ପୁଣେ: ପୁଣେ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ମାମଲାରେ ପୁଣେ ଗ୍ରାମୀଣ ପୋଲିସର ଚାର୍ଜସିଟ୍ ରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଲୋହଗଡ଼ ଦୁର୍ଗରୁ ପଡ଼ି କେତନଙ୍କ ମୃତ୍ୟୁ ଦୁର୍ଘଟଣା ନଥିଲା ବରଂ ଘଟଣା ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା ପୋଲିସ ଅଭିଯୋଗ କରିଛି । ମାମଲାରେ କେତନଙ୍କ ଭାବୀ ପତ୍ନୀ ସିୟା ଗୋୟଲ, ଚେତନ ଚୌଧୁରୀ ଓ ରିତେଶ ହାଙ୍ଗେଙ୍କୁ ଅଭିଯୁକ୍ତ କରାଯାଇଛି । ପୋଲିସର ସୂଚନା ଅନୁସାରେ ଜୁନ୍ ୧୮ରେ କେତନଙ୍କୁ ଲୋହଗଡ଼ ଦୁର୍ଗକୁ ନିଆଯାଇଥିଲା। ସେଠାରେ ସିୟା ପ୍ରଥମେ ଦୁଇ ହାତରେ କେତନଙ୍କୁ ଠେଲିଥିଲେ । ପରେ ଚେତନ ତାଙ୍କୁ ଗୋଇଠା ମାରିବା ପରେ କେତନ ଖାଇକୁ ଖସିପଡ଼ିଥିବା ଚାର୍ଜସିଟରେ ପୋଲିସ ଅଭିଯୋଗ କରିଛି ।
ମାମଲାରେ ପୋଲିସ ୫ ହଜାର ୫୩ ପୃଷ୍ଠାର ଚାର୍ଜସିଟ୍ ୱାଡଗାଓଁ ମାଭଲ କୋର୍ଟରେ ଦାଖଲ କରିଛି । କେତନଙ୍କୁ ପୁଣିଥରେ ଲୋହଗଡ଼ ନେବା ପାଇଁ ‘Mahi’ ନାଁରେ ଏକ ନକଲି Instagram ଆକାଉଣ୍ଟ ବ୍ୟବହାର କରାଯାଇଥିବା ପୋଲିସ କହିଛି । ‘ମାହି’କୁ ସିୟାଙ୍କ ବନ୍ଧୁ ବୋଲି କେତନଙ୍କୁ ପରିଚୟ ଦିଆଯାଇଥିଲା । ଏହି ଆକାଉଣ୍ଟରୁ କେତନଙ୍କ ସହ ଚାଟ୍ କରି ଜନ୍ମଦିନ ସର୍ପ୍ରାଇଜ୍ ବାହାନାରେ ତାଙ୍କୁ ଲୋହଗଡ଼ ଯିବାକୁ ରାଜି କରାଯାଇଥିବା ପୋଲିସ କହିଛି । ପୋଲିସ ଆହୁରି କହିଛି ସିୟା ପୂର୍ବରୁ ମେ ୩୧ ଓ ଜୁନ୍ ୧୪ରେ କେତନଙ୍କୁ ଲୋହଗଡ଼ ନେଇଥିଲେ । ସେହି ଦୁଇଥର ମଧ୍ୟ ତାଙ୍କୁ ମାରିବାର ଯୋଜନା ସଫଳ ହୋଇନଥିବା ତଦନ୍ତକାରୀ ଚାର୍ଜସିଟ୍ ରେ ଦାବି କରିଛନ୍ତି । ଚାର୍ଜସିଟ୍ ଅନୁସାରେ, ଅଭିଯୁକ୍ତମାନେ ଅପରାଧ ସମ୍ପର୍କିତ ଫିଲ୍ମ ଓ ପଡକାଷ୍ଟ ଦେଖିବା ସହ ପୂର୍ବରୁ ଘଟିଥିବା କିଛି ହତ୍ୟା ମାମଲା ସମ୍ପର୍କରେ ଅନଲାଇନ୍ ରେ ତଥ୍ୟ ଖୋଜିଥିଲେ । ମାମଲାର ସବୁଠାରୁ ଚର୍ଚ୍ଚିତ ଡିଜିଟାଲ୍ ପ୍ରମାଣ ହେଉଛି କେତନଙ୍କ ମୃତ୍ୟୁ ପରେ ହୋଇଥିବା ଅନଲାଇନ୍ ସର୍ଚ୍ଚ ।
ପୋଲିସର ଅଭିଯୋଗ ଅନୁସାରେ, ଲୋହଗଡ଼ରେ କେତନଙ୍କ ପରିବାର ସଦସ୍ୟ ପହଞ୍ଚିବା ପରେ ସିୟାଙ୍କ ବ୍ୟବହାରକୁ ନେଇ ସେମାନଙ୍କ ସନ୍ଦେହ ହୋଇଥିଲା। ପରେ ଘରକୁ ଫେରି କିପରି ଦୁଃଖ ପ୍ରକାଶ କରାଯିବ, କିପରି ଅଧିକ ଭାବପ୍ରବଣ ଦେଖାଯିବ ଏସବୁ ନେଇ ସିୟା ChatGPT ଓ ଅନ୍ୟ ଅନଲାଇନ୍ ସୂତ୍ରରେ ସର୍ଚ୍ଚ କରିଥିବା ପୋଲିସ ଚାର୍ଜସିଟ୍ ରେ ଦାବି କରିଛି । ତଦନ୍ତକାରୀଙ୍କ ଅନୁସାରେ, ଘଟଣା ପରେ ଧରାପଡ଼ିବାର ଭୟ ମଧ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ବଢ଼ିଥିଲା । ପୋଲିସ ଧରିଲେ କିପରି ବ୍ୟବହାର କରିବେ, ପଚରାଉଚରା ବେଳେ କ’ଣ କହିବେ । କିପରି ଭୟଭୀତ ନହୋଇ ସ୍ୱାଭାବିକ ରହିବେ, ସେ ସମ୍ପର୍କରେ ମଧ୍ୟ ଅନଲାଇନ୍ ରେ ତଥ୍ୟ ଖୋଜାଯାଇଥିବା ପୋଲିସ କହିଛି । ଘଟଣା ପରେ କିଛି ଚାଟ୍ ଓ ଡିଜିଟାଲ୍ ତଥ୍ୟ ଡିଲିଟ୍ କରାଯାଇଥିବା ପୋଲିସ ଅଭିଯୋଗ କରିଛି । କିନ୍ତୁ ଜବତ ହୋଇଥିବା ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ ଡିଭାଇସ୍ ର ଫରେନ୍ସିକ୍ ଯାଞ୍ଚରେ ଅନେକ ଡିଲିଟ୍ ଚାଟ୍ ଓ ତଥ୍ୟ ଉଦ୍ଧାର କରାଯାଇଛି। Instagram, WhatsApp ଓ Snapchatରୁ ମିଳିଥିବା ଡିଜିଟାଲ୍ ତଥ୍ୟକୁ ମଧ୍ୟ ପୋଲିସ କୋର୍ଟରେ ଦାଖଲ କରିଛି । ଅଭିଯୋଗର ଚୂଡ଼ାନ୍ତ ସତ୍ୟତା କୋର୍ଟରେ ବିଚାର ପରେ ନିର୍ଣ୍ଣୟ ହେବ ।
