Thursday, October 8, 2026
29.4 C
Odisha

    ଭେନେଜୁଏଲାରେ ପ୍ରଳୟ, ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧,୪୩୦କୁ ବୃଦ୍ଧି

    ଆଗକୁ ପଢନ୍ତୁ

    ଭେନେଜୁଏଲା  : ଭେନେଜୁଏଲାରେ ପ୍ରଳୟ । ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧,୪୩୦କୁ ବୃଦ୍ଧି । ଧ୍ୱଂସାବଶେଷ ତଳେ ଜୀବନ ପାଇଁ ସଂଗ୍ରାମ । ବଡ଼ ବିପର୍ଯ୍ୟୟର ସାମ୍ନା କରିଛି ଭେନେଜୁଏଲା । ଗତ ବୁଧବାର ସନ୍ଧ୍ୟାରେ ଦେଶରେ ଅନୁଭୂତ ହୋଇଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସ୍ଥିତି ଅତ୍ୟନ୍ତ ଭୟାବହ ହୋଇପଡ଼ିଛି । ନ୍ୟାସନାଲ ଆସେମ୍ବଲି ସଭାପତି ଜର୍ଜ ରୋଡ୍ରିଗେଜ୍ ଙ୍କ ସୂଚନା ଅନୁଯାୟୀ, ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ି ୧,୪୩୦ରେ ପହଞ୍ଚିଥିବା ବେଳେ ପ୍ରାୟ ୩,୨୩୮ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଉଦ୍ଧାରକାରୀ ଦଳ ପାଇଁ ଆଗାମୀ କିଛି ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଶତାଧିକ ଲୋକ ଏବେ ବି କଂକ୍ରିଟ୍ ସ୍ତୁପ ତଳେ ଫସି ରହିଛନ୍ତି । ସାଂସଦ ରୋଡ୍ରିଗେଜ୍ ଏହି ଦୁର୍ଭାଗ୍ୟଜନକ ଘଟଣାକୁ “ଗତ ୧୨୩ ବର୍ଷ ମଧ୍ୟରେ ଦେଶ ଦେଖିଥିବା ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ” ବୋଲି ଅଭିହିତ କରିଛନ୍ତି ।

    ମାତ୍ର ୩୯ ସେକେଣ୍ଡ ବ୍ୟବଧାନରେ ଆସିଥିବା ୭.୨ ଏବଂ ୭.୫ ତୀବ୍ରତାର ଏହି ଦୁଇଟି ଝଟକା ସେତେବେଳେ ସର୍ବନାଶ ରଚିଥିଲା, ଯେତେବେଳେ ଏକ ଜାତୀୟ ଛୁଟିଦିନ ଯୋଗୁଁ ପ୍ରାୟ ସମସ୍ତ ପରିବାର ନିଜ ଘରେ ଏକାଠି ଥିଲେ । ଭୂକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଲା ଗୁଏରା ଏବଂ କାରାକାସ୍ ଅଞ୍ଚଳରେ ଦିନରାତି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିବିସି ମୁଣ୍ଡୋର ଏକ ରିପୋର୍ଟ ଅନୁଯାୟୀ, ଭୁଶୁଡ଼ି ପଡ଼ିଥିବା ଏକ ବିଲଡିଂ ବାହାରେ ଆଶାର ସହ ଚାହିଁ ରହିଥିବା ଏକ ପରିବାର କହିଛନ୍ତି ଯେ ସେମାନେ ଧ୍ୱଂସାବଶେଷ ତଳୁ ନିଜ ପ୍ରିୟଜନଙ୍କ ଗୁଙ୍ଗେଇବା ଶବ୍ଦ ଶୁଣିବାକୁ ପାଇଛନ୍ତି। ଏହି ମର୍ମାହତ ସ୍ଥିତି ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଚମତ୍କାର ମଧ୍ୟ ଦେଖିବାକୁ ମିଳିଛି । ଜଣେ ନବଜାତ ଶିଶୁକୁ କଂକ୍ରିଟ୍ ଗଦା ତଳୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି, ଯାହାର ଭିଡିଓ ସାରା ଦେଶକୁ ଭାବୁକ କରିଦେଇଛି ।

    କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ କହିଛନ୍ତି ଯେ ଧ୍ୱଂସାବଶେଷ ତଳୁ ଆହୁରି ଅନେକ ଜୀବନ ବଞ୍ଚାଇବା ପାଇଁ ଟିମ୍ ପ୍ରାଣପଣେ ଚେଷ୍ଟା କରୁଛି । USGS ଅନୁଯାୟୀ, ୭.୫ ତୀବ୍ରତାର ଏହି ଭୂକମ୍ପ ଗତ ଶତାବ୍ଦୀ ମଧ୍ୟରେ ଭେନେଜୁଏଲାର ସବୁଠାରୁ ଶକ୍ତିଶାଳୀ ଭୂକମ୍ପ । ପ୍ରାୟ ୨୫୦ରୁ ଅଧିକ ବଡ଼ ବଡ଼ ଅଟ୍ଟାଳିକା ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି । ୫୫,୦୦୦ରୁ ଅଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି । ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ଭିଡ଼ ଜମିଥିବା ବେଳେ ବାରମ୍ବାର ଆସୁଥିବା ଆଫ୍ଟରଶକ୍ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମାତ୍ର କେଇ ସେକେଣ୍ଡ ମଧ୍ୟରେ ସେମାନଙ୍କ ଆଖି ସାମ୍ନାରେ ସୁନ୍ଦର ସହରଗୁଡ଼ିକ ଶ୍ମଶାନ ପାଲଟିଗଲା । ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ଏବଂ ଆନ୍ତର୍ଜାତୀୟ ସାହାଯ୍ୟ ମଧ୍ୟ ପହଞ୍ଚିବା ଆରମ୍ଭ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ସହ ଅର୍ଥନୈତିକ କ୍ଷୟକ୍ଷତି ବିଲିୟନ ଡଲାର ଟପିବ ବୋଲି ଅନୁମାନ କରାଯାଉଛି । ସମୟ କମ୍, କିନ୍ତୁ ଜୀବନ ବଞ୍ଚାଇବାର ଜିଦ୍ ଏବେ ଭେନେଜୁଏଲା ଆଗରେ ସବୁଠାରୁ ବଡ଼ ଆହ୍ୱାନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    61 %
    1.4kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ