ବାଙ୍ଗିରିପୋଷି : ବାଙ୍ଗିରିପୋଷିକୁ ଏନଏସି ଘୋଷଣା କରିଛନ୍ତି ଓଡ଼ିଶା ସରକାର । ୭ ଜିଲ୍ଲାରେ ୧୨ଟି ନୂଆ ନୋଟିଫାଇଡ୍ ଏରିଆ କାଉନସିଲ ବା ଏନଏସି ମଧ୍ୟରେ ବାଙ୍ଗିରିପୋଷି ନାଁ ଘୋଷଣା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ସବୁ ବର୍ଗର ଲୋକଙ୍କ ମଧ୍ୟରେ ବେଶ ଆନନ୍ଦ ଦେଖିବାକୁ ମିଳିଛି । ତେବେ ଏନେଇ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ ନିଜର ସମସ୍ତ ପ୍ରୟାସ କରିଥିଲା ବେଳେ ବିଧାୟିକାଙ୍କ ବାପା ତଥା ବିଜେପିର ବରିଷ୍ଠ ନେତା ସୁଗଦା ମୁର୍ମୁ ମଧ୍ୟ ଦୀର୍ଘ ଦିନରୁ ପ୍ରଚେଷ୍ଟା ଚଳାଇ ଆସୁଥିଲେ । ସେମାନଙ୍କର ପରିଶ୍ରମ ପାଇଁ ଆଜି ବାଙ୍ଗିରିପୋଷି ନାଁ ଚୂଡାନ୍ତ ତାଲିକାରେ ସ୍ଥାନ ପାଇ ଥିବାରୁ ଅଞ୍ଚଳବାସୀଙ୍କ ତରଫରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ବାଙ୍ଗିରିପୋଷି ସାପ୍ତାହିକ ହାଟ ନିକଟରେ ପ୍ରଥମେ ସ୍ଥାନୀୟ ଲୋକଙ୍କ ସମେତ ବାଙ୍ଗିରିପୋଷିର ବଣିକ ସଂଘ, ଏସଏଚଜି ମହିଳା ଗୋଷ୍ଠୀ ଏବଂ ବିଜେପି କର୍ମୀ ମୋହଲରୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା । ପରେ ବିଧାୟିକା ସଞ୍ଜଲୀ ମୁର୍ମୁଙ୍କୁ ଏକ ବିଶାଳ ପଟୁଆରରେ ପଦଯାତ୍ରା କରି ଖୁବ ଧୂମଧାମରେ ବଜାର ପରିକ୍ରମା କରାଯାଇଥିଲା । ଆଦିବାସୀ ନୃତ୍ୟ ଓ ବାଦ୍ୟ ତାଳେ ତାଳେ ବିଧାୟିକାଙ୍କୁ ପାଛୋଟି ନିଆଯାଇଥିଲା ଶୋଭାଯାତ୍ରାରେ । ପଦଯାତ୍ରା ସମୟରେ ମଧ୍ୟ ବିଧାୟିକାଙ୍କୁ ଅଟକାଇ ଜନସାଧାରଣଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ବିଧାୟିକା ସଞ୍ଜଲୀ ମୁର୍ମୁଙ୍କୁ ସହ ସାଧାରଣ ଲୋକମାନେ ମିଶି ଆଦିବାସୀ ନୃତ୍ୟରେ ମସଗୁଲ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏନେଇ ବାଙ୍ଗିରିପୋଷିରେ ବେଶ ଖୁସିର ମାହୋଲ ଦେଖିବାକୁ ମିଳିଛି । ବାଙ୍ଗିରିପୋଷିକୁ ଏନଏସି ଘୋଷଣା ପରେ ସାଧାରଣ ଲୋକେ ବିଧାୟିକା ନାଚ ଗୀତରେ ଝୁମିଥିଲେ ।