କାଲି ରାତିରେ ତାଙ୍କୁ ସହାୟତା ମାଗୁଥିବା ସେଇ ସ୍ତ୍ରୀଲୋକଟି ରାସ୍ତା କଡରେ ଚିର ନିଦ୍ରାରେ ଶୋଇଯାଇଛି । ମାତ୍ର ଏକୁଟିଆ ନୁହେଁ । ସାଙ୍ଗରେ ଅନ୍ୟ ଏକ ଜୀବନ ନେଇ । ଦୁନିଆର ଆଲୋକ ଦେଖିବାକୁ ସୁଯୋଗ ପାଇନଥିବା ଏକ ନିରୀହ,ନିଷ୍ପାପ,କୋମଳ ଶିଶୁର ଜୀବନକୁ ସାଙ୍ଗରେ ନେଇ ।

    ଉଚିତ ଓ ଅନୁଚିତର ଦୋଛକିରେ ଛିଡା ହୋଇ ଖୁବ ଅସହାୟ ହୋଇପଡିଛନ୍ତି ଦିଲ୍ଲୀପ ବାବୁ । କୋହଭରା କଣ୍ଠରେ ଚିତ୍କାର କରି ସହାୟତା ମାଗୁଛନ୍ତି ଏକାଧିକ ଚରିତ୍ରରେ ଭରା ଏଇ ସମାଜକୁ ।

    କାହାଣୀ- ଅର୍ପିତା ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    94 %
    2.5kmh
    100 %
    Tue
    24 °
    Wed
    25 °
    Thu
    26 °
    Fri
    27 °
    Sat
    27 °

    ସମ୍ବନ୍ଧିତ