Saturday, April 4, 2026
29.2 C
Odisha

    ଭାରତୀୟ ଦଳରେ ୩ ଓଡ଼ିଆ: ଶୁଭଶ୍ରୀ, ପ୍ରବାଣୀ, ମାଗାଇ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ/ଭୁବନେଶ୍ବର: ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଚଳିତମାସ ୧୩ ତାରିଖରୁ ଆରମ୍ଭ ହେଉଥିବା ପ୍ରଥମ ଖୋ ଖୋ ବିଶ୍ବକପ୍‌ ପାଇଁ ଗୁରୁବାର ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷଣା କରାଯାଇଛି। ଘୋଷିତ ୧୫ ଜଣିଆ ମହିଳା ଦଳରେ ଦୁଇଜଣ ଏବଂ ପୁରୁଷ ଦଳରେ ଜଣେ ଓଡ଼ିଆ ସ୍ଥାନ ପାଇବାର ସୌଭାଗ୍ୟ ହାସଲ କରିଛନ୍ତି। ଭାରତୀୟ ମହିଳା ଦଳରେ ମାଗାଇ ମାଝି (ରାୟଗଡା ) ଓ ଶୁଭଶ୍ରୀ ସିଂହ (ବାଲଶ୍ବର ଜିଲ୍ଲା) ଏବଂ ପୁରୁଷରେ ପ୍ରବାଣୀ ଶବର (ଗଜପତି ଜିଲ୍ଲା) ସ୍ଥାନ ପାଇଛନ୍ତି। ଏହି ୩ ଓଡ଼ିଶା ଖେଳାଳିଙ୍କ ନିକଟରେ ଜାତୀୟସ୍ତରୀୟ ପ୍ରତିଯୋଗିତାର ଯଥେଷ୍ଟ ଅନୁଭୂତି ରହିଛି। ଖୋ ଖୋ ବିଶ୍ବକପ୍‌  ଭାରତୀୟ ମହିଳା ଦଳର ନେତୃତ୍ବ ଭାର ପ୍ରିୟଙ୍କା ଇଙ୍ଗ୍‌ଲେଙ୍କୁ ମିଳିଥିଲା ବେଳେ ପ୍ରତୀକ ୱାଇକର ପୁରଷ ଦଳର ଅଧିନାୟକ ରହିଛନ୍ତି। ୧୨୦ ଜଣିଆ ଜାତୀୟ ପ୍ରଶିକ୍ଷଣ ଶିବିରରୁ ଉଭୟ ମହିଳା ଓ ପୁରୁଷ ଦଳ ବଛାଯାଇଛି। ଜାତୀୟ ପ୍ରଶିକ୍ଷଣ ଶିବିରରେ ଓଡ଼ିଶାର ୪ ଜଣ ମହିଳା ଓ ୩ ଜଣ ପୁରୁଷ ଖେଳାଳି ଥିଲେ। ଏଥି ସହିତ ଖୋ ଖୋ ବିଶ୍ବକପ୍‌ରେ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ମୁନ୍ନି ଜୋନ ଓ ପୁରଷ ଦଳର ମେଣ୍ଟର ଅଶ୍ବିନୀ କୁମାର ରହିଛନ୍ତି। ଖୋ ଖୋ ବିଶ୍ବକପ୍‌ର ଉଦ୍‌ଘାଟନୀ ଦିବସରେ ଭାରତୀୟ ପୁରୁଷ ଦଳ ନେପାଳକୁ ଏବଂ ମହିଳା ଦଳ ଦକ୍ଷିଣ କୋରିଆକୁ ଭେଟିବ।

    ଗୁରୁବାର ସର୍ବଭାରତୀୟ ଖୋ ଖୋ ମହାସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ସୁଧାଂଶୁ ମିତ୍ତଲ, ସମ୍ପାଦକ ଏମ୍‌ଏସ୍‌ ତ୍ୟାଗୀ ଦଳ ଘୋଷଣା କରିଥିଲେ। ଭାରତୀୟ ଦଳ ଘୋଷଣା ଅବସରରେ ସବୁଜ ରଙ୍ଗର ଖୋ ଖୋ ବିଶ୍ବକପ୍‌ ମହିଳା ଟ୍ରଫି ଉନ୍ମୋଚନ କରାଯାଇଥିଲା। ଏଇ ଅବସରରେ ଖୋ ଖୋ ବିଶ୍ବକପ୍‌ର ସିଇଓ ମେଜର ଜେନେରାଲ୍‌ ବିକ୍ରମ ଦେବ୍‌ ଡୋଗ୍ରା ଓ ଶ୍ରୀ ତ୍ୟାଗୀ ସାମ୍ବାଦିକଙ୍କୁ ସମ୍ବୋଧନ କରିଥିଲେ। ପ୍ରଥମ ଖୋ ଖୋ ବିଶ୍ବକପ୍‌ ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଶାର ତିନିଜଣ ଖେଳାଳି ଖୁସି ପ୍ରକାଶ କରିବା ସହ ବିଶ୍ବକପ୍‌ରେ ପ୍ରତିନିଧିତ୍ବ କରିବା ସେମାନଙ୍କ ପାଇଁ ଅବିସ୍ମରଣୀୟ ମୁହୁର୍ତ୍ତ ବୋଲି ପ୍ରତିକ୍ରିୟାରେ କହିଥିଲେ। ଦେଶ ପାଇଁ ବିଶ୍ବକପ୍‌ ଟ୍ରଫି ଜିତିବା ବର୍ତ୍ତମାନ ସେମାନଙ୍କ ପ୍ରାଥମିକତା ବୋଲି କହିଥିଲେ।

    ଓଡ଼ିଶାର ଖୋ ଖୋ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ପ୍ରଶିକ୍ଷଣ ସହ ଜାତୀୟସ୍ତରରେ ସେମାନଙ୍କ ପ୍ରଦର୍ଶନ ବିଶ୍ବକପ୍‌ରେ ଉଚ୍ଚକୋଟୀର ଖେଳ ଦେଖାଇବାରେ ବିଶେଷ ସହାୟକ ହେବ ବୋଲି ଆଶା ରଖିଛନ୍ତି। ଦଳରେ ସାମିଲ ହୋଇଥିବା ଏହି ଓଡ଼ିଆ ଖେଳାଳିମାନେ, ଭାରତ ଉଭୟ ପୁରୁଷ ଓ ମହିଳା ବିଶ୍ବକପ୍‌ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସହିତ ଏଥିପାଇଁ ଶତପ୍ରତିଶତ ପ୍ରୟାସ ରହିବ ବୋଲି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଭାରତୀୟ ଦଳରେ ସ୍ଥାନ ପାଇଥିବା ପ୍ରବାଣୀ, ଶୁଭଶ୍ରୀ, ମାଗାଇ ଭୁବନେଶ୍ବରସ୍ଥିତ କିସ୍ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଖୋ ଖୋ ବିଶ୍ବକପ୍‌ର ପ୍ରଥମ ସଂସ୍କରଣରେ ୨୩ ଦେଶରୁ ୨୦ ପୁରୁଷ ଓ ୧୯ ମହିଳା ଦଳ ଅଂଶଗ୍ରହଣ କରିବେ। ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଖେଳାଳିଙ୍କୁ କିଟ୍‌, କିସ୍‌ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶା ଖୋ ଖୋ ସଂଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, କିସ୍‌ ଖୋ ଖୋ ଦଳର ମୁଖ୍ୟ ପ୍ରଶିକ୍ଷକ କାଳନ୍ଦି ଚରଣ ରାଉତ, ଓଡ଼ିଶା ଖୋ ଖୋ ଏଚ୍‌ପିସି ପ୍ରଶିକ୍ଷକ ସଂଜୀବ ଶର୍ମା ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ