ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ପଶ୍ଚିମରେ ବାଦାମ ଅଟା ଖାଇ ୪୦ ଜଣ ଲୋକ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ହେବା ପରେ ବିସରାଖ ପୋଲିସ ଏବଂ ଖାଦ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ବାଦାମ ବିକ୍ରି କରୁଥିବା ଲୋକଙ୍କ ଦୋକାନ୍ ଏବଂ ଗୋଦାମ ସିଲ୍ କରାଯାଇଛି । ସେପଟେ ସମସ୍ତ ଅସୁସ୍ଥ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ ଆଧାରରେ, ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ ୨୦୦୬ ଅନୁଯାୟୀ ବିସରାଖ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି ।
ସୂଚନାନୁଯାୟୀ, ବିସରାଖ ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ସୁପରଟେକ୍ ଇକୋଭିଲେଜ୍ -୩, ରୟାଲ କୋର୍ଟ ଏବଂ ହିମାଳୟା ପ୍ରାଇଡ୍ ସୋସାଇଟିରେ ରହୁଥିବା ୪୦ ଜଣ ଲୋକ ବାଦାମ ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ । ଫଳରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରି ଘଟଣା ଶିବରାତ୍ରୀ ଦିନ ଦେଖିବାକୁ ମିଳିଥିଲା । ହସ୍ପିଟାଲ ପକ୍ଷରୁ ପୋଲିସ ସୂଚନା ପାଇଥିଲା । ସୂଚନା ପାଇବା ମାତ୍ରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ ଆଧାରରେ, ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ ୨୦୦୬ ଅନୁଯାୟୀ ବିସରାଖ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା ।
ଏହାରି ମଧ୍ୟରେ ଏହି ମାମଲାରେ ଖାଦ୍ୟ ବିଭାଗ ଏବଂ ବିସରାଖ ପୋଲିସ ଟିମ୍ ମିଶି ସୁପରଟେକ୍ ଇକୋଭିଲେଜ୍-3, ରୟାଲ କୋର୍ଟ ଏବଂ ହିମାଳୟା ପ୍ରାଇଡ୍ ସୋସାଇଟିରେ ଥିବା ଦୋକାନଗୁଡ଼ିକ ଯାଞ୍ଚ କରିଥିଲେ । ଯାଞ୍ଚ ପାଇଁ ସମସ୍ତ ଦୋକାନରୁ ନମୁନା ନିଆଯାଇଥିଲା ।
ଅନ୍ୟପଟେ ଦୋକାନ ମାଲିକମାନଙ୍କୁ ପଚରାଉଚରା କରିବା ପରେ ଜଣାପଡିଲା ଯେ ସେମାନେ ଚିପିୟାନା ଗ୍ରାମ ଏଚ୍ଡି ସ୍ପାଇସେସ୍ ରୁ ବାଦାମ ଅଟା କିଣିଥିଲେ । ଏହି କମ୍ପାନୀର ଗୋଦାମ ଚିପିୟାନା ବୁଜୁର୍ଗରେ ଅବସ୍ଥିତ । ସୂଚନା ପାଇ ଖାଦ୍ୟ ବିଭାଗ ଟିମ୍ ଅନିୟମିତତା ପାଇ ଗୋଦାମ ଉପରେ ଚଢାଉ କରିବା ସହ ସିଲ୍ ମଧ୍ୟ କରିଛି । ଖାଦ୍ୟ ବିଭାଗ ଅନ୍ୟ ଦୋକାନରୁ ମଧ୍ୟ ନମୁନା ନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି କାର୍ଯ୍ୟାନୁଷ୍ଠାନ ସମୟରେ ବିସରାଖ ପୋଲିସ ଗୋଦାମ ମାଲିକ ସମେତ ଚାରି ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

