ବରଗଡ଼ : ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀ ଓ ମା’ ଶ୍ୟାମାକାଳୀଙ୍କ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ । ତାଙ୍କ ଗସ୍ତ ସମୟରେ ବରଗଡ଼ ସହରର ବିଭିନ୍ନ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହା ସହ ଦଳୀୟ କର୍ମୀ ଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ବିଜେଡି ଦଳ ସହ ଆଜିର ଯୁବକ ଅଛନ୍ତି ବୋଲି ସେ କହିଛନ୍ତି ।
ସୂଚନା ଥାଉକି, ଜେନ୍ -ଜିଙ୍କୁ ନେଇ ବିଜେଡି ନୂଆ ରଣନୀତି ପ୍ରସ୍ତୁତ କରିଛି । ଯୁବପିଢ଼ିଙ୍କ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ବିଜୁ ଜନତା ଦଳର ନୂଆ ପ୍ରୟାସ ଆରମ୍ଭ କରିଛି । ନିକଟରେ ବିଜୁ ଛାତ୍ର ଜନତା ଦଳ ସମର୍ଥନରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦକୁ ନିର୍ବାଚିତ ହୋଇଥିବା ଛାତ୍ର ପ୍ରତିନିଧିଙ୍କ ସହ ବିଜେଡି ନେତ୍ରୀ ସୁଜାତା ରାଉତଙ୍କ ଆଲୋଚନାରୁ ସ୍ପଷ୍ଟ ଆଭାସ ମିଳିଛି ।
୨୦୨୪ ନିର୍ବାଚନ ପରେ ବିଜେଡି ପାଇଁ ତୃଣମୂଳ ସଙ୍ଗଠନକୁ ସୁଦୃଢ଼ କରିବା ଏକ ବଡ଼ ଆହ୍ୱାନ ହୋଇଛି । ଏଭଳି ସମୟରେ ଛାତ୍ର ଓ ଯୁବ ନେତୃତ୍ୱ ସହ ସିଧାସଳଖ ସମ୍ପର୍କ ଯୋଡିବାକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି । ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ ବିଜେଡିରେ ଯୋଗ ଦେବା ପରଠାରୁ ଯୁବପିଢ଼ିଙ୍କ ଗୁରୁତ୍ୱ ଉପରେ ଜୋର ଦେଇଆସୁଛନ୍ତି । ଜେନ୍ -ଜି ହିଁ ରାଜ୍ୟ ଓ ଦେଶର ଭବିଷ୍ୟତ ବୋଲି ସେ ମତ ରଖିଛନ୍ତି ।
