ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୪ଟି ଦେଶରେ ନୂଆ ଟାରିଫ ପ୍ଲାନ୍ ଘୋଷଣା କରିଛନ୍ତି । ବାଣିଜ୍ୟ ଚାପ ବଢାଇଲେ ଟ୍ରମ୍ପ । ଜାପାନ ଓ ଦକ୍ଷିଣ କୋରିଆରୁ ଆମଦାନୀ ସାମଗ୍ରୀ ଉପରେ ଟ୍ରମ୍ପଙ୍କ ୨୫% ଟାରିଫ ଘୋଷଣା । ନୂତନ ଶୁଳ୍କ ହାର ଇସ୍ପାତ, ଆଲୁମିନିୟମ ଏବଂ ଅଟୋ ପାର୍ଟସ ଭଳି ନିର୍ଦ୍ଦିଷ୍ଟ କ୍ଷେତ୍ର ଉପରେ ପୂର୍ବରୁ ଲାଗୁ ହୋଇଥିବା ଶୁଳ୍କ ଠାରୁ ଭିନ୍ନ ହେବ ।
ଆସନ୍ତା ୧ ଅଗଷ୍ଟରୁ ଲାଗୁ ହେବ ନୂଆ ଟାରିଫ୍। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଓ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜେ-ମ୍ୟୁଙ୍ଗଙ୍କୁ ଚିଠି ଲେଖିଛନ୍ତି ଟ୍ରମ୍ପ । ଟାରିଫକୁ ଦୀର୍ଘକାଳୀନ ବାଣିଜ୍ୟ ଅସନ୍ତୁଳନ ହ୍ରାସ କରିବା ପାଇଁ ଆମେରିକାର ଅର୍ଥନୀତି ଓ ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବାର ଏକ ପଦକ୍ଷେପ ବୋଲି ଦାବି କରିଛନ୍ତି ଟ୍ରମ୍ପ ।
ଏହି ଟାରିଫ ଜାପାନ ଓ ଦକ୍ଷିଣ କୋରିଆର ଅଟୋମୋବାଇଲ, ଷ୍ଟିଲ ଏବଂ ଅନ୍ୟାନ୍ୟ ଶିଳ୍ପ ଉପରେ ବିଶେଷ ପ୍ରଭାବ ପକାଇବ, କାରଣ ଏହି ଦୁଇ ଦେଶ ଆମେରିକାକୁ ବହୁ ପରିମାଣରେ ଗାଡ଼ି ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରପ୍ତାନି କରିଥାଏ । ଭାରତ ସହିତ ଖୁବ ଶୀଘ୍ର ଡିଲ୍ ଚୂଡ଼ାନ୍ତ ହେବ ବୋଲି ଟ୍ରମ୍ପ କହିଛନ୍ତି ।