Tuesday, January 28, 2025
14 C
Odisha

    ଭକ୍ତଶ୍ରେଷ୍ଠ ବଳରାମ ଦାସ

    ଆଗକୁ ପଢନ୍ତୁ

     

    ପ୍ରତିବର୍ଷ ଅଷାଢ ମାସ ଶୁକ୍ଳପକ୍ଷ  ଦ୍ଵିତୀୟା ତିଥିରେ ଜଗତର ନାଥ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ଵଜ ଓ ଦେବଦଳନ ରଥରେ ବିଜେହୋଇ ନବଦିନ ପାଇଁ ଯାତ୍ରା କରନ୍ତି । ଗୁଣ୍ଡିଚା ମନ୍ଦିରରେ ସାତଦିନ ଅବସ୍ଥାନ କରି ଫେରିବା ବେଳେ ତାଙ୍କର ଅତି ପ୍ରିୟ ପୋଡ଼ପିଠା ମାଉସୀ ମାଆଙ୍କ ଠାରୁ ସେବନ କରିବାର ବିଧି ଅଛି । ତେଣୁ ଏ ଯାତ୍ରାକୁ ନବ ଦିନାତ୍ମକ ଯାତ୍ରା ବୋଲି କୁହାଯାଏ ।

    ଅନେକ ଦିନ ପୂର୍ବର କଥା । ସେତେବେଳେ ଓଡ଼ିଶାର ଗଜପତି ଥାଆନ୍ତି ପ୍ରତାପରୁଦ୍ର ଦେବ । ରଥଯାତ୍ରା ବେଳର କଥା । ବିଧି ଅନୁସାରେ ଗଜପତି ରଥରେ ସୁବର୍ଣ୍ଣ ଖଡିକାରେ ଛେରାପହଁରା କରିସାରିଲେଣି । ଏଥର ରଥଟଣା ହେବା କଥା । ଏହି ସମୟରେ ଏକ ବିସ୍ମୟକର ଘଟଣା ଘଟିଲା । ରଥ ଉପରୁ ଦୁଇଜଣ ଦଇତାପତି ଜଣେ ଲୋକର ହାତଛାଟି ଧକ୍କା ମାରି ନାନାଦି କୁଭାଷା କହି ତଳକୁ ଠେଲି ପକାଇଦେଲେ । ବିଚରା ଲୋକଟିର ଭଲ ଯୋଗ ଥିବାରୁ ସେ ଜଣେ ସବଳ ଲୋକ ଉପରେ ପଡ଼ିଯାଇ ରକ୍ଷା ପାଇଗଲା । କଥା ବୁଝୁ ବୁଝୁ ଜଣା ପଡ଼ିଲା ଯେ ସେହି ଲୋକ ଜଣକ ଖରାପ ଚରିତ୍ରର । ଯମୁନା ବାଈ ଘରୁ ଆସି ସୂଚୀ ନହୋଇ ରଥ ଉପରେ ଚଢିଯିବା ହିଁ ଥିଲା ତାର ଦୋଷ । ଜଣେ ଲୋକକୁ ରଥରୁ ଠେଲି ଦେଇ ପକେଇ ଦେବା ଘଟଣା ଦେଖଣାହାରୀ ମାନେ ଦେଖି ମଧ୍ୟ କେହି ଏ ବିଷୟରେ ଦୃଷ୍ଟିପାତ କଲେ ନାହିଁ । ଶଙ୍ଖ, ଘଣ୍ଟଘଣ୍ଟା, କାହାଳୀ ଓ ମର୍ଦ୍ଦଳ ଧ୍ଵନିରେ ଚତୁର୍ଦ୍ଦିଗ ଆନନ୍ଦ ମୁଖରିତ ହୋଇଉଠିଲା । ଆଗେଇ ଚାଲିଲା ତାଳଧ୍ଵଜ ଓ ଦେବଦଳନ ରଥ କିଛି ଦୂର ଯାଏଁ । କିନ୍ତୁ ଏ କଣ ! ଜଗନ୍ନାଥଙ୍କ ରଥ ଟିକିଏ ବି ଘୁଞ୍ଚିଲା ନାହିଁ । ଅଗଣିତ ଭକ୍ତ ବଳ ଖର୍ଚ୍ଚ କରି ରଥ ଟାଣିବାକୁ ଚେଷ୍ଟା କଲେ । କିନ୍ତୁ ସବୁ ବିଫଳ । ଜଗନ୍ନାଥଙ୍କ ସେବକ ମାନଙ୍କର ଭାଳେଣି ପଡ଼ିଲା ।

    ଉଆସରେ ଥାଇ ରାଜା ଏକଥା ଶୁଣିଲେ । ଜଗନ୍ନାଥଙ୍କ ଆଗରେ ଭକ୍ତିଭରେ ଅନେକ ସ୍ତୁତି କରି କାକୁତିମିନତୀ ହୋଇ ପ୍ରାର୍ଥନା କଲେ । କିନ୍ତୁ ରଥ ଚକ ଇଞ୍ଚେ ମଧ୍ୟ ଘୁଞ୍ଚିଲା ନାହିଁ । ଶେଷରେ ରାଜା ନିରାଶ ହୋଇ ଫେରିଗଲେ । ଦୀର୍ଘ ତିନିଦିନ ଧରି ତିନିରଥ ସେମିତି ବଡ଼ଦାଣ୍ଡରେ ଅଟକି ରହିଲା । ରଥ ନ ଚାଲିବା ଚିନ୍ତାରେ ରାଜାଙ୍କ ଆଖିରେ ନିଦ ନଥାଏ । ରାତିଅଧ ସମୟ । ଆଖିପତା ଟିକେ ଲାଗିଯାଇଛି । ଗଜପତି ସ୍ଵପ୍ନରେ ଦେଖିଲେ, ଜଗନ୍ନାଥ କହୁଛନ୍ତି,”ଶୁଣ ରାଜନ ! ମୋର ଭକ୍ତ ବଳରାମ ଦାସ । ତାକୁ ଅପମାନ ଦେଇ ମୋ ରଥରୁ କାଢି ଫୋପାଡି ଦିଆଯାଇଛି । ହେଲେ ତାର ଅଖଣ୍ଡ ଭକ୍ତିବଳରେ ବାନ୍ଧିରଖି ମୋତେ ସେ ତା ବାଲି ରଥରେ ଅଟକାଇ ନେଇଛି । ସେ ରଥ ଉପରକୁ ନ ଆସିଲେ ମୁଁ ରଥରେ ଉଭା ହୋଇ ପାରିବି ନାହିଁ ଓ ରଥ ଚାଲିପାରିବନି । ହଠାତ ରାଜାଙ୍କର ନିଦ୍ରାଭଙ୍ଗ ହେଲା । ସେ ଏକ ନିଃଶ୍ଵାସରେ ଦୌଡିଲେ ସମୁଦ୍ର କୂଳକୁ ।

    ସେଠାରେ ଦେଖନ୍ତି ତ ବାଲି ଉପରେ ତିନୋଟି ବାଲିରଥ ଗଢି ବଳରାମ ଦାସ ଭକ୍ତିଭରା ଅନ୍ତରରେ ବସିଥାନ୍ତି । ରାଜାଙ୍କ ଆଦେଶ କ୍ରମେ ତାଙ୍କୁ ଅପମାନିତ କରିଥିବା ଦଇତାପତି, ପାତ୍ରମନ୍ତ୍ରୀ, ପଣ୍ଡା ପଢିଆରୀ ସମସ୍ତେ ସେଠାରେ ମେଳ ହୋଇଗଲେ । ସେତେବେଳକୁ ଭକ୍ତ ବଳରାମ ଦାସଙ୍କୁ ରଥରୁ ଠେଲି ବାହାର କରି ଦେଇଥିବା ସେବକ ଦୁଇଜଣଙ୍କର ହାତ ଫୁଲି ବିନ୍ଧା ହେଉଥାଏ । ସେ ଦୁହେଁ ନିଜ ଭୁଲ ପାଇଁ ଭକ୍ତଙ୍କୁ କ୍ଷମା ମାଗିଲେ । ରାଜା ଭକ୍ତ ବଳରାମ ଦାସଙ୍କୁ ନିଜ ସ୍ଵପ୍ନକଥା କହି ନମ୍ରକଣ୍ଠରେ କହିଲେ,”ଭକ୍ତ ଦାସ, ଆପଣଙ୍କୁ ଅପମାନ ଦେଇଥିବା ସେବକମାନେ ଢେର ଦଣ୍ଡ ପାଇଲେଣି । ଏବେ ଆପଣ ବଡ଼ଦାଣ୍ଡକୁ ବିଜେ ହୁଅନ୍ତୁ । ଆପଣ ବଡ଼ଦାଣ୍ଡକୁ ବିଜେ ହୋଇ ରଥରେ ବିରାଜମାନ ନହେଲେ ରଥ ଚାଲିବନାହିଁ । ରଥ ଚାଲିବା ପରମ୍ପରା ବନ୍ଦ ହେଲେ ଏ ଓଡିଆ ଜାତିର ଅପମାନ ହେବ । ଆପଣ ନଗଲେ ଅଧିନ ଅନ୍ନ ଜଳ ସୁଦ୍ଧା ସ୍ପର୍ଶ କରିବ ନାହିଁ । ଏହା କଣ ଆପଣଙ୍କୁ ଭଲ ଲାଗିବ ? ଏସବୁ ଶୁଣି ଭକ୍ତଙ୍କ ଆଖିରୁ ଆନନ୍ଦାଶ୍ରୁ ଝରିପଡ଼ିଲା । ସେ ଜାଣିଲେ ଯେ,ଭକ୍ତର ଅପମାନକୁ ଭଗବାନ ନିଜ ଅପମାନ ଭଳି ଭାବିଛନ୍ତି । ମହା ଆଡମ୍ବରରେ ଆଦରର ସହ ଭକ୍ତ ବଳରାମଙ୍କୁ ପାଛୋଟି ନିଆଗଲା । ଭକ୍ତ ବଳରାମ ଦାସଙ୍କ ହାତ ସ୍ପର୍ଶରେ ରଥ ଘିଡିଘିଡି ଶବ୍ଦ କରି ଗଡି ଚାଲିଲା । ‘ଜୟ ଜଗନ୍ନାଥ,ଜୟ ଭକ୍ତଶ୍ରେଷ୍ଠ ବଳରାମ ଦାସ ଧ୍ଵନିରେ ବଡ଼ଦାଣ୍ଡ ଅନନ୍ଦ ମୁଖରିତ ହୋଇଉଠିଲା ସେଦିନ । ଭକ୍ତମାନେ ଜାଣିଲେ ଯେ, ମନ ମଧ୍ୟରେ ଭକ୍ତି ଓ ସମର୍ପଣ ଭାବ ଥିଲେ ବାହ୍ୟ ଶରୀର ଅପବିତ୍ର ହୋଇପାରେନା ।

    ଉକ୍ତ ଘଟଣା ୧୫୦୦ ଖ୍ରୀଷ୍ଟାବ୍ଦରୁ ୧୫୧୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଘଟିଥିଲା । ଏହି ଭକ୍ତଶ୍ରେଷ୍ଠ ପଞ୍ଚସଖା ଯୁଗର ଶ୍ରେଷ୍ଠସଖା ଥିଲେ । ତାଙ୍କ ଲିଖିତ ଦାଣ୍ଡି ରାମାୟଣ , ବଟ ଅବକାଶ ଓ ବିରାଟ ଗୀତା ଓଡିଆ ଭାଷାର ଶ୍ରେଷ୍ଠତମ କୃତି । ସେ କୋଣାର୍କର ଗୋପ ନିକଟସ୍ଥ ଏର୍ବଙ୍ଗ ଗ୍ରାମରେ ୧୪୭୨ ରୁ ୮୨ ମଦଜ୍ଞରେ ଜନ୍ମଗ୍ରହଣ କାରିଥିଲେ । ତାଙ୍କର ପିତା ସୋମନାଥ ମହାପାତ୍ର ଓ ମାତା ମହାମାୟା ଦେବୀ । ସେ ଚୈତନ୍ୟଙ୍କ ସହିତ ସାକ୍ଷାତ ଯାଏଁ ରାଜା ପ୍ରତାପରୁଦ୍ର ଦେବଙ୍କର ମନ୍ତ୍ରୀପଦରେ ଅଧିଷ୍ଠିତ ଥିଲେ । ୧୫୪୦ ରେ ତାଙ୍କର ଦେହାନ୍ତ ହୋଇଥିଲା ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14 ° C
    14 °
    14 °
    54 %
    1.2kmh
    2 %
    Tue
    31 °
    Wed
    32 °
    Thu
    33 °
    Fri
    35 °
    Sat
    35 °

    ସମ୍ବନ୍ଧିତ