ନୂଆପଡା : ପଶ୍ଚିମ ଓଡିଶାର ପ୍ରସିଦ୍ଧ କ୍ଷେତ୍ର ନୃସିଂହନାଥ ପୀଠ । ମନ୍ଦିର କାରୁକାର୍ଯ୍ୟ, ଏଠାକାର ପ୍ରାକୃତିକ ପରିବେଶ, ଗନ୍ଧମାର୍ଦନ ପର୍ବତ ଓ ଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ପଦ୍ମପୁର ସଦରମହକୁମା ଠାରୁ ପ୍ରାୟ ୩୨ କିଲୋମିଟର ନୂଆପଡା – ପଦ୍ମପୁର ହାଇୱେ ରାସ୍ତାରେ ଗଲା ପରେ ଆସିଥାଏ ପାଇକମାଳ ଛକ ।ସେଠାରୁ ମାତ୍ର ୩ କିଲୋମିଟର ଗଲେ ଗନ୍ଧମାର୍ଦ୍ଦନ ପାହାଡର ପାଦ ଦେଶରେ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତା ଘର ମଧ୍ୟରେ ରହିଛି ମହାପ୍ରଭୁ ଶ୍ରୀ ନୃସିଂହନାଥଙ୍କର ଭବ୍ୟ ମନ୍ଦିର । ପଶ୍ଚିମ ଓଡିଶାର ଏହି ପ୍ରସିଦ୍ଧ ତୀର୍ଥ କ୍ଷେତ୍ରରେ ମାର୍ଜାରକେଶରି ରୂପରେ ପୂଜା ପାଉଛନ୍ତି ଶ୍ରୀ ହରି ବିଷ୍ଣୁ । ମନ୍ଦିର ପାଖ ଦେଇ ବହିଯାଇଛି ପାପନାଶିନୀ ଝରଣା । ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏଠାକୁ ଛୁଟି ଆସନ୍ତି ବହୁ ପର୍ଯ୍ୟଟକ ।ବଣ ଭୋଜିର ମଜା ସହ ଦୈନନ୍ଦିନ ଜୀବନର ସବୁ କ୍ଲାନ୍ତିକୁ ଭୁଲି ଏଠାରେ ଜମିଥାଏ ନାଚ ଗୀତର ଆସର । ବନ୍ଧୁ ବାନ୍ଧବଙ୍କ ସହିତ ଜୀବନର କିଛି ଅଭୁଲା ସ୍ମୃତିର ମୁହୂର୍ତ୍ତ ବିତାଇଥାନ୍ତି ଲୋକେ । କେବଳ ଯେ ପର୍ଯ୍ୟଟକ ତା ନୁହେଁ ବହୁ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆସିଥାନ୍ତି ନୃସିଂହନାଥ । ବଣ ଭୋଜି ପାଇଁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ମନ୍ଦିର କମିଟି ତରଫରୁ ଭୋଜି ପାଇଁ ସ୍ଥାନ, ପାର୍କି, ପିଇବା ପାଣି ଏବଂ ସୁରକ୍ଷାର ବ୍ୟବସ୍ଥା କରାଯାଇଛି ।
ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମାଗଣା ଧର୍ମଶାଳା ଏବଂ ଗେଷ୍ଟ ହାଉସ ବ୍ୟବସ୍ଥା ମଧ୍ୟ ରହିଛି । ଏହି ସ୍ଥାନରେ ଉଭୟ ପ୍ରକୃତି ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ସ୍ୱଚ୍ଛତା ଦୃଷ୍ଟିରୁ ପଲିଥିନ ଏବଂ ନିଶାଦ୍ରବ୍ୟ ଉପରେ ବ୍ୟାନ ଲଗାଇଛନ୍ତି ମନ୍ଦିର କମିଟି । ଧୀରେ ଧୀରେ ଏହି ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର ବଢିବା ସହ ଏହାର ପରିସ୍କାର ପରିଚ୍ଛନ୍ନତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏଠାକାର ପ୍ରକୃତି କୋଳରେ ଯେ କେହି ମଣିଷ ଆତ୍ମବିଭୋର ହେବା ସ୍ୱାଭାବିକ ।