Saturday, October 31, 2026
27.7 C
Odisha

    ଭୁଟାନରେ ଫାଟିଲା ଗ୍ଲେସିୟର ହ୍ରଦ, ଆସାମ ଓ ପଶ୍ଚିମବଙ୍ଗରେ ହାଇ ଆଲର୍ଟ

    ଆଗକୁ ପଢନ୍ତୁ

    କାଠମାଣ୍ଡୁ : କିଛିଦିନ ତଳେ ନେପାଳରେ ଗ୍ଲେସିୟର ହ୍ରଦ ଫାଟିବା ଯୋଗୁଁ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ହୋଇଥିଲା । ଏବେ ଭୁଟାନରେ ଗ୍ଲେସିୟର ହ୍ରଦ ଫାଟିବା ପରେ ଉତ୍ତର ବଙ୍ଗର ବିଭିନ୍ନ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ଲେମଥାଙ୍ଗ ଅଞ୍ଚଳରେ ଥିବା ଶିତାଂଫୁ ଗ୍ଲେସିୟର ହ୍ରଦ ଫାଟିବା ଯୋଗୁଁ ପାଣି ମୋଫୁ ନଦୀ ଦେଇ ଭାରତର ସଂକୋଶ ନଦୀ ଆଡ଼କୁ ପ୍ରବାହିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ଆଲିପୁରଦ୍ୱାର, ଜଳପାଇଗୁଡ଼ି ଓ ଦାର୍ଜିଲିଂ ସମେତ ଉତ୍ତର ବଙ୍ଗର ଅନେକ ଜିଲ୍ଲାରେ ସତର୍କତା ଜାରି କରାଯାଇଛି ।

    ଭୁଟାନର ଶିତାଂଫୁ ହ୍ରଦରୁ ପାଣି ଆସୁଥିବା ଖବର ପରେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି । ପଶ୍ଚିମବଙ୍ଗର ମନ୍ତ୍ରୀ ନିଶିଥ ପ୍ରମାଣିକ ଓ ମନୋଜ କୁମାର ଓରାଓଁ ସଂକୋଶ ନଦୀ କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅପିଲ୍ କରିଛନ୍ତି । ଏହା ସହିତ ବିପର୍ଯ୍ୟୟ ପରିଚାଳନା ବିଭାଗ, NDRF ଏବଂ SDRFକୁ ସତର୍କ ରଖାଯାଇଛି ।

    ଗୁରୁବାର ରାତିଠାରୁ ଭୁଟାନର ଅତ୍ୟନ୍ତ ସମ୍ବେଦନଶୀଳ ଶିତାଂଫୁ ହ୍ରଦରୁ ଦ୍ରୁତ ଗତିରେ ଜଳ ପ୍ରବାହିତ ହେଉଛି । ଏହାକୁ ନେଇ ଆଖପାଖ ଅଞ୍ଚଳରେ ସତର୍କତା ଜାରି ହୋଇଥିବା ବେଳେ କେତେକ ସ୍ଥାନରେ ସାଇରନ୍ ବଜାଯାଉଛି । ଉତ୍ତର ବଙ୍ଗର ସଂକୋଶ ନଦୀ ଏବଂ ଏହାର ଶାଖାନଦୀଗୁଡ଼ିକର ଅବବାହିକାରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି ।

    ସଂକୋଶ ନଦୀ ଭୁଟାନରୁ ଭାରତକୁ ପ୍ରବେଶ କରି ଉତ୍ତର ପଶ୍ଚିମବଙ୍ଗ ଓ ଆସାମର କେତେକ ଅଞ୍ଚଳ ଦେଇ ପ୍ରବାହିତ ହେଉଛି । ନଦୀର ଜଳସ୍ତର ହଠାତ୍ ବଢ଼ିଲେ ନଦୀକୂଳରେ ଥିବା ଜନବସତି, ଚାଷଜମି, ପଶୁସମ୍ପଦ ଏବଂ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଦାର୍ଜିଲିଂର ବିଜେପି ସାଂସଦ ରାଜୁ ବିଷ୍ଟା ଏକ ଭିଡିଓ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ଅପିଲ୍ କରିଛନ୍ତି । ଦାର୍ଜିଲିଂ ପାହାଡ଼ିଆ ଅଞ୍ଚଳ, ତରାଇ ଓ ଡୁଆର୍ସ ଅଞ୍ଚଳର ବାସିନ୍ଦାଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

    ବନ୍ୟା ଜଳ ଘଟଣାର ୬ରୁ ୮ ଘଣ୍ଟା ମଧ୍ୟରେ ଭାରତ-ଭୁଟାନ ସୀମାରେ ପହଞ୍ଚିବାର ଆଶଙ୍କା ମଧ୍ୟ ପ୍ରକାଶ କରାଯାଇଥିଲା । ପ୍ରଶାସନ ପକ୍ଷରୁ ନଦୀକୂଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହିବା ସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.7 ° C
    27.7 °
    27.7 °
    78 %
    1.2kmh
    51 %
    Sat
    28 °
    Sun
    28 °
    Mon
    29 °
    Tue
    29 °
    Wed
    28 °

    ସମ୍ବନ୍ଧିତ