ନୂଆଦିଲ୍ଲୀ: ଆଶା ଥିଲା ମୁଖ୍ୟମନ୍ତ୍ରୀ ପଦ ମିଳିବ । ଆମ୍ ଆଦମୀ ପାର୍ଟିର ବଡ ହାତୀକୁ ହରେଇବାର ପୁରସ୍କାର ଦିଆଯିବ । କେଜ୍ରିୱାଲଙ୍କୁ ପରାସ୍ତ କରିବାର ପୁରସ୍କାର ସ୍ବରୂପ ତାଙ୍କୁ ଦିଲ୍ଲୀ ଦରବାରର ଦାୟିତ୍ବ ଦିଆଯିବ । ରାଜନୀତିର ଅଙ୍କ କଷୁଥିବା ଗଣନାକାରମାନେ ବି ଠିକ୍ ଏକଥା କହୁଥିଲେ କି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରବେଶ ବର୍ମା ହେବେ ବୋଲି । ଜାତୀୟ ଗଣମାଧ୍ୟମରେ ବି ବଡ ଚର୍ଚ୍ଚା ହେଉଥିଲା । ଆଉ ଏ ସବୁ ଚର୍ଚ୍ଚା ପରେ ମନେମନେ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖିବା କେଉଁ ରାଜନେତା ପାଇଁ ନୂଆ ନୁହେଁ । ପ୍ରବେଶ ବି ଦିଲ୍ଲୀ ମୁଖିଆ ହେବାର ସ୍ବପ୍ନ ଦେଖୁଥିବେ । ବୁଧବାର ସଂଧ୍ୟା ଯାଏଁ ମୁଖ୍ୟମନ୍ତ୍ରୀ ରେସରେ ଯେଉଁ ୫ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା ସେଥିରେ ସବୁଠୁ ଆଗରେ ଥିଲେ ପ୍ରବେଶ ବର୍ମା । ଚଳିତ ବିଧାନସଭା ନିର୍ବାଚନରେ ନୂଆଦିଲ୍ଲୀ ଆସନରୁ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିଲେ ପ୍ରବେଶ । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇବା ଏତେ ସହଜ ନୁହେଁ ମାତ୍ର ତାହା କରି ଦେଖାଇଲେ ପ୍ରବେଶ । ସେହି ନ୍ୟାୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାର ସବୁ ବାଟ ସଫା ବୋଲି ଚର୍ଚ୍ଚା ହେଉଥିବା ବେଳେ ଶେଷରେ ଜଣେ ମହିଳାଙ୍କ ନାଁରେ ମୋହର ବାଜିଛି ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ନାଁ ଘୋଷଣା କରାଯାଇଛି । ରେଖା ଗୁରୁବାର ରାମଲୀଳା ମୈଦାନରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସାଲିମାରବାଗରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ରେଖା । ଦିଲ୍ଲୀ ବିଜେପିର ମହାସଚିବ ଅଛନ୍ତି । ଏଥିସହ ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷ ବି ଅଛନ୍ତି ।
ରେଖାଙ୍କ ନାଁ ଘୋଷଣା ପରେ ପ୍ରବେଶଙ୍କ ମୁଖ୍ୟମନ୍ତ୍ରୀ ହେବାର ଆଶା ମଉଳିଯାଇଛି । ଯାହା ଅନୁମାନ ଓ ଆକଳନ କରାଯାଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି । ପ୍ରବେଶଙ୍କୁ କେଜ୍ରିୱାଲଙ୍କୁ ପରାସ୍ତ କରିବାର ପୁରସ୍କାର ମିଳିନି । କୁହାଯାଉଛି ତାଙ୍କୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ କରାଯାଇପାରେ ।