ପୁରୀ : ବାତ୍ୟା ‘ଅକଭାନ୍ ’ ପରେ ଘନ କୁହୁଡ଼ିର ଚାଦର ତଳେ ଶ୍ରୀକ୍ଷେତ୍ର ପୁରୀ । ପୁରୀ ସହରର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ହ୍ରାସ ପାଇବାରୁ ଯାତାୟାତରେ ସମସ୍ୟା ଦେଖିବାକୁ ମିଳିଛି । ବାତ୍ୟା ଅକଭାନ୍ ର ସ୍ଥଳଭାଗ ଅତିକ୍ରମ ପରେ ଶ୍ରୀକ୍ଷେତ୍ର ପୁରୀର କିଛି ଅଞ୍ଚଳରେ ଦେଖିବାକୁ ମିଳିଛି ଘନ କୁହୁଡ଼ିର ଆସ୍ତରଣ । ସହରର ବିଭିନ୍ନ ସ୍ଥାନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିବାବେଳେ ଚାରିଆଡ଼େ ଧୂଆଁଳିଆ ପରିବେଶ ସୃଷ୍ଟି ହୋଇଛି ।
ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଦୃଶ୍ୟମାନ ଦୂରତା କମିଯାଇଛି । ଏଭଳି ପରିସ୍ଥିତିରେ ଗାଡ଼ି ଚାଳକଙ୍କୁ ସତର୍କତାର ସହ ଯାତାୟାତ କରିବାକୁ ପଡ଼ୁଛି । ବିଶେଷକରି ସକାଳ ସମୟରେ ଘନ କୁହୁଡ଼ି ଯାତାୟାତ ପାଇଁ ସମସ୍ୟା ସୃଷ୍ଟି କରିପାରେ । ବାତ୍ୟା ପରବର୍ତ୍ତୀ ସମୟରେ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା, ତାପମାତ୍ରାର ପରିବର୍ତ୍ତନ ଏବଂ ପବନର ବେଗ କମିବା ଭଳି କାରଣରୁ କୁହୁଡ଼ି ସୃଷ୍ଟି ହୋଇପାରେ । ତେବେ ପୁରୀରେ ଦେଖାଦେଇଥିବା ଏହି କୁହୁଡ଼ିର ନିର୍ଦ୍ଦିଷ୍ଟ କାରଣ ପାଣିପାଗ ବିଭାଗର ଆକଳନ ପରେ ସ୍ପଷ୍ଟ ହେବ ।
ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ନଭେମ୍ବର ୨୦ ତାରିଖ ସକାଳ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ବାତ୍ୟା ‘ଅକଭାନ୍ ’ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିଲା । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା । ଏବେ ବାତ୍ୟା ପରବର୍ତ୍ତୀ ପାଗ ମଧ୍ୟରେ ପୁରୀ ସହରରେ ଘନ କୁହୁଡ଼ି ଦେଖାଦେଇଛି। ଏହି ସମୟରେ ଦୁର୍ଘଟଣା ଏଡ଼ାଇବା ପାଇଁ ଗାଡ଼ିର ବେଗ କମ୍ ରଖିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଜରୁରୀ ।
