ଭୁବନେଶ୍ବର: ଭୁବନେଶ୍ବର ୧ ନମ୍ବର ହାଟରେ ସ୍ଥିତି ଅନୁଧ୍ୟାନ କଲେ ବିଏମସି ମେୟର ଓ କମିଶନର । କିଛି ଦୋକାନୀ ନିୟମ ମାନୁନାହାନ୍ତି ବୋଲି କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା । ବିଏମସିର ତାଗିଦ୍ ପରେ ବି ଦୋକାନୀ ଶୁଣୁନାହାନ୍ତି ବୋଲି କହିଛନ୍ତି ସୁଲୋଚନା । ସେପଟେ ବିଏମସି କମିଶନର କହିଛନ୍ତି, ଦୋକାନୀ ବହୁଳ ମାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାର କରୁଛନ୍ତି। ପାଲ ପକାଇ ରାସ୍ତାକୁ ସଙ୍କୁଚିତ କରିଦେଇଛନ୍ତି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତି ପାଖାପାଖି ଗୋଟାଏ ରେ ହଠାତ ୟୁନିଟ- ୧ ହାଟର ଗୋଟିଏ ଦୋକାନରେ ନିଆଁ ଲାଗିଥିଲା । ଚାହୁଁଚାହୁଁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । କେହି କିଛି ବୁଝିବା ଆଗରୁ ନିଆଁର କରାଳ ଆଁରେ ଗୋଟିଏ ପରେ ଗୋଟିଏ ଦୋକାନ ଜଳି ଚାଲିଥିଲା । ପାଖାପାଖି ୪୦ଟି ଦୋକାନ ଏହି ନିଆଁରେ ଜଳିଯାଇଛି । ଗୋଟିଏ ଦୋକାନରେ ନିଆଁ ଲାଗିବା ଫଳରେ ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା । ନିଆଁର ପ୍ରକୋପ ଭୟଙ୍କର ହୋଇଥିବାରୁ ଲିଭାଇବା ପାଇଁ ଆସିଥିବା ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ହାଟ ଭିତରକୁ ପଶିପାରିନଥିଲେ । ନିଆଁ ଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳବାହିନୀ ସହ ସେଣ୍ଟ୍ରାଲ୍ ଷ୍ଟ୍ରାଇକ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲିଭାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ୧୩ଟି ଦମକଳବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାୟ ୧ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା ।

