Thursday, October 1, 2026
22.7 C
Odisha

    ମନ ଇଛା କାଟି ପାରିବେନି ତାଳଗଛ:ପିସିସିଏଫ୍‌ ଦେବିଦତ୍ତ ବିଶ୍ବାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବଜ୍ରପାତରୁ ରକ୍ଷା ପାଇବାକୁ ପାରମ୍ପରିକ ପଦ୍ଧତରେ ସାରା ରାଜ୍ୟର ଗ୍ରାମାଞ୍ଚଳରେ ବହୁ ପରିମାଣରେ ତାଳଗଛ ଲଗାଇବାକୁ ୨୦୨୩ ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏବର୍ଷ ତାହାକୁ କାର୍ଯ୍ୟକାରୀ କରିବାକୁ ବନ ବିଭାଗ ଅଣ୍ଟା ଭିଡ଼ିଛି। ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ ୧୯ ଲକ୍ଷ ତାଳଗଛ ଲଗାଯିବ।ଭୁବନେଶ୍ବର, କଟକ, ବାଲେଶ୍ବର, ଭଦ୍ରକ ପରି ସହର ସମେତ ଉପକୂଳ ଓଡ଼ିଶାରେ ବ୍ୟାପକ ତାଳଗଛ ରୋପଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ପିସିସିଏଫ୍‌ ଦେବିଦତ୍ତ ବିଶ୍ବାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏଣିକି କେହିବି ମନ ଇଚ୍ଛା ଆଉ ତାଳ ଗଛ କାଟି ପାରିବେ ନାହିଁ। ଏପରିକି ନିଜ ଜାଗାରେ ଥିବା ତାଳ ଗଛ କାଟିଲେ ମଧ୍ୟ ବନ ବିଭାଗ ଠାରୁ ଅନୁମତି ନେବାକୁ ପଡ଼ିବ। ରାଜ୍ୟରେ ବଢୁଥିବା ବଜ୍ରପାତଜନିତ ମୃତ୍ୟୁ ରୋକିବା ପାଇଁ ସରକାର ଏହିଭଳି  ନିୟମ କଡାକଡ଼ି କରିଛନ୍ତି। ବିନା ଅନୁମତିରେ ତାଳ ଗଛ କାଟିଲେ କାର୍ଯ୍ୟାନୁଷ୍ଠାନ ହେବ।ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ଅଧ୍ୟକ୍ଷତାରେ ଦୁଇ ଦିନ ତଳେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ସମସ୍ତ ବନଖଣ୍ଡ ଫିଲ୍ଡ ୟୁନିଟ୍‌ ଓ ବିଶେଷଜ୍ଞମାନେ ସାମିଲ ହୋଇ ତାଳଗଛର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷଜ୍ଞଙ୍କ ମତରେ ଅଧିକାଂଶ ବଜ୍ରପାତଜନିତ ମୃତ୍ୟୁ ଗ୍ରାମାଞ୍ଚଳରେ ହେଉଛି। ମୋଟ ହିସାବ ଦେଖିଲେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟାର ଗ୍ରାମାଞ୍ଚଳରେ ୯୦% ଥିବା ବେଳେ ସହରାଞ୍ଚଳରେ ୧୦% ଘଟୁଛି। ତାଳଗଛ ଏଥିରୁ ଲୋକଙ୍କୁ ସୁରକ୍ଷା ଦେଇପାରିବ। ପୂର୍ବରୁ ରାଜ୍ୟର ଗ୍ରାମାଞ୍ଚଳରେ ବହୁ ପରିମାଣର ତାଳଗଛ ଥିଲା, ଯାହାକି ବଜ୍ରପାତଜନିତ ମୃତ୍ୟୁ ରୋକିବାରେ ସହାୟକ ହେଉଥିଲା। ବିଶେଷକରି ଉପକୂଳ ଓଡ଼ିଶାରେ ତାଳଗଛଗୁଡ଼ିକ ସଞ୍ଜିବନୀ ଭଳି କାମ କରୁଥିଲା। ତେବେ ୧୯୯୯ ମହାବାତ୍ୟା ଓ ପରବର୍ତ୍ତୀ ସମୟରେ ଲାଗିରହିଥିବା ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, କଟକ, ବାଲେଶ୍ବର, ଭଦ୍ରକ, ଗଞ୍ଜାମ ଜିଲ୍ଲାରେ ବ୍ୟାପକ ତାଳଗଛ ନଷ୍ଟ ହୋଇଯାଇଛି। ପୁନରୁଦ୍ଧାର ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଏବେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ସହରୀକରଣ ଯୋଗୁ ମଧ୍ୟ ତାଳଗଛ ଲୋପ ପାଇଯିବାରୁ ବଜ୍ରପାତ ସିଧା ମାଟିରେ ପଡୁଛି। ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ବଜ୍ରପାତ ଯୋଗୁ ଅନେକ ଲୋକଙ୍କ ଜୀବନ ଯାଉଛି। ଆହତଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ରହୁ ନାହିଁ। ବଜ୍ରପାତ ମୁଖ୍ୟତଃ ଡେଙ୍ଗା ଗଛ ଯଥା ତାଳ ଓ ନଡିଆ ଗଛ ଉପରେ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ।ରାଜ୍ୟ ଓ ଜାତୀୟ ରାଜପଥ ରାସ୍ତାପାର୍ଶ୍ବ, ଗ୍ରାମାଞ୍ଚଳ, ସଂରକ୍ଷିତ ଜଙ୍ଗଲ ଓ ଜମିରେ ତାଳଗଛ ଲଗାଇବାକୁ ୨୦୧୮ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବନଖଣ୍ଡକୁ କୁହାଯାଇଥିଲା। ମାତ୍ର ତାହା ଆଜି ପର୍ଯ୍ୟନ୍ତ ଫଳପ୍ରଦ ହୋଇପାରି ନାହିଁ। ପରିଣାମ ସ୍ବରୂପ ଗତ ୫ ବର୍ଷରେ ବଜ୍ରପାତରେ ଓଡ଼ିଶାରେ ୧,୪୭୨ ଲୋକଙ୍କ ଜୀବନ ଯାଇଛି। ୧୪୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯାଉଛି। ବଜ୍ରପାତରେ ୪୦ % ଅକର୍ମଣ୍ୟ ହୋଇଥିବା ବ୍ୟକ୍ତିଙ୍କୁ ୭୪ ହଜାର, ୬୦% ଅକର୍ମଣ୍ୟ ହୋଇଥିବା ବ୍ୟକ୍ତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଉଛି। ଯଦି କୌଣସି ବ୍ୟକ୍ତି ବଜ୍ରପାତରେ ଆହତ ହୋଇ ୭ ଦିନରୁ ଅଧିକ ଦିନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି, ତାହାହେଲେ ସେମାନଙ୍କୁ ୧୬ ହଜାର ଟଙ୍କା ମିଳୁଛି। ଏକ ସପ୍ତାହରୁ କମ୍‌ ଦିନ ଚିକିତ୍ସା ହେଉଥିଲେ ୫,୪୦୦ ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯାଉଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ