Saturday, March 28, 2026
24.4 C
Odisha

    ଫେରିଲା ୫ମ ଓ ୮ମରେ ଫେଲ୍‌ ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ସ୍କୁଲଗୁଡିକରେ ୫ମ ଓ ୮ମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ନିମ୍ନମାନର ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଫେଲ ନ କରିବା ନେଇ ପୂର୍ବରୁ ଯେଉଁ ନିୟମ ପ୍ରଚଳିତ ଥିଲା, ତାହାକୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏଣିକି ଏହି ଦୁଇଟି ଶ୍ରେଣୀର ବାର୍ଷିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କୁ ଫେଲ କରାଯିବ। ପ୍ରାୟ ୩୦୦୦ ସ୍କୁଲ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ ବୋଲି କୁହାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଯଦି ୫ମ କିମ୍ବା ୮ମ ଶ୍ରେଣୀର କୌଣସି ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷାରେ ଫେଲ ହୁଅନ୍ତି; ତେବେ ତାଙ୍କୁ ଅତିରିକ୍ତ ପ୍ରଶିକ୍ଷଣ ଦିଆଯାଇ ଫଳ ପ୍ରକାଶନର ଦୁଇ ମାସ ମଧ୍ୟରେ ପୁନଃ ପରୀକ୍ଷା ଦେବାକୁ ସୁଯୋଗ ପ୍ରଦାନ କରାଯିବ। ପୁନଃ ପରୀକ୍ଷାରେ ଯଦି ସଂପୃକ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବାରେ ବିଫଳ ହୁଅନ୍ତି; ତେବେ ତାଙ୍କୁ ପୁନର୍ବାର ସେହି ଶ୍ରେଣୀରେ ପାଠ ପଢିବାକୁ ପଡିବ ବୋଲି ସ୍ପଷ୍ଟ କରାଯାଇଛି। ସେହି ଦୁଇ ମାସ ସମୟ ମଧ୍ୟରେ ଶ୍ରେଣୀ ଶିକ୍ଷକ ସଂପୃକ୍ତ ଛାତ୍ର/ଛାତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ମାର୍ଗଦର୍ଶନ ଦେବା ସହିତ ସେମାନଙ୍କର ଅଭିଭାବକଙ୍କ ସହ ଆଲୋଚନା କରିବେ। ଯେଉଁ ବିଷୟରେ ଛାତ୍ର/ଛାତ୍ରୀ ଜଣକ ଦୁର୍ବଳ ପ୍ରଦର୍ଶନ କରୁଥିବେ, ତାହାକୁ ଚିହ୍ନଟ କରାଯାଇ ଉନ୍ନତ ମାନର ଶିକ୍ଷାଦାନ ଉପରେ ଗୁରୁତ୍ବ ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପୁନଶ୍ଚ ଶିକ୍ଷା ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବହିଷ୍କାର କରାଯାଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ସୈନିକ ସ୍କୁଲ ପ୍ରତି ଏହି ନିୟମ ପ୍ରଯୁଜ୍ୟ ହେବ ବୋଲି ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଶିକ୍ଷା ଏକ ରାଜ୍ୟ ପ୍ରସଙ୍ଗ ହୋଇଥିବାରୁ ସଂପୃକ୍ତ ରାଜ୍ୟ ସରକାର ଏ ସମ୍ପର୍କରେ ନିଜସ୍ବ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି। ୨୦୧୯ରେ ଶିକ୍ଷା ଅଧିକାର ଆଇନ ସଂଶୋଧିତ ହେବା ପରେ ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ସରକାର ଏହି ନିୟମକୁ ଉଚ୍ଛେଦ କରିସାରିଛନ୍ତି। ହରିୟାଣା ଓ ପୁଡୁଚେରୀ ଏ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇନଥିବାବେଳେ ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ପୂର୍ବ ନିୟମକୁ ପାଳନ କରିଚାଲିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    56 %
    1.5kmh
    0 %
    Sat
    39 °
    Sun
    39 °
    Mon
    41 °
    Tue
    38 °
    Wed
    38 °

    ସମ୍ବନ୍ଧିତ