ଗଜପତି : ଦକ୍ଷିଣ ଓଡ଼ିଶାର ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ ହୋଇଯାଇଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହୋଇ ଅନେକ ଅଞ୍ଚଳ ଜଳ ମଗ୍ନ ହେବାର ଆଶଙ୍କା ଦେଖା ଦେଇଛି । ଜିଲ୍ଲାର ବସ୍ତ୍ରୀଗୁଡା, ପେଟ, ମହେନ୍ଦ୍ରଗିରି, ଅଢ଼େଇ ଆଦି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ବିଭିନ୍ନ ଜନବସତିରେ ବନ୍ୟା ଜଳ ପ୍ରବେଶ କରିଛି। ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ତୁରନ୍ତ ସହାୟତା ପ୍ରଦାନ ପାଇଁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଜିଲ୍ଲାର ଅନେକ ସ୍ଥାନରେ ପାହାଡରୁ ମାଟି ଖସି ଯାତାୟତ ବାଧାପ୍ରାପ୍ତ ହୋଇଛି । କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି ତ କେଉଁଠି ବ୍ରିଜ ଉପରେ ପାଣି । ସେହିପରି ଲଗାଣ ବର୍ଷାରେ ଦିଗପହଣ୍ଡି ବ୍ଲକର ଭ୍ରମରପୁର ବ୍ରିଜର ଅସ୍ଥାୟୀ ରାସ୍ତା ଉପରେ ଚାରି ଫୁଟ ପାଣି ପ୍ରବାହିତ ହୋଇ ପାତ୍ରପୁର ବ୍ଲକର ତୁରୁବୁଡି ଓ ଖରିଆଗୁଡ଼ାକୁ ଗମନାଗମନ ବିଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁଁ ଫୁଲୁବାରେ ଲାଗିଛି ବଂଶଧାରା । ତେଣୁ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି ।