Thursday, March 19, 2026
21 C
Odisha

    ମହାନଦୀ ତଟ ବିକାଶ ପାଇଁ ୨୪୦ କୋଟି: ସମ୍ବଲପୁର ଓ ଭୁବନେଶ୍ବରରେ ହେବ ଦୁଇଟି ପ୍ରକଳ୍ପ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ବହୁ ଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମଞ୍ଜୁରି ଦେଇଛନ୍ତି। ଏହି ଯୋଜନା ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ କାର୍ଯ୍ୟକାରୀ ହେବ। ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଓ ଭୁବନେଶ୍ବରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ପ୍ରକଳ୍ପ ପାଇଁ ତିନି ବର୍ଷରେ ୨୪୦କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାରେ ଦୁଇଟି ସ୍ଥାନରେ ନଦୀତଟର ବିକାଶ କରାଯିବ। ପ୍ରଥମଟି ହେଉଛି ସମ୍ବଲପୁରର ମନ୍ଦଲିଆରୁ ଚାଉଁରପୁର ପର୍ଯ୍ୟନ୍ତ ମହାନଦୀରେ ନଦୀକୂଳ ବିକାଶ। ଏଥିରେ ପାର୍କିଂ ସ୍ଥାନ, ଜଗିଙ୍ଗ୍ ପାର୍କ, ସେଲ୍‌ଫି ପଏଣ୍ଟ, ପାର୍କ, ଖୋଲା ଜିମ୍, ଘାଟର ଉନ୍ନତୀକରଣ, ସ୍ନାନ ଘାଟ ନିର୍ମାଣ, ଆରତୀ ଘାଟ, ଥିମ୍‌ ପ୍ଲାଜା, ସପିଂ କମ୍ପ୍ଲେକ୍ସ, ଶୌଚାଳୟ ଆଦିର ବିକାଶ କରାଯିବ। ଏଥିପାଇଁ ୧୬୦ କୋଟି ଟଙ୍କା ଖର୍ଚ୍ଚ ହେବ। ଦ୍ୱିତୀୟଟି ହେଉଛି, ଭୁବନେଶ୍ୱର ପାଣ୍ଡରା ନିକଟ କୁଆଖାଇ ଓ କୁଶଭଦ୍ରା ନଦୀରେ ନଦୀତଟ ବିକାଶ। ଏଥିରେ ସୁରକ୍ଷା କାର୍ଯ୍ୟ ସହିତ ନଦୀକୂଳ ଘାଟର ବିକାଶ, ରିଙ୍ଗ୍‌ରୋଡ୍‌ ସହିତ ଦୃଶ୍ୟ ପଏଣ୍ଟ ବିକାଶ, ଭାସମାନ ଜେଟି, ଲକ୍‌ଗେଟ୍‌, ସେତୁ, ପାର୍କିଂ, କାଫେଟେରିଆ, ଶୌଚାଳୟ, ନଦୀପଥ ସହିତ ଆଭ୍ୟନ୍ତରୀଣ ପାଦଚଲା ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଯୋଜନାକୁ ମଞ୍ଜୁରି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ମହାନଦୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପରିବେଶ, ସାଂସ୍କୃତିକ ତଥା ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ରରେ ପରିଣତ କରାଯିବ। ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ। ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି, ନଦୀକୂଳରେ ସହର ପାଇଁ ସାମାଜିକ, ସାଂସ୍କୃତିକ ସୁବିଧା ଯୋଗାଇଦେବା, ଘରୋଇ ସହଭାଗିତା ମାଧ୍ୟମରେ ଜଳକ୍ରୀଡ଼ା, ମନୋରଞ୍ଜନ ପାର୍କ, ବିଜ୍ଞାନ ପାର୍କ, ହର୍ବାଲ୍‌ ଉଦ୍ୟାନ ଆଦିର ବିକାଶ ପାଇଁ ମୌଳିକ ଭିତ୍ତିଭୂମି ନିର୍ମାଣ, ନଦୀତଟ କ୍ଷୟ ତଥା ନଦୀ ସଂରଚନାର ନିୟନ୍ତ୍ରଣ, ଆବର୍ଜନା ନିଷ୍କାସନ ପଥ ପରିବର୍ତ୍ତନ କରି ନଦୀଜଳ ସଫା ରଖିବା, ଜଳ ସଂରକ୍ଷଣ ଦ୍ୱାରା ଜଳାଭାବ ସମୟରେ ନିକଟସ୍ଥ ଅଞ୍ଚଳକୁ ପାନୀୟଜଳ ଯୋଗାଣ ଏବଂ ସମ୍ବଳର ସ୍ଥାୟୀ ବିକାଶ ସହିତ ପାରିପାର୍ଶ୍ୱିକ କ୍ଷେତ୍ରକୁ ପୁନର୍ଜୀବିତ କରିବା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    70 %
    1.6kmh
    100 %
    Thu
    33 °
    Fri
    33 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ