Saturday, November 8, 2025
19.9 C
Odisha

    ପ୍ରସିଦ୍ଧ ରାହାସ ଯାତ୍ରା ଲାଗି ହରିପୁର ଅଞ୍ଚଳ ଉତ୍ସବମୁଖର, କୁଞ୍ଜରେ ଶୋଭାପାଉଛନ୍ତି ରାଧାକୃଷ୍ଣ ଓ ମଦନମୋହନ

    ଆଗକୁ ପଢନ୍ତୁ

    ଯାଯପୁର: ପ୍ରସିଦ୍ଧ ରାହାସ ଯାତ୍ରା ଲାଗି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ହରିପୁର ଅଞ୍ଚଳ ଚଳଚଞ୍ଚଳ । ପଞ୍ଚୁକ ଆରମ୍ଭରୁ ଚାଲିଥାଏ ଏହି ଯାତ୍ରା । ଅଞ୍ଚଳର ମଠ ମନ୍ଦିର ଏବଂ କୁଞ୍ଜରେ ପୂଜା ପାଇଥାନ୍ତି ରାଧାକୃଷ୍ଣ ଏବଂ ମଦନମୋହନ । ଏହି ସମୟରେ ସମଗ୍ର ଅଞ୍ଚଳ ହୋଇଉଠେ ଉତ୍ସବ ମୁଖର । ଚଳିତ ବର୍ଷ ରାହାସ ଯାତ୍ରାରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ଏହାକୁ ଭରପୁର ଉପଭୋଗ କରୁଛନ୍ତି ହଜାର ହଜାର ଦର୍ଶକ ।

    ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ଆରମ୍ଭରୁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ହରିପୁର ଗ୍ରାମାଞ୍ଚଳ ରାହାସ ଯାତ୍ରା ପାଇଁ ହୋଇଉଠେ ଉତ୍ସବ ମୁଖର । ଅଞ୍ଚଳର ବିଭିନ୍ନ ମଠ ମନ୍ଦିରରେ ଭିନ୍ନ ଭିନ୍ନ କୁଂଜ ତିଆରି ହୋଇ ପୂଜା ପାଇଥାନ୍ତି ରାଧାକୃଷ୍ଣ ଓ ମଦନମୋହନ । କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସୁଥିବା ବେଳେ ଏହି ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳ ସହ ଜିଲ୍ଲା ବାହାରୁ ଲୋକଙ୍କର ସୁଅ ଛୁଟିଥାଏ । କାରିଗରମାନେ ଅନେକ ଦିନ ଆଗରୁ ଲାଗି ପଡିଥାନ୍ତି କୁଂଜ ଓ ମୂର୍ତ୍ତି ତିଆରି କାମରେ । ବିଶେଷ ଭାବରେ କାରିଗରମାନେ ବିଭିନ୍ନ ସାମଗ୍ରୀକୁ ବ୍ୟବହାର କରି ସାଜ୍ଜସଜ୍ଜା ଉପରେ ଗୁରତ୍ୱ ଦେଇଥାନ୍ତି । କୁଞ୍ଜକୁ ଆକର୍ଷଣୀୟ କରିବା ଲାଗି ଅନେକ ସାହିର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ହେଉଥିବା ଏହି ସମୟରେ ଲକ୍ଷ୍ୟ କରାଯାଇଥାଏ । ଚଳିତ ବର୍ଷ ଆକର୍ଷଣୀୟ କୁଞ୍ଜ ସାଙ୍ଗକୁ ଏହି ଯାତ୍ରାକୁ ଉପଭୋଗ କରିବା ପାଇଁ ଛୁଟି ଆସିଛନ୍ତି ହଜାର ହଜାର ଦର୍ଶକ ।

    କିମ୍ବଦନ୍ତି ଅନୁସାରେ ପଞ୍ଚଦଶ ଶତାବ୍ଦୀରେ ଶ୍ରୀ ଚୈତନ୍ୟଦେବ ଶ୍ରୀକ୍ଷେତ୍ର ଯିବା ବାଟରେ ଏଇଠି କିଛି ସମୟ ଅଟକିଥିଲେ । ସେହି ସମୟରେ ଏହି ସ୍ଥାନରେ ଅନେକ ଲୋକ ରାଧାକୃଷ୍ଣଙ୍କ ପ୍ରେମରେ ନିଜକୁ ବାନ୍ଧି ରଖିଥିଲେ । ସେବେ ଠାରୁ ଏହି ଅଞ୍ଚଳରେ ପାଳିତ ହୋଇ ଆସୁଛି ରାହାସ ଯାତ୍ରା । ଯାତ୍ରା ଲାଗି ସୁସଜ୍ଜିତ ଆଲୋକମାଳାରେ ଝଲସି ଉଠୁଛି ହରିପୁର ଅଞ୍ଚଳ । ଜନଗହଳିକୁ ନଜରରେ ରଖି ମିନା ବଜାର ଖୋଲା ଯାଇଛି । ଯାତ୍ରା ବୁଲିବା ସହ ଚଟପଟା ଖାଦ୍ୟର ମଜା ଉଠାଉଛନ୍ତି ଦର୍ଶକ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଦର୍ଶକମାନେ ଏଠାକୁ ସଂଧ୍ୟାରେ ଆସି ବିଭିନ୍ନ କୁଞ୍ଜ ବୁଲିବା ସହ ବିଭିନ୍ନ ଘରକରଣା ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି । ଏହି ଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ଅପେରା ପାର୍ଟି । ବିଭିନ୍ନ କମିଟି ପକ୍ଷରୁ ଚଳିତ ବର୍ଷ ୯ଗୋଟି ଅପେରା ପାର୍ଟି ଏଠାରେ ପଡିଥିବା ବେଳେ ଏହାକୁ ଭରପୁର ଉପଭୋଗ କରୁଛନ୍ତି ଦର୍ଶକ।

    ପରମ୍ପରାକୁ ସମ୍ମାନ ଜଣାଇ ହରିପୁର ଅଞ୍ଚଳ ବାସିନ୍ଦା ପ୍ରତ୍ୟେକ ବର୍ଷ ଏହି ଯାତ୍ରାକୁ ଧୁମଧାମରେ ପାଳନ କରିଆସୁଛନ୍ତି । ଏପଟେ ପ୍ରଶାସନ ପକ୍ଷରୁ ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.9 ° C
    19.9 °
    19.9 °
    74 %
    1.7kmh
    0 %
    Sat
    20 °
    Sun
    25 °
    Mon
    25 °
    Tue
    25 °
    Wed
    25 °

    ସମ୍ବନ୍ଧିତ