Sunday, June 14, 2026
27.4 C
Odisha

    ବାୟୁସେନାର ମିରାଜ-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ: ଉଭୟ ପାଇଲଟ ସୁରକ୍ଷିତ, ବୈଷୟିକ ତ୍ରୁଟି ସନ୍ଦେହ, ତଦନ୍ତ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଗ୍ବାଲିୟର: ମଧ୍ୟପ୍ରଦେଶର ଗ୍ୱାଲିୟରରେ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଭାରତୀୟ ବାୟୁସେନାର ମିରାଜ-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗ୍ୱାଲିୟରର ଭାଇସା ଗାଁରେ ଏହି ଘଟଣା ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳେ ପୂରା ବିମାନ ହୁତୁହୁତୁ ହୋଇ ଜଳୁଥିଲା। ଲୋକେ ଚାରିଆଡ଼େ ଖୋଜାଖୋଜି କରିବାରୁ ଦୁଇ ଜଣ ପାଇଲଟଙ୍କୁ ପାଇଥିଲେ। ସେମାନଙ୍କ ଅବସ୍ଥା ମଧ୍ୟ ଖରାପ ଥିଲା। ସେମାନେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଗାଁ ଲୋକେ ସେମାନଙ୍କ ଉପରକୁ ପାଣି ପକାଇ ଚେତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ। ଉଭୟ ପାଇଲଟ୍ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ଦୁର୍ଘଟଣାର କାରଣ ଜାଣିବା ପାଇଁ ବାୟୁସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

    ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଯାନ୍ତ୍ରିକ ତ୍ରୁଟି ହେତୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ମିରାଜ ୨୦୦୦  ଏକ ମଲ୍ଟିରୋଲ ଲଢୁଆ ବିମାନ ଏବଂ ଏହା ଭାରତୀୟ ବାୟୁସେନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।  ୨୦୧୯ରେ ବାଲାକୋଟ ଏୟାର୍‌ଷ୍ଟ୍ରାଇକ୍ ସମେତ ବିଭିନ୍ନ ଅପରେସନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।   ନିକଟରେ ପ୍ରତିରକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟିର ଏକ ରିପୋର୍ଟରେ ବାୟୁସେନା ସହ ଜଡ଼ିତ ବଢୁଥିବା ବିମାନ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି।

    ରିପୋର୍ଟରୁ ଜଣାପଡିଛି ଯେ ୨୦୧୭-୨୦୨୨ ମଧ୍ୟରେ ବାୟୁସେନା ୩୪ଟି ବିମାନ ଦୁର୍ଘଟଣା ରେକର୍ଡ କରିଛି। ୨୦୧୭-୧୮ରେ ବାୟୁସେନାର ୮ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୨୦୧୮-୧୯ରେ ୧୧ଟି ଦୁର୍ଘଟଣା ହୋଇଥିଲା, ଯାହା ଏହି ସମୟ ମଧ୍ୟରେ ସର୍ବାଧିକ। ୨୦୧୯-୨୦ ଓ ୨୦୨୦-୨୧ରେ ବାର୍ଷିକ ଦୁର୍ଘଟଣା ସଂଖ୍ୟା ୩କୁ ଖସି ଆସିଥିବା ବେଳେ ୨୦୨୧-୨୨ରେ ଏହି ଧାରା ବଦଳିଯାଇଛି। ବିଶେଷ କରି ଡିସେମ୍ବର ୨୦୨୧ରେ ଏମ୍‌ଆଇ-୧୭ଭି୫ ହେଲିକପ୍ଟର ଦୁର୍ଘଟଣା ସମେତ ଏକାଧିକ ହାଇପ୍ରୋଫାଇଲ ଘଟଣା ପରେ ୨୦୧୮-୧୯ ଏବଂ ୨୦୨୧-୨୨ରେ ଦୁର୍ଘଟଣା ବୃଦ୍ଧି ଚିନ୍ତା ବଢ଼ାଇଥିଲା, ଯେଉଁଥିରେ ତତ୍କାଳୀନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ଘଟିଥିଲା। ରିପୋର୍ଟରେ  ଦର୍ଶାଯାଇଛି ଯେ ୧୯ଟି ଘଟଣା ଏୟାର୍‌ କ୍ରୁଙ୍କ ମାନବିକ ତ୍ରୁଟି କାରଣରୁ ଘଟିଥିବା ବେଳେ ୯ଟି ଦୁର୍ଘଟଣା ପାଇଁ ବୈଷୟିକ ତ୍ରୁଟି ଦାୟୀ। ଅବଶିଷ୍ଟ ମାମଲାଗୁଡିକ ପକ୍ଷୀ ସହ ମାଡ଼ ଏବଂ ଅପ୍ରତ୍ୟାଶିତ ପାଣିପାଗ ପରିବର୍ତ୍ତନ ପରି ଅନ୍ୟାନ୍ୟ କାରଣ ସହିତ ଜଡିତ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    60 %
    1.4kmh
    75 %
    Sun
    41 °
    Mon
    40 °
    Tue
    42 °
    Wed
    42 °
    Thu
    37 °

    ସମ୍ବନ୍ଧିତ