Sunday, September 20, 2026
23.4 C
Odisha

    ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା ଘଟଣା: ଗୃହରକ୍ଷୀ ସମେତ ୩ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଜମିଜମା କାରବାର୍‌ରେ କମିସନରେଟ ପୁଲିସର ସମ୍ପୃକ୍ତି ରାଜଧାନୀବାସୀଙ୍କୁ ଅସୁରକ୍ଷିତ କରିଛି। ଏୟାରଫିଲ୍ଡ ଥାନା ଅଞ୍ଚଳରେ ଶୁକ୍ରବାର ବ୍ୟବସାୟୀ ସସ୍ମିତ କୁମାର ବିଶ୍ବାଳ ଓରଫ ଚିନୁ ହତ୍ୟାକାଣ୍ଡ ଘଟଣାରେ ଜଣେ ଗୃହରକ୍ଷୀ ଧରାପଡ଼ିବା ସହରୀ ପୁଲିସର ଛବିକୁ ପଦାରେ ପକାଇଛି। ସମ୍ପୃକ୍ତ ଗୃହରକ୍ଷୀ ସମେତ ୩ ହତ୍ୟାକରୀଙ୍କୁ ଶନିବାର ପୁଲିସ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଫେଜ୍‌-୪ ଅଞ୍ଚଳରେ ରହୁଥିବା ଗୃହରକ୍ଷୀ ସୁକାନ୍ତ ବେହେରା, ଏୟାରଫିଲ୍ଡ ଥାନା ଅଧୀନ ପ୍ରଧାନସାହି ଗାଁର ମ‌େ‌ନାଜ ବେହେରା ଓରଫ ସିଲୁ ଓ ଗୁଲୁ ମହାନ୍ତି। ସୁକାନ୍ତ ପିସିଆର୍‌ରେ ଭରତପୁର ଥାନା ଅଧୀନରେ କାମ କରୁଥିଲା। ଜମିଜମା ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ପୁଲିସ ଉପାୟୁକ୍ତ ଜଗମୋହନ ମୀନା କହିଛନ୍ତି। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଫେରାର ରହିଛନ୍ତି। ମୃତ ଚିନୁଙ୍କ ଭାଇ ଦେବବ୍ରତ ମହାନ୍ତି ୭ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ଲାଗି ସ୍ବତନ୍ତ୍ର ଦଳ ତଦନ୍ତ ଜାରି ରଖିଛି। ହତ୍ୟାକାଣ୍ଡ ସ୍ଥଳରେ ସାଇଣ୍ଟିଫିକ୍‌ ଦଳ ଜରିଆରେ ନମୁନା ସଂଗ୍ରହ କରାଯାଇଛି। ଖୁବଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଉପରୋକ୍ତ ୩ ଅଭିଯୁକ୍ତଙ୍କୁ ଜେରା କରାଯାଉଛି। ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ହାତେଇବା ଲାଗି ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର୍‌ କରିଛି ବୋଲି ଉପାୟୁକ୍ତ ଶ୍ରୀ ମୀନା କହିଛନ୍ତି। ପୁଲିସ ସୂଚନା ଅନୁଯାୟୀ ମୃତ ଚିନୁଙ୍କର ୟୁନିଟ-୬ ଅଞ୍ଚଳରେ ଏକ ଔଷଧ ଦୋକାନ ରହିଛି। ଏୟାରଫିଲ୍ଡ ଥାନା ଅଧୀନ ପ୍ରଧାନସାହି ସମେତ ନିକଟ ଅଞ୍ଚଳ ଜାମୁକୋଳି ଓ କଣ୍ଟିଲୋ ମୌଜାରେ ଚିନୁ ଜମି କିଣିଥିଲେ। ଉକ୍ତ ଜମିକୁ ନେଇ କିଛି ଦିନ ହେବ ସ୍ଥାନୀୟ କିଛି ଯୁବକଙ୍କ ସହିତ ତାଙ୍କର ବିବାଦ ଲାଗି ରହିଥିଲା। ସ୍ଥାନୀୟ ଲୋକ ତାଙ୍କୁ ଧମକ ଚମକଦେବା ନେଇ ଚିନୁ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ। ଗତ କିଛି ଦିନ ହେବ ପ୍ରଧାନସାହିରେ ଥିବା ଏକ ଜମିକୁ ନେଇ ଚିନୁଙ୍କ ସହ ସ୍ଥାନୀୟ ଯୁବକଙ୍କ ଗଣ୍ଡଗୋଳ ହୋଇଥିଲା। ଉକ୍ତ ଜମିରେ ଚିନୁ ପାଚେରି ନିର୍ମାଣ କରୁଥିଲେ। ନିର୍ମାଣ ସ୍ଥଳରୁ ପଥର କେହି ଚୋରି କରି ନେଇଥିଲା। ଏହାକୁ ନେଇ ଚିନୁ ୨୦୨୪ ଡିସେମ୍ବରରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ପରେ ସ୍ଥାନୀୟ ଜଣେ ଯୁବକ ତାଙ୍କ ପଥର ନେଇଥିବା ମାନିଥିଲା। ଚୋରି ପଥରକୁ ସମ୍ପୃକ୍ତ ଯୁବକ ଶୁକ୍ରବାର ଅପରାହ୍ଣ ପ୍ରାୟ ୨ଟାରେ ପୁଲିସ ଉପସ୍ଥିତିରେ ଫେରାଇ ଥିଲା। ଏହି ସମୟରେ ଚିନୁ ମୋଟରସାଇକଲରେ ଜମି ନିକଟକୁ ଯାଇଥିଲେ। ପୁଲିସ ଉପସ୍ଥିତିରେ ହତ୍ୟାକାରୀମାନେ ଚିନୁଙ୍କୁ ଘେରି ଯାଇଥିଲେ। ଉପସ୍ଥିତ ମହିଳା ପୁଲିସ ଅଧିକାରୀଙ୍କ ତାଗିଦ ପରେ ସେମାନେ ଚିନୁଙ୍କୁ ଛାଡ଼ି ଦେଇଥିଲେ। ଏହାପରେ ପୁଲିସ ସେଠାରୁ ପଳାଇ ଆସିଥିଲା। ଘରକୁ ଆସିବା ବାଟରେ ଚିନୁଙ୍କୁ ସମ୍ପୃକ୍ତ ଯୁବକମାନେ ପ୍ରଧାନସାହି କାଜୁ ଜଙ୍ଗଲ ନିକଟରେ ଅଟକାଇ ଥିଲେ। ଜମି ବିବାଦକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୂର୍ବପ୍ରସ୍ତୁତ ଦୁର୍ବୃତ୍ତମାନେ ଲୁହା ପାଇପ୍‌ ଓ ରଡ଼ରେ ଚିନୁଙ୍କୁ ଆକ୍ରମଣ କରିଥିଲେ। ଚିନୁ ତଳେ ପଡ଼ି ଛଟପଟ ହୋଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅତି ନୃଶଂସ ଭାବେ ପିଟି ଚାଲିଥିଲେ। ଫଳରେ ଘଟଣାସ୍ଥଳରେ ଚିନୁଙ୍କ ମୃତ୍ୟୁ ଘଟିଥିଲା। ଚିନୁ ଓ ଟୁଲୁ ପୂର୍ବରୁ ମିଶି ପ୍ରଧାନସାହି ଅଞ୍ଚଳରେ ଜମି ବ୍ୟବସାୟ କରୁଥିଲେ। ଟଙ୍କା ଦେଣନେଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଚିନୁ ଉକ୍ତ ଅଞ୍ଚଳରେ କିଛି ବର୍ଷ ହେବ ଜମିଜମା ବ୍ୟବସାୟ ଚଳାଇଥିଲେ ବୋଲି ପୁଲିସ କହିଛି। ଏହି ବ୍ୟବସାୟକୁ ନେଇ ତାଙ୍କର କିଛି ଯୁବକଙ୍କ ସହ ବିବାଦ ଲାଗି ରହିଥିଲା। ସେହିପରି ଜମି ଦେବାକୁ କହି ଗୃହରକ୍ଷୀ ସୁକାନ୍ତ ତାଙ୍କ ଠାରୁ ୩୯ ଲକ୍ଷ ଟଙ୍କା ନେଇଥିଲା। ପରେ ଜମି ଦେଇନଥିଲା କିମ୍ବା ନେଇଥିବା ଟଙ୍କା ଫେରସ୍ତ କରିନଥିଲା। ଏହାକୁ ନେଇ ଚିନୁ ଓ ଉକ୍ତ ଗୃହରକ୍ଷୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ମାମଲାକୁ ଅଦାଲତରେ ଚାଲିଥିବା ସୂଚନା ରହିଛି। ପୂର୍ବ ବିବାଦକୁ କେନ୍ଦ୍ର କରି ପ୍ରତିଶୋଧ ପରାୟଣ ହୋଇ ସୁକାନ୍ତ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.4 ° C
    23.4 °
    23.4 °
    96 %
    1.5kmh
    69 %
    Sun
    30 °
    Mon
    29 °
    Tue
    30 °
    Wed
    27 °
    Thu
    25 °

    ସମ୍ବନ୍ଧିତ