ନୂଆଦିଲ୍ଲୀ : ଭାରତ ସରକାରଙ୍କ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏକ ବଡ଼ କଥା ପ୍ରକାଶ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ନୀତିନ ଗଡକରୀ କହିଛନ୍ତି ଯେ ‘ସମ୍ପୂର୍ଣ୍ଣ ଦେଶରେ ନୂଆ ଟୋଲ୍ ପଲିସି ଲାଗୁ ହେବାକୁ ଯାଉଛି ।’ ଏହାକୁ ଆଗାମୀ ୧୦ ରୁ ୧୫ ଦିନ ମଧ୍ୟରେ କାର୍ଯ୍ୟକାରୀ କରାଯାଇପାରିବ । କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ‘ଆଗାମୀ ସମୟରେ ପୁରା ଦେଶର ସମସ୍ତ ଟୋଲ୍ ପ୍ଲାଜାକୁ ହଟାଇ ଦିଆଯିବ’ । ଏଥିସହ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗତ ସୋମବାର, ଏପ୍ରିଲ୍ ୧୪, ୨୦୨୫ରେ ଏକ ଇଭେଣ୍ଟରେ କହିଥିଲେ ଯେ ‘ଦେଶର ବିଭିନ୍ନ ସ୍ଥାନରୁ ଖୁବ୍ ଶୀଘ୍ର ଫିଜିକାଲ ଟୋଲ୍ ବୁଥ୍ ହଟାଯିବ’ । ଏହା ସହିତ ନୂଆ ଟୋଲ୍ ପଲିସି ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା । ନୀତି ଗଡକରୀ ଆହୁରି କହିଛନ୍ତି ଯେ ‘ବର୍ତ୍ତମାନ ମୁଁ ଏହା ବିଷୟରେ ଅଧିକ କହିବି ନାହିଁ, କିନ୍ତୁ ମୁଁ କହିପାରିପି ଯେ ଆଗାମୀ ୧୫ ଦିନ ମଧ୍ୟରେ ଭାରତ ସରକାର ଏକ ନୂଆ ଟୋଲ୍ ପଲିସି ଲାଗୁ କରିବାକୁ ଯାଉଛନ୍ତି’ । ଏକ ରିପୋର୍ଟ ଅନୁଯାୟୀ, ନୀତିନ ଗଡକରୀ କହିଛନ୍ତି ଯେ ‘ନୂଆ ସିଷ୍ଟମ କାର୍ଯ୍ୟକାରୀ ହେବା ସହିତ, ସାଟେଲାଇଟ୍ ଟ୍ରାକିଂ ମାଧ୍ୟମରେ ଟୋଲ୍ ଅଟୋମେଟିକ୍ ଭାବରେ କଟାଯିବ’ । ଏଥି ସହ ଆହୁରି ମଧ୍ୟ କହିଛନ୍ତି ଯେ ସାଟେଲାଇଟ୍ ମାଧ୍ୟମରେ ଗାଡ଼ି ନମ୍ବର ପ୍ଲେଟ୍ ଚିହ୍ନଟ କରାଯିବ ଏବଂ ଟୋଲ୍ ଅଟୋମେଟିକ୍ ଭାବରେ କଟିଯିବ ।
ସଡ଼କ ପରିବହନ ମନ୍ତ୍ରୀ ଦେଶର ରୋଡ୍ ଇନଫାଷ୍ଟ୍ରକ୍ଚର ବିଷୟରେ ମଧ୍ୟ ବହୁତ କଥା କହିଥିଲେ । ଏଥି ସହ ନୀତିନ ଗଡକରୀ କହିଛନ୍ତି ଯେ ‘ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତର ରୋଡ୍ ଇନଫାଷ୍ଟ୍ରକ୍ଚର ଅମେରିକା ଅପେକ୍ଷା ଭଲ ହେବ’ । କେନ୍ଦ୍ରମନ୍ତ୍ରୀ ମୁମ୍ବାଇ-ଗୋଆ ରାଜପଥ ବିଷୟରେ ମଧ୍ୟ କହିଥିଲେ ଯେ ‘ଏହି ରାଜପଥ ଚଳିତ ବର୍ଷ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇପାରିବ’ । ମୁମ୍ବାଇ-ଗୋଆ ରାଜପଥ ନିର୍ମାଣ ହେବା ସହିତ, ଏହି ଦୁଇଟି ସ୍ଥାନ ମଧ୍ୟରେ ଟ୍ରାଭେଲ୍ ଟାଇମ୍ ବହୁତ କମ୍ ହୋଇପାରେ ।