Monday, April 13, 2026
25 C
Odisha

    ଭାରତ ହେବ ବିଶ୍ବ ସାମୁଦ୍ରିକ ଶକ୍ତି: ଅମିତ ଶାହା

    ଆଗକୁ ପଢନ୍ତୁ

    ମୁମ୍ବାଇ  :  ଭାରତର ସାମୁଦ୍ରିକ ସ୍ଥିତି, ଗଣତାନ୍ତ୍ରିକ ସ୍ଥିରତା ଏବଂ ନୌସେନା କ୍ଷମତା ଭାରତ-ପ୍ରଶାନ୍ତ ମହାସାଗର ଏବଂ ବିଶ୍ୱ ଦକ୍ଷିଣ କ୍ଷେତ୍ରରେ ବିକାଶ, ସୁରକ୍ଷା ଏବଂ ପରିବେଶକୁ ପ୍ରୋତ୍ସାହିତ କରୁଛି ବୋଲି କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଭାରତ ସାମୁଦ୍ରିକ ସପ୍ତାହ (ଇଣ୍ଡିଆ ମାରିଟାଇମ୍‌‌ ୱିକ) ୨୦୨୫ ସୋମବାର ଉଦ୍‌‌ଘାଟନ କରି କେନ୍ଦ୍ର ମନ୍ତ୍ରୀ ଶାହା କହିଛନ୍ତି ଭାରତର ସାମୁଦ୍ରିକ ଇତିହାସ ୫୦୦୦ ବର୍ଷ ପୁରୁଣା ଏବଂ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଏକ ନୂତନ ସାମୁଦ୍ରିକ ଇତିହାସ ଲେଖୁଛି। ମୁମ୍ବଇର ଏହି ମାରିଟାଇମ୍‌‌ ୱିକ ଆଗାମୀ ଦିନରେ ଗେଟ୍‌‌ ୱେ ଅଫ୍‌‌ ଇଣ୍ଡିଆକୁ ଗେଟ୍‌‌ ୱେ ଅଫ୍‌‌ ୱାର୍ଲ୍‌‌ଡରେ ପରିଣତ କରିବ ବୋଲି ସେ କହିଥିଲେ। ଉଦ୍‌ଘାଟନ ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇ ରାଜ୍ୟର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଲାଗି ନିବେଶକଙ୍କୁ ଆମନ୍ତ୍ରଣ କରିଛନ୍ତି। ଓଡ଼ିଶାକୁ ଏକ ବନ୍ଦର ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ବଦ୍ଧପରିକର। ଆମର ବନ୍ଦରଗୁଡ଼ିକୁ ବାଣିଜ୍ୟ, ଶିଳ୍ପ ଓ କର୍ମନିଯୁକ୍ତିର ଇଞ୍ଜିନ ଭାବେ ରୂପାନ୍ତରିତ କରିବୁ। ଆଗାମୀ ୨୫ ବର୍ଷ ମଧ୍ୟରେ ଦେଶର ବିକାଶ ଯାତ୍ରାରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଏହା ସହ ସେ କହିଥିଲେ ଯେ ଓଡ଼ିଶାର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ବ୍ୟାପକ ସୁଯୋଗ ରହିଛି। କାରଣ ଓଡ଼ିଶାରେ ୫୭୫ କିମିର ସମୁଦ୍ର ଉପକୂଳ ରହିଥିବାବେଳେ ଏହା ଏକ ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ। ଓଡ଼ିଶାର ଖଣିଜ ସମ୍ପଦ ଓ ଉପକୂଳ ସୀମାକୁ ନେଇ ପୂର୍ବୋଦୟ ବିକାଶର ପରିକଳ୍ପନା କରାଯାଇଛି। ଓଡ଼ିଶାରେ ଏବେ ତିନିଟି ବନ୍ଦର ଥିବାବେଳେ ଆଗାମୀ ଦିନରେ ଗଞ୍ଜାମ ଜିଲାରେ ବାହୁଦା ନାମରେ ଆଉ ଏକ ବନ୍ଦର ନିର୍ମାଣ ହେବାକୁ ଯାଉଛି। ଏହି ବନ୍ଦର ପ୍ରକଳ୍ପରେ ୨୧, ୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ୬୭୫୭ ଏକର ଅଞ୍ଚଳରେ ହେବାକୁ ଥିବା ଏହି ପ୍ରକଳ୍ପ ଶେଷ ହେବା ପରେ ଏଠାରୁ ବାର୍ଷିକ ୧୫୦ ଏମଏମଟିପିଏ ମାଲ ପରିବହନ ପରିଚାଳନା କରାଯାଇ ପାରିବ। ଏହା ସହିତ ୨୪, ୭୦୦କୋଟି ଟଙ୍କାର ପୁଞ୍ଜିନିବେଶରେ ମହାନଦୀ ମୁହାଣରେ ଏକ ସିପ୍‌ ବିଲ୍‌ଡିଂ ପ୍ରକଳ୍ପ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଥିଲେ। ସାମୁଦ୍ରିକ ଶିଳ୍ପ ସହିତ ସାମୁଦ୍ରିକ ପର୍ଯ୍ୟଟନ କ୍ଷେତ୍ର ଉପରେ ମଧ୍ୟ ଓଡ଼ିଶା ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଆଗାମୀ ଦିନରେ ପୁରୀର ଜଗନ୍ନାଥ ଧାମରେ ଏକ କ୍ରୁଜ ଟର୍ମିନାଲ ନିର୍ମାଣ ଲାଗି ପରିଯୋଜନା କରାଯାଇଛି। ପୁରୀରୁ ପାରାଦ୍ୱୀପ ପର୍ଯ୍ୟନ୍ତ କ୍ରୁଜ୍‌ ଜାହାଜ ଚଳାଚଳ ଲାଗି ହେବାକୁ ଥିବା ଯୋଜନାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ପୁଞ୍ଜିନିବେଶ କରିବାକୁ ଆମନ୍ତ୍ରଣ କରିଥିଲେ। ଓଡ଼ିଶାରେ କ୍ରୁଜ୍‌ ଜାହାଜ ଚଳାଚଳ ଓ ବନ୍ଦର ନିର୍ମାଣ ଲାଗି ପୁଞ୍ଜି ନିବେଶ ପାଇଁ ଏହି ମାରିଟାଇମ୍‌‌ ୱିକ୍‌‌ରେ ଅନେକ ଏମଓୟୁ ସ୍ୱାକ୍ଷର ହେବ। ଓଡ଼ିଶାର ବନ୍ଦର ଶିଳ୍ପର ବିକାଶ କ୍ଷେତ୍ରରେ ପାରାଦ୍ୱୀପ ବନ୍ଦରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ପ୍ରକାଶ କରିବା ସହ ପାରାଦ୍ୱୀପ ବନ୍ଦର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପୁରସ୍କୃତ ହୋଇଥିବା କହିଥିଲେ। ଆଜିର ଉଦ୍‌ଘାଟନ ଉତ୍ସବ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ପାରାଦ୍ୱୀପ ବନ୍ଦର ପକ୍ଷରୁ ଆୟୋଜିତ ଷ୍ଟଲକୁ ଉଦ୍‌ଘାଟନ କରିବା ସହିତ ଏହାକୁ ବୁଲି ଦେଖିଥିଲେ। ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି ଏଲ୍‌‌ ହରନାଦ ଆଗାମୀ ଦିନରେ ହେବାକୁ ଥିବା ବାହୁଦା ବନ୍ଦର ପ୍ରକଳ୍ପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୁଝାଇଥିଲେ। ଉଦ୍‌ଘାଟନ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା କହିଥିଲେ ଯେ ଭାରତ ସାମୁଦ୍ରିକ କ୍ଷମତାର କେନ୍ଦ୍ରବିନ୍ଦୁ। କାରଣ ଭାରତର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଲାଗି ପ୍ରାୟ ୧୦୦ଟି ଦେଶ ଆଗ୍ରହ ପ୍ରକାଶ ପୂର୍ବକ ଏହି ମାରିଟାଇମ୍‌‌ ୱିକ୍‌‌ରେ ଭାଗ ନେଇଛନ୍ତି। ଭାରତ ପରସ୍ପରର ସହଯୋଗ ମାଧ୍ୟମରେ ବିଶ୍ୱର ମାରିଟାଇମ୍‌‌ ଶିଳ୍ପ ସହିତ ଆଗକୁ ବଢ଼ିବାରେ ଲାଗିଛି। ଶ୍ରୀ ଶାହା କହିଥିଲେ ଯେ ଭାରତ କେବଳ ମାରିଟାଇମ୍‌‌ ଶିଳ୍ପର ବିକାଶକୁ ଧ୍ୟାନ ଦେଉନାହିଁ। ସାମୁଦ୍ରିକ କ୍ଷେତ୍ରର ବିକାଶ ସହିତ ଜଳବାୟୁର ସୁରକ୍ଷାକୁ ମଧ୍ୟ ଭାରତ ଧ୍ୟାନ ଦେଉଛି। ଭାରତର ୯ଟି ଉପକୂଳ ରାଜ୍ୟରେ ୧୧ହଜାର କିମି ଉପକୂଳ ରହିଛି। ଏହି ଉପକୂଳ ସୀମାର ସୁରକ୍ଷା ଉପରେ ମଧ୍ୟ କେନ୍ଦ୍ର ସରକାର ଧ୍ୟାନ ଦେଉଛନ୍ତି। ଦେଶର ଉପକୂଳ ରାଜ୍ୟଗୁଡ଼ିକରେ ଦେଶର ପ୍ରାୟ ଅର୍ଦ୍ଧାଧିକ ଲୋକ ବାସ କରୁଥିବାରୁ ସାମୁଦ୍ରିକ କ୍ଷେତ୍ରର ବିକାଶ ଦ୍ୱାରା ଦେଶର ନାଗରିକଙ୍କ ବିକାଶ ହୋଇପାରିବ ବୋଲି ଶ୍ରୀ ଶାହା କହିଥିଲେ। ଏହି ମାରିଟାଇମ୍‌‌ ୱିକ୍‌‌ରେ ହେବାକୁ ଥିବା ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଲୋଚନାରୁ ସମୁଦ୍ର ମନ୍ଥନ ଭଳି ଅମୃତ ବାହାରିବ ବୋଲି ଶ୍ରୀ ଶାହା ଆଶା ବ୍ୟକ୍ତ କରିଥିଲେ। ଆଜିର ଉତ୍ସବରେ ବନ୍ଦର, ଜାହାଜ ଚଳାଚଳ ଓ ଜଳ ମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାନ୍ତନୁ ଠାକୁର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପ୍ରଟେଲ, ମହାରାଷ୍ଟ୍ରର ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ଉପକୂଳ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟରେ ପୁଞ୍ଜିନିବେଶ କରିବା ଲାଗି ଦେଶ ଓ ବିଦେଶର ନିବେଶକଙ୍କୁ ଆମନ୍ତ୍ରଣ କରିଥିଲେ। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ଦେଶ ଓ ବିଦେଶର ବିଭିନ୍ନ ପୁଞ୍ଜି ନିବେଶକଙ୍କ ସହିତ ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜି ନିବେଶ ନିମନ୍ତେ ଦେଶର ବିଭିନ୍ନ ବନ୍ଦର କର୍ତ୍ତୃପକ୍ଷ ଓ ସରକାର ବୁଝାମଣାପତ୍ର ସ୍ବାକ୍ଷର କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    65 %
    2.3kmh
    0 %
    Sun
    25 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ